ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ହାଇକୋର୍ଟ‌ରେ କ୍ରାଇମବ୍ରାଞ୍ଚର ସତ୍ୟପାଠ : ହତ୍ୟା ନେଇ ପ୍ରମାଣ ମିଳି ନାହିଁ, ଆତ୍ମହତ୍ୟା ବୋଲି ଜଣାପଡୁଛି

କଟକ : ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ଏ ପର୍ଯ୍ୟନ୍ତ ତଦନ୍ତରୁ ମିଳି ପାରି ନାହିଁ। ଏହା ଏକ ଆତ୍ମହତ୍ୟା ଘଟଣା ଭଳି ଦେଖା ଦେଉଛି। ହାଇକୋର୍ଟ‌ରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ସତ୍ୟପାଠରେ ଏପରି କଥା ଉଲ୍ଲେଖ କରାଯାଇଛି।  କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଡି.ପି.ଦାଶଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ତଦନ୍ତ ବେଳେ ଏକ ସୁଇସାଇଡ ନୋଟ୍ ଜବତ କରାଯାଇଥିଲା। ଏହାକୁ ହ୍ୟାଣ୍ଡ୍ ରାଇଟିଂ ବ୍ୟୁରୋକୁ ଯାଞ୍ଚ ପାଇଁ ପଠାଯାଇଥିଲା। ଜୁଲାଇ ୨୧ରେ ମିଳିଥିବା ଏ ସଂପର୍କିତ ରିପୋର୍ଟରୁ ଏହି ନୋଟ୍ ଆଦିତ୍ୟ ଲେଖିଥିବା ଜଣା ପଡୁଛି। ଏଥି ସହିତ ଏହି ନୋଟ୍ ଉପରେ ରେଭେନ୍ସା ବିଶ୍ବବିଦ୍ୟାଳୟ ମନସ୍ତତ୍ବବିତ୍ ଅଧ୍ୟକ୍ଷ, କାଉନସିଲ ଅଫ୍ ଡିନ୍ସଙ୍କ ନିକଟରୁ ମଧ୍ୟ ମତାମତ ଲୋଡ଼ା ଯାଇଥିଲା। ଅଗଷ୍ଟ ୧୦ରେ ମନସ୍ତତ୍ବବିତ ପ୍ରଦାନ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ସୁଇସାଇଡ ନୋଟ୍ ଲେଖିବା ବେଳେ କୌଣସି ବଳ ପ୍ରୟୋଗ କରାଯାଇ ନଥିଲା। ଏଥି ସହିତ ଗଭୀର ଅବସାଦ ଯୋଗୁଁ ଆତ୍ମହତ୍ୟା କରିଥିବା ସପକ୍ଷରେ ରିପୋର୍ଟରେ ମତ ରହିଥିଲା।  ଏ ପର୍ଯ୍ୟନ୍ତ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ଲାଗୁଛି। ସୁଇସାଇଡ ନୋଟ୍‌ରୁ ଏଥି ପାଇଁ କେହି ଦାୟୀ ନୁହେଁ ବୋଲି ଜଣା ପଡୁଛି। ଏବେ ମଧ୍ୟ ଘଟଣାର ତଦନ୍ତ ଚାଲିଛି। ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ଏ ପର୍ଯ୍ୟନ୍ତ ଫାଇନାଲ ଫର୍ମ ଦାଖଲ କରି ନାହାନ୍ତି। ଏଭଳି ସ୍ଥିତିରେ ସିବିଆଇ ବା ଅନ୍ୟ କୌଣସି ଏଜେନ୍ସିକୁ ତଦନ୍ତ ହସ୍ତାନ୍ତର ପାଇଁ ଆବେଦନକାରୀ କରିଥିବା ପ୍ରାର୍ଥନା ଅନାବଶ୍ୟକ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କହିବା ଗ୍ରହଣୀୟ ନୁହେଁ କାରଣ କୌଣସି ସାକ୍ଷୀ ଏ ନେଇ କହି ନାହାନ୍ତି। ଏଥି ସହିତ ଆଦିତ୍ୟ କେଉଁ ପ୍ରକାର ମାନସିକ ଚାପର ବଶବର୍ତ୍ତୀ ଥିଲେ ସେ ନେଇ ମଧ୍ୟ ତଦନ୍ତରୁ କୌଣସି ତଥ୍ୟ ମିଳି ନାହିଁ।  ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୫କୁ ଧାର୍ଯ୍ୟ କରିଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତର ଅଗ୍ରଗତି ନେଇ ସେହି ଦିନ ଅବଗତ କରିବ। ଅନ୍ୟପକ୍ଷରେ ପରବର୍ତ୍ତୀ ଶୁଣାଣି ସମୟରେ ତଦନ୍ତ ଭାର ଅନ୍ୟ ସ୍ବାଧୀନ ଏଜେନ୍ସିକୁ ହସ୍ତାନ୍ତର ପ୍ରସଂଗରେ ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ରାୟର ନଜିର ଉପସ୍ଥାପନ କରାଯିବ ବୋଲି ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ସୂଚନା ଦେଇଛନ୍ତି।

orissahighcourt.nic.in

ମାମଲାର ବିବରଣୀରୁ ପ୍ରକାଶ ଯେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାୟର ଏହି ମାମଲାରେ ଦର୍ଶାଯାଇଛି ଯେ ଆଦିତ୍ୟ ବୃଦ୍ଧାଶ୍ରମ କରିବା ସହିତ ମଦ ବିରୋଧୀ ଅଭିଯାନରେ ସାମିଲ ହୋଇଥିଲେ। ତା’ଛଡ଼ା ଆଦିତ୍ୟ ମୋଟିଭେସନାଲ ସ୍ପିକର ଭାବେ ବି ଖୁବ୍ ଲୋକପ୍ରିୟ ଥିଲେ। ନିଜ ସେବା ଓ ସାମାଜିକ କାର୍ଯ୍ୟ ପାଇଁ ଆଦିତ୍ୟ ରାଜ୍ୟ ତଥା ଦେଶବିଦେଶରେ ମଧ୍ୟ ଲୋକପ୍ରିୟ ହୋଇ ପାରିଥିଲେ। ଉଭୟ ପରିବାର ସହମତିରେ ବିଦ୍ୟାଶ୍ରୀଙ୍କ ସହିତ ଆଦିତ୍ୟଙ୍କ ବିବାହ ହୋଇଥିଲା। କିନ୍ତୁ ବିଭାଗରର ୨୭ ଦିନ ପରେ ଆଦିତ୍ୟ ଘରେ ମିଳି ନଥିଲେ। ବହୁତ ଖୋଜା ଖୋଜି ପରେ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ତାଙ୍କ ମୃତ ଦେହ ମିଳିଥିଲା। ଏହି ଘଟଣାକୁ ନେଇ ଜିଆରପି ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରିଥିଲା ଓ ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ପ୍ରଦାନ କରାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କରାଯାଇଥିବା ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଛି। ପରିବାର ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହି ଘଟଣାର ଠିକ୍ ଭାବେ ତଦନ୍ତ କରାଯାଉ ନାହିଁ। ଆଦିତ୍ୟଙ୍କ ମୃତ୍ୟୁର କାରଣ ତଦନ୍ତକାରୀ ସଂସ୍ଥା ଜାଣି ପାରି ନାହିଁ। ଏହି ଘଟଣାରେ ଅପରାଧୀଙ୍କ ଗିରଫଦାରୀ, ସତ୍ୟ ଉନ୍ମୋଚନ ଓ ମୃତ୍ୟୁ ରହସ୍ୟ ଖୋଲିବାରେ ଦିଗରେ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଦାୟର ଆବେଦନରେ ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ତଦନ୍ତର ନଜିର ଦିଆଯାଇଛି। ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରାଯାଉ ବା ରାଜ୍ୟ ସରକାରଙ୍କ ଅଧୀନରେ ନଥିବା କୌଣସି ସ୍ବାଧୀନ ଏଜେନ୍ସିକୁ ତଦନ୍ତ ଦାୟିତ୍ବ ଦିଆଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି। ମାମଲାରେ ରାଜ୍ୟ ଗୃହ ସଚିବ, ଜିଆରପି ଏସପି, ସିବିଆଇ ଓ କ୍ରାଇମବ୍ରାଞ୍ଚକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର