କ୍ରାଇମ୍‌ବ୍ରାଞ୍ଚର ଘନ ଘନ ବୈଠକ

ଝାରସୁଗୁ଼ଡା: ନବ ଦାସ ହତ୍ୟାକାଣ୍ଡର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ବିଭିନ୍ନ ସ୍ଥାନରେ ଘନଘନ ବୈଠକ କରୁଥିବା ବେଳେ ଝାରସୁଗୁଡ଼ା ଏସ୍‌ପି ଓ ଜିଲ୍ଲାର ବିଭିନ୍ନ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି। ଏହି ବୈଠକ ସଂପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ପ୍ରଦାନ କରାଯାଉ ନାହିଁ। ସୋମବାର ସକାଳେ ଏସ୍‌ପି ଅଫିସ୍‌ରେ କ୍ରାଇମବ୍ରଞ୍ଚ ଏଡିଜି ଅରୁଣ ବୋଥ୍ରା, ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ପ୍ରମୁଖ ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଗୋପାଳ କାହିଁକି ଗୁଳି କଲା। ନବ ଦାସଙ୍କ ସହିତ ତା’ର କୌଣସି ବ୍ୟକ୍ତିଗତ ଶତ୍ରୁତା ଥିଲା ନା ତାଙ୍କୁ ହତ୍ୟା ପାଇଁ କେହି ସୁପାରୀ ଦେଇଥିଲା। ସେ ଦିଗକୁ ନେଇ କ୍ରାଇମ ବ୍ରଞ୍ଚ ଟିକିନିଖି ତଥ୍ୟ ରଖୁଥିବା ଜଣାଯାଇଛି।

ହତ୍ୟା କରିଥିବା ସ୍ବୀକାର କରିଛି ଗୋପାଳ: ଏଡିଜି ବୋଥ୍ରା

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସକୁ ଦୁଇ ଦିନ ଧରି ଜେରା କରିବା ପରେ କ୍ରାଇମବ୍ରାଞ୍ଚ ସୋମବାର ରାତ୍ର ସାଢ଼େ ୮ ଟାରେ ଝାରସୁଗୁଡ଼ାରେ କୋର୍ଟ ଚାଲାଣ କରିଛି। କୋର୍ଟରେ ଉପସ୍ଥାପନ କରି କ୍ରାଇମବ୍ରାଞ୍ଚ ତାକୁ ରିମାଣ୍ଡରେ ନେବ ବୋଲି ସୂଚନା ଦେଇଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇ କହିଛନ୍ତି ଯେ, ଅଭିଯୁକ୍ତ ହତ୍ୟା କରିଥିବା ସ୍ବୀକାର କରିଛି। ଘଟଣା ସଂପର୍କରେ ତାକୁ ଅଧିକ ଜେରା କରିବାକୁ ଥିବାରୁ କ୍ରାଇମବ୍ରାଞ୍ଚ ରିମାଣ୍ଡ ପାଇଁ ଆବେଦନ କରିବ। ସମସ୍ତ ପ୍ରତ୍ୟକ୍ଷଦର୍ଶୀଙ୍କୁ ମଧ୍ୟ ଜେରା କରାଯିବା ସହିତ ବୈଜ୍ଞାନିକ ପଦ୍ଧତିରେ ଅଧିକ ପ୍ରମାଣ ଯୋଗାଡ଼ କରାଯିବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି। ତେବେ କାହିଁକି ମନ୍ତ୍ରୀଙ୍କୁ ହତ୍ୟା କଲା ସେ ନେଇ କିଛି ସୂଚନା ସେ ଦେଇ ନାହିଁ। ଅଧିକ ତଦନ୍ତ ପରେ ସବୁ ରହସ୍ୟ ଜଣାପଡ଼ିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର