ଭୁବନେଶ୍ୱର : ହେମନ୍ତ ଦାଶ, ବୟସ ୫୯। ଘର ପୁରୁଣା ଭୁବନେଶ୍ବର ହାଟସାହିରେ। ୧୯୮୬ରୁ ୨୦୨୨ ମସିହା; ୩୭ବର୍ଷ ଧରି ଅପରାଧ ଜଗତରେ ବେଶ୍ ସକ୍ରିୟ ରହିଛି। ଏମିତିକି ଏହି ଲମ୍ବା ସମୟ ଭିତରେ ଅପରାଧର ତରିକା ହେଉ କି ପୁଲିସକୁ ମାତ୍ ଦେବାରେ ହେମନ୍ତର ସାହସ ଟିକେ ବି କମିନି, ବରଂ ବୟସରେ ଅପରାହ୍ଣରେ ପହଞ୍ଚି ସାରିଥିବା ଏହି କୁଖ୍ୟାତ ଅପରାଧୀ ଉଭୟ ଶାରୀରିକ ଓ ମାନସିକ ଭାବେ ଏବେ ଅଧିକ ସକ୍ରିୟ ହୋଇ ଯାଇଛି। ଭୁବନେଶ୍ବର ସମେତ ୭ଟି ପୁଲିସ ଜିଲ୍ଲାର ନିଦ ହଜାଇଥିବା ହେମନ୍ତ ଶତାଧିକ ଅପରାଧ ଘଟାଇବାରେ କେମିତି ବଳ ପାଇଲା? କିଏ ବଳ ଦେଲା? ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ହେମନ୍ତର ଅପରାଧର ତାଲିକା ବହୁତ ଲମ୍ବା। ତା’ ନାଁରେ ଅନେକ ସଙ୍ଗିନ୍ ମାମଲା ରହିଛି। ଆଇପିସି ଦଫା-୩୯୫(ଡକାୟତି, ଦଣ୍ଡ-ସର୍ବାଧିକ ଆଜୀବନ), ୩୯୪(ଆକ୍ରମଣ କରି ଲୁଟ୍, ଦଣ୍ଡ-ସର୍ବାଧିକ ଆଜୀବନ), ୩୯୨(ଛିନତାଇ, ଦଣ୍ଡ-ସର୍ବାଧିକ ୧୦ ବର୍ଷ ଜେଲ୍), ଏନଡିପିଏସ୍ ଆଇନର ଧାରା ୨୦(ବି)(ଦଣ୍ଡ-ସର୍ବାଧିକ ୧୦ ବର୍ଷ ଜେଲ୍) ଦଫାରେ ଅନେକଥର ଗିରଫ ହୋଇଛି ହେମନ୍ତ। ଭୁବନେଶ୍ବର, ଖୋର୍ଦ୍ଧା, କଟକ, ପୁରୀ ପୁଲିସର ନିଦ ହଜାଇ ଦେଇଛି। ରାଜଧାନୀରେ ସର୍ବାଧିକ ୭୫ରୁ ଅଧିକ ମାମଲା ରହିଛି। କିନ୍ତୁ ସବୁଠୁ ବଡ଼ କଥା ହେଲା, ୩୭ବର୍ଷ ଭିତରେ ସେ ଥରଟିଏ ମଧ୍ୟ ଦଣ୍ଡ ଭୋଗିନି ବୋଲି କହିଛନ୍ତି ହେମନ୍ତର ୧୯୯୦ରୁ ୨୦୨୦ ପର୍ଯ୍ୟନ୍ତ ମାମଲା ଲଢ଼ୁଥିବା ପୂର୍ବତନ ଓକିଲ ଲକ୍ଷ୍ମୀଧର ମହାପାତ୍ର। ସେହିପରି ହେମନ୍ତ କେବେ ସଜ୍ଜା ଭୋଗି ନ ଥିବା ମଧ୍ୟ କମିସନରେଟ ପୁଲିସ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷେ, ଗତ ୭ ତାରିଖରେ ଏକ ସିନ୍ଧିଚୋରି ମାମଲାରେ ପୁଣି ଗିରଫ ହୋଇଛି ହେମନ୍ତ। କଟକ ବାଦାମବାଡ଼ି ପୁଲିସ୍ ତାକୁ ଗିରଫ କରି ଜେଲ୍ ପଠାଇଛି। ତଥାପି ହେମନ୍ତର ମନୋବଳ ଭାଙ୍ଗିନି। ଜାମିନ୍ରେ ଆସିବା ପରେ ପୁଣି ଚୋରି କରିବ ବୋଲି ଗଣମାଧ୍ୟମ ଆଗରେ ଖୋଲାଖୋଲି କହିଛି।
/sambad/media/post_attachments/wp-content/uploads/2021/11/loot-2.jpg)
ହେମନ୍ତ ଘରେ ପଶି ସିନ୍ଧିଚୋରି, ଆକ୍ରମଣ କିମ୍ବା ଭୟଭୀତ କରି ଲୁଟ୍ କରିବାରେ ମାହିର। ଅପରାଧ ଘଟାଇବା ପୂର୍ବରୁ ସେ ଥରୁଟିଏ ବି ପୁଲିସ ହାତରେ ଧରାପଡ଼ିନି। କିନ୍ତୁ ଜେଲରୁ ଫେରି ବାରମ୍ବାର ଅପରାଧ ଘଟାଇ ପୁଲିସକୁ ସବୁବେଳେ ଖୋଲା ଚ୍ୟାଲେଞ୍ଜ ଦେଇ ଆସୁଛି। ଗତବର୍ଷ ସେପ୍ଟେମ୍ବର ଶେଷ ସପ୍ତାହରେ ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାରସ୍ଥିତ ବେବି କେୟାର୍ କ୍ଲିନିକ୍ରେ ପଶି କଳାକନା ବୁଲାଇଥିଲା। ଅକ୍ଟୋବର ୪ତାରିଖରେ ପୁଲିସ ହେମନ୍ତଙ୍କୁ ଗିରଫ କରି ଜେଲ୍ ପଠାଇଥିଲା। କିନ୍ତୁ ଜାମିନ୍ରେ ମୁକୁଳିବା ପରେ ଗତ ଜାନୁଆରି ୩୦ ତାରିଖରେ ବାଦାମବାଡ଼ି ଅଞ୍ଚଳରେ ବଡ଼ଧରଣର ଚୋରି କରି ପରେ ପୁଲିସ ହାତରେ ଧରାପଡ଼ିଥିଲା। ଏଠାରେ ପ୍ରଶ୍ନ ଉଠୁଛି, ଜେଲରୁ ଜାମିନରେ ବାହାରିବା ପରେ ଏହି କୁଖ୍ୟାତ ଅପରାଧୀ ଉପରେ କେମିତି ନଜର ରଖୁଥିଲା ପୁଲିସ? ଯଦି ସର୍ତ୍ତମୂଳକ ଜାମିନ ମିଳିଥିଲା, ତାହେଲେ ସେହି ଆଧାରରେ ଥାନାରେ ହାଜର ହେଉଥିଲା ନା ନାହିଁ? ଯଦି ହେଉ ନ ଥିଲା, ପୁଲିସ ଏହାର ଅନୁଧ୍ୟାନ କରୁଥିଲା ନା ନାହିଁ? ବୋଲି କହିଛନ୍ତି ଆଇନଜୀବୀ ଚିତ୍ତରଞ୍ଜନ ଦାଶ। ଶ୍ରୀ ଦାଶଙ୍କ କହିବା ଅନୁସାରେ, ସମାନଧରଣର ଅପରାଧ ପୁଣି ନ ଘଟାଇବା ପାଇଁ ଜାମିନରେ ସର୍ତ୍ତ ରହିଥାଏ। କିନ୍ତୁ ହେମନ୍ତ ବାରମ୍ବାର ଜେଲ୍ରୁ ବାହାରି ସମାନଧରଣର ଅପରାଧ ଘଟାଉଥିଲା। ସିଆର୍ପିସି ଧାରା-୪୩୯ର ଉପଧାରା-୨ ଅନୁସାରେ, ସର୍ତ୍ତ ଉଲ୍ଲଂଘନ କରି ସମାନଧରଣର ଅପରାଧ ଘଟାଇଲେ, ପୂର୍ବ ଜାମିନକୁ ପୁଲିସ ଚ୍ୟାଲେଞ୍ଜ କରିପାରିବ। ସେହିପରି କୁଖ୍ୟାତ ଅପରାଧୀଙ୍କୁ ପୁଲିସ ସହରାଞ୍ଚଳ ଆଇନ ବଳରେ ତଡ଼ିପାର୍ ମଧ୍ୟ କରିପାରିବ। ସଙ୍ଗିନ୍ ମାମଲରେ ଦୋଷୀ ସାବ୍ୟସ୍ତ କରାଇବା ପାଇଁ ସରଜମିନ୍ ତଦନ୍ତ କରି ଉପଯୁକ୍ତ ତଥ୍ୟ ପ୍ରମାଣ ପ୍ରଦାନ କଲେ ଅଭିଯୁକ୍ତକୁ ଦଣ୍ଡବିଧାନ ହୋଇପାରିବ ବୋଲି ଶ୍ରୀ ଦାଶ କହିଛନ୍ତି। ଏତେ ଅପରାଧ କରିବା ପାଇଁ ଆଉ ଅପରାଧୀର ବଳ ପାଇବନି।
ଉଲ୍ଲେଖଯୋଗ୍ୟ, ‘ସମ୍ବାଦ’ର ହସ୍ତଗତ ହୋଇଥିବା ତଥ୍ୟ, ପୁଲିସ ପାଖରୁ ମିଳିଥିବା ସୂଚନା, ପୂର୍ବରୁ ହେମନ୍ତ ପାଇଁ ଲଢୁଥିବା ଓକିଲଙ୍କ ମତ ଭିତ୍ତିରେ ଦୋଷୀ ସାବ୍ୟସ୍ତ ହୋଇ ନ ଥିବା କଥା ଉଲ୍ଲେଖ କରାଯାଇଛି। ଯଦି ପୁଲିସର ଆଗକୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୁଏ ତାହେଲେ ଆମେ ତାହାକୁ ପ୍ରଦାନ କରିବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Hemanta-Dash-f.jpg)