ଝାରସୁଗୁଡା: କ୍ରାଇମ୍‌ ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଟିମ୍ ସହ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଝାରସୁଗୁଡ଼ା ଆସି ସିଧା ଘଟଣାସ୍ଥଳରେ ପହଞ୍ଚି  ଅନୁସନ୍ଧାନ ଆରମ୍ଭ କରିଛନ୍ତି।

Advertisment

କ୍ରାଇମବ୍ରାଞ୍ଚ ଟିମ୍‌ ଗୁଳିକାଣ୍ଡସ୍ଥଳରେ ତନ୍ନତନ୍ନ କରି ଦେଖିବା ସହିତ ସ୍ଥାନୀୟ ପୁଲିସକୁ ପଚରାଉଚରା କରିଥିଲେ। ଏହି ଅଧିକାରୀମାନଙ୍କ ସହିତ ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ ଓ ବ୍ରଜରାଜନଗର ଆଇଆଇସିଙ୍କ ସହିତ କଥାବାର୍ତ୍ତା କରିଥିଲେ। ପରେ ବ୍ରଜରାଜନଗର ଥାନାରେ କ୍ରାଇମ ବ୍ରାଞ୍ଚ ଟିମ୍‌ ଦୀର୍ଘ ସମୟ ବିଭିନ୍ନ ଲୋକଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି। ଆଜି ରାତିରେ ଏହି ଅଧିକାରୀମାନେ ତାଙ୍କ ସହିତ ଅଛନ୍ତି। ସେମାନେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ପଚାରଉଚରା କରିବେ।

ପୂର୍ବରୁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ଗୋଟିଏ ଖୋକା, ଫୁଲମାଳ, ଚପଲ ଓ ରକ୍ତର ନମୁନା ‌ସଂଗ୍ରହ କରି ଫେରିଥିଲେ। ଏଡିଜି ବୋଥ୍ରାଙ୍କ ସହ ଆଇଜି ଦୀପକ କୁମାର ଓ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଅନୁସନ୍ଧାନ କରିଥିଲେ।

କ୍ରାଇମବ୍ରାଞ୍ଚ ନିଜ ଆଡ଼ୁ ଏକ ଅପରାଧିକ ମାମଲା ରୁଜୁ କରିଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ଟିମ୍‌ରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ରମେଶ ଚନ୍ଦ୍ର ଦୋରାଙ୍କ ସମେତ ୭ ଜଣ ଅଧିକାରୀ ସାମିଲ ହୋଇଛନ୍ତି। ଏଥିରେ ସାଇବର୍‌ ବିଶେଷଜ୍ଞ, ବାଲାଷ୍ଟିକ ବିଶେଷଜ୍ଞ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ଏମାନେ ଭୁବନେଶ୍ବରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଝାରସୁଗୁଡ଼ା ଗସ୍ତ କରିଛନ୍ତି। ବ୍ରଜରାଜନଗର ଥାନା ପୁଲିସ ଏହି ଘଟଣାକୁ କେନ୍ଦ୍ର କରି ଏକ ମାମଲା(କେସ୍ ନଂ ୩୪) ରୁଜୁ କରିଥିଲା। କ୍ରାଇମବ୍ରାଞ୍ଚ ଏହି ମାମଲାରେ ପୁନଃ ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ କେସ୍ ନଂ-୨ ରେ ଦଫା ୩୦୭, ଅସ୍ତ୍ରଶସ୍ତ୍ର ନିରୋଧ ଆଇନର ଧାରା ୨୭ ବଳରେ ସାନି ମାମଲା ରୁଜୁ କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।