ପୁଲିସ ବିରୋଧରେ ଗଡ଼ୁଛି ଶହ ଶହ ଅଭିଯୋଗ

୭ବର୍ଷରେ ପିସିଏରେ ପଡ଼ିଛି ୭୭୨ ମାମଲା, ବାଲେଶ୍ୱରରୁ ସର୍ବାଧିକ

ଲୋକାୟୁକ୍ତ ନ ଥିବାରୁ ହୋଇପାରୁନି ବିଚାର

ଭୁବନେଶ୍ୱର : ଏଫ୍‌ଆଇଆର ଗ୍ରହଣ ନ କରିବା ଓ କ୍ଷମତାର ଅପବ୍ୟବହାର ଭଳି ଘଟଣାରେ ପୁଲିସ ବିରୋଧରେ ଆସିଛି ପୁଳା ପୁଳା ଅଭିଯୋଗ। ଏପରି ଶହ ଶହ ମାମଲା ପୁଲିସ ଅଭିଯୋଗ କର୍ତୃପକ୍ଷ ବା ପିସିଏରେ ଗଡ଼ୁଛି । ବାଲେଶ୍ୱର ଜିଲ୍ଲା ଏଥିରେ ସବା ଆଗରେ ରହିଛି। ମାତ୍ର ଲୋକାୟୁକ୍ତ ନ ଥିବାରୁ ଏସବୁ ମାମଲାର ବିଚାର ହୋଇପାରୁନାହିଁ।

କେବଳ ପିସିଏ ନୁହେଁ, ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ମଧ୍ୟ ସମାନ ଅବସ୍ଥା। ଲୋକପାଳଙ୍କ ଦେହାନ୍ତ ପରେ ଏଠାରେ ହଜାର ହଜାର ମାମଲା ଗଡ଼ୁଛି। କୋର୍ଟ ଚାଲୁ ନ ଥିବାରୁ କାର୍ଯ୍ୟାଳୟକୁ ଆସୁଥିବା ଅଭିଯୋଗର ପ୍ରାଥମିକ ତଦନ୍ତ ମଧ୍ୟ ହେଉନାହିଁ। ଯାହାଫଳରେ ଅଭିଯୋଗଗୁଡ଼ିକର କେବଳ ନମ୍ବର କରି ଫୋପାଡ଼ି ଦିଆଯାଉଛି। ଗତ ୫ବର୍ଷ ଧରି ଏଭଳି ଅଚଳାବସ୍ଥା ଲାଗି ରହିଛି ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ।

ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସ ନିର୍ଯାତନାର ଶିକାର ହେଉଥିବା ଲୋକମାନେ ପୁଲିସ ଅଭିଯୋଗ କର୍ତୃପକ୍ଷ ବା ପିସିଏରେ ଅଭିଯୋଗ କରିବାର ବ୍ୟବସ୍ଥା ରହିଛି। ‘ସମ୍ବାଦ’ର ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ୨୦୦୮ ମସିହାରେ ପିସିଏରେ ୭୫ଟି ଅଭିଯୋଗ ହୋଇଥିବା ବେଳେ ସବୁ ଅଭିଯୋଗର ବିଚାର ହୋଇଥିଲା। ୨୦୦୯ ମସିହାରେ ପୁଲିସ ବିରୋଧରେ ୧୭୫ଟି ଅଭିଯୋଗ ଆସିଥିବାବେଳେ ତହିଁରୁ ୧୪୭ଟି ଅଭିଯୋଗର ବିଚାର ହୋଇଥିଲା ଏବଂ ୨୮ଟି ଅଭିଯୋଗ ବିନା ତଦନ୍ତରେ ପଡ଼ି ରହିଛି। ୨୦୧୧ ମସିହାରେ ୧୭୬ଟି ଅଭିଯୋଗ ଆସିଥିବା ବେଳେ ତହିଁରୁ ୯୪ଟି ଅଭିଯୋଗର ବିଚାର ହୋଇଥିଲା। ୮୨ଟି ଅଭିଯୋଗର ଆଜି ପର୍ଯ୍ୟନ୍ତ ବିଚାର ହୋଇପାରି ନାହିଁ।

୨୦୧୨ ମସିହାରେ ପିସିଏ ନିକଟରେ ୨୪୧ଟି ଅଭିଯୋଗ ପହଞ୍ଚିଥିବା ବେଳେ ମାତ୍ର ୨୫ଟି ଅଭିଯୋଗର ବିଚାର ହୋଇପାରିଥିଲା। ଫଳରେ ୨୧୬ଟି ଅଭିଯୋଗ ଆଜି ମଧ୍ୟ ସେଠାରେ ବିଚାର ନ ହୋଇ ପଡ଼ି ରହିଛି। ୨୦୧୩ ମସିହାଠାରୁ ଅଭିଯୋଗଗୁଡ଼ିକର ବିଚାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହି ବର୍ଷ ପୁଲିସ ବିରୋଧରେ ୧୯୫ଟି ଅଭିଯୋଗ ଆସିଥିବା ବେଳେ ଗୋଟିଏ ହେଲେ ମାମଲାର ବିଚାର ହୋଇପାରି ନାହିଁ। ୨୦୧୪ ମସିହାରେ ୯୩ଟି ମାମଲା, ୨୦୧୫ ମସିହାରେ ୬୬, ୨୦୧୬ରେ ୫୨ ଓ ୨୦୧୭ ମସିହାରେ ୪୦ଟି ମାମଲା ବିଚାର ନ ହୋଇ ପଡ଼ି ରହିଛି। ଥାନାକୁ ଅଭିଯୋଗ କରିବାକୁ ଯାଉଥିବା ଅଭିଯୋଗକାରୀଙ୍କ ଅଭିଯୋଗକୁ ଗ୍ରହଣ ନ କରିବା, ଅନେକ ସମୟରେ କ୍ଷମତାର ଅପବ୍ୟବହାର ଓ ହାଜତ ନିର୍ଯାତନା ଜନିତ ଅଭିଯୋଗ ପହଞ୍ଚିଛି ପିସିଏରେ। ଏଥିରେ ବାଲେଶ୍ୱର ଜିଲ୍ଲା ଆଗରେ ରହିଥିବା ବେଳେ ଏହା ପଛକୁ ରହିଛି ଖୋର୍ଧା ଓ କଟକ ଜିଲ୍ଲା।

ସେହିପରି ଲୋକପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ମାମଲାର ତାଲିକା ଲମ୍ବି ଚାଲିଛି। ୨୦୧୨ ମସିହା ପର୍ଯ୍ୟନ୍ତ ଲୋକପାଳଙ୍କ କାର୍ଯ୍ୟାଳୟରେ ୧୩୦୩ଟି ମାମଲା ବିଚାର ନ ହୋଇ ପଡ଼ି ରହିଥିଲା। ୨୦୧୩ ମସିହାରେ ୧୯୪, ୨୦୧୪ରେ ୧୮୯, ୨୦୧୫ରେ ୧୬୧, ୨୦୧୬ରେ ୧୨୮ ଓ ୨୦୧୭ରେ ୮୯ଟି ମାମଲା ପଡ଼ି ରହିଛି। ସମୁଦାୟ ୨୦୪୦ଟି ମାମଲା ପଡ଼ି ରହିଛି ଲୋକପାଳଙ୍କ କାର୍ଯ୍ୟାଳୟରେ। ଲୋକପାଳଙ୍କ ଦେହାନ୍ତ ପରେ ବିଚାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। କୋର୍ଟ ମାଷ୍ଟର ଅବସର ଗ୍ରହଣ କରିଥିବାରୁ ଏହି ପଦବି ମଧ୍ୟ ଖାଲି ପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ବିଧାନସଭାରେ ଲୋକପାଳ ନୁହେଁ, ଲୋକାୟୁକ୍ତ ଗଠନ ପାଇଁ ବିଲ୍‌ ପାରିତ ହୋଇଥିଲେ ହେଁ ତାହା ଆଇନରେ ପରିଣତ ହୋଇପାରି ନାହିଁ। ଏଭଳି ସ୍ଥିତିରେ ଲୋକପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ଅଭିଯୋଗଗୁଡ଼ିକର ପ୍ରାଥମିକ ତଦନ୍ତ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଅନୁମତି ମାଗିଥିଲା ଲୋକପାଳଙ୍କ କାର୍ଯ୍ୟାଳୟ। ମାତ୍ର କୌଣସି ସନ୍ତୋଷଜନକ ଉତ୍ତର ନ ଆସିବାରୁ ଅଭିଯୋଗ ଗୁଡ଼ିକର କେବଳ ନମ୍ବର କରି ରଖା ଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର