ଏମିତି ଚାଲିଛି କ୍ରାଇମବ୍ରାଞ୍ଚ ତଦନ୍ତ, ଜାଣନ୍ତୁ କେତୋଟି ଟିମ ଗଠନ କରାଯାଇଛି

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ନବ ଦାସଙ୍କୁ ହତ୍ୟା ଘଟଣାରେ ପୁଲିସ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି | ଅନ୍ୟପଟେ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ଘଟଣାର କାରଣ ଜାଣିବାକୁ ତଦନ୍ତରେ ଲାଗିପଡ଼ିଛି | କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ ଆସି ପୁଲିସ ବାରାକରେ ରଖା ଯାଇଥିବା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୨ ଘଣ୍ଟା ପଚରାଉଚରା କରିଥିଲେ। ଗୋପାଳଙ୍କୁ ୫୦ରୁ ଅଧିକ ପ୍ରଶ୍ନ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ତେବେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତର ଅଗ୍ରଗତି ନେଇ ଆଜି ସୂଚନା ଦିଆଯାଇଛି | କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ଗୋପାଳ ଦାସଙ୍କ ପିସ୍ତଲକୁ ପରୀକ୍ଷା ପାଇଁ ପଠାଯିବ | ବାଲିଷ୍ଟିକ ପରୀକ୍ଷା ପାଇଁ ପିସ୍ତଲକୁ କ୍ରାଇମବ୍ରାଞ୍ଚ ପଠାଇବାକୁ ନିଷ୍ପତ୍ତି ନେଇଥିବାବେଳେ ତଦନ୍ତ ପାଇଁ ୨ଟି ଟିମ ଗଠନ କରାଯାଇଛି |

ଗୋଟିଏ ଟିମ ଡିଏସପି ରମେଶ ଚନ୍ଦ୍ର ଦୋରାଙ୍କ ତତ୍ତ୍ୱାବଧାନରେ ଝାରସୁଗୁଡ଼ାରେ ଥିବାବେଳେ ଅନ୍ୟ ଟିମଟି ଡିଏସପି ଶିଶିର ଚନ୍ଦ୍ର ମିଶ୍ରଙ୍କ ତତ୍ୱାବଧାନରେ ଭୁବନେଶ୍ୱରରେ ରହିଛି | ଘଟଣାସ୍ଥଳକୁ ଯାଇ ଟିମ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚୁରା କରିଥିବାବେଳେ ଘଟଣାସ୍ଥଳରୁ ଗୋଟିଏ ଖୋକା ସହ ଆଉ କିଛି ଜିନିଷ ଜବତ କରାଯାଇଛି | ଗୋପାଳଙ୍କ ୯ଏମଏମ ପିସ୍ତଲ, ୩ଟି ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି | କ୍ରାଇମବ୍ରାଞ୍ଚର ଆଉ ଏକ ଟିମ ଭୁବନେଶ୍ୱରରେ ତଦନ୍ତ ଚଳାଇଛି | ନବ ଦାସଙ୍କ ରକ୍ତଭିଜା ପୋଷାକ ଓ ମେଡିକାଲ ରେକର୍ଡ ଜବତ କରାଯାଇଥିବାବେଳେ ପୋଷ୍ଟମର୍ଟମ କରିଥିବା ଡାକ୍ତରୀ ଟିମ ସହ ମଧ୍ୟ କ୍ରାଇମ ବ୍ରାଞ୍ଚ ଆଲୋଚନା କରିଛି | ଅଧିକ ତଦନ୍ତ ପାଇଁ ନବଙ୍କ ଭିସେରା ନମୁନା ମଧ୍ୟ ସଂରକ୍ଷିତା ରଖାଯାଇଛି |

ସମ୍ବନ୍ଧିତ ଖବର