ଅପରାଧୀଙ୍କ ଚରାଭୂଇଁ ସାଜିଛି ସମ୍ବଲପୁର; ହତ୍ୟା, ଅପହରଣ, ଡକାୟତି ହେଲାଣି ନିତିଦିନିଆ ଘଟଣା

ସମ୍ବଲପୁର : ସଂସ୍କୃତିର ସହର ସମ୍ବଲପୁର ଏବେ ଅପରାଧୀଙ୍କ ଚରାଭୂଇଁ। କେବଳ ସମ୍ବଲପୁର ସହର ନୁହେଁ ପୂରା ଜିଲ୍ଲାରେ ଲଗାମ ଛଡ଼ା ହେଲେଣି ଅପରାଧୀ। ହତ୍ୟା, ଡକାୟତି, ଅପହରଣ, ଲୁଟ୍‌ ଓ ଦୁଷ୍କର୍ମ ଭଳି ଅପରାଧ ନିୟମିତ ଘଟଣା ପାଲଟି ଗଲାଣି। ଗତ କେଇ ମାସ ମଧ୍ୟରେ ଜିଲ୍ଲାରେ ଅପରାଧର ମାତ୍ରା ବଢ଼ିଛି। ହେଲ୍‌ମେଟ ଓ ମାସ୍କ ଚେକିଂରେ ଅଧିକ ଶକ୍ତି ଓ ସମୟ ଅପଚୟ କରୁଥିବା ପୁଲିସ୍‌କୁ ଆଉ ଅପରାଧୀଙ୍କ ଖାତିର ନାହିଁ ଯେମିତି। ଗୋଟିଏ ସମୟରେ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିିବା ଦାଦାବଟି ଭଳି ଘଟଣା ପୁଣି ବଢ଼ିବାରେ ଲାଗିଲାଣି। କୋରେକ୍ସ, ଟାବଲେଟ୍‌, ଚୋରା ମଦ ଉପରେ ନିୟନ୍ତ୍ରଣ ନାହିଁ। ଖୋଲାଖୋଲି ଚାଲିଲାଣି ସଟ୍ଟା ଓ ଜୁଆ ଆଡ୍ଡା। ଏକପ୍ରକାର ଭୁଶୁଡ଼ି ପଡ଼ିଛି ଆଇନ୍‌ଶୃଂଖଳା ବ୍ୟବସ୍ଥା।

Times of India

ବିଗତ କିଛି ମାସ ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ଅନେକ ଜଘନ୍ୟ ଅପରାଧ ଘଟିଯାଇଛି। ଗୋଟିଏ ପରିବାରର ଏକାଧିକ ଲୋକଙ୍କୁ ହତ୍ୟା କରିବାର ଏକାଧିକ ଘଟଣା ଛାତି ଥରାଇ ଦେଇଛି। ମଙ୍ଗଳବାର ରାତିରେ ବୁର୍ଲା ସେଣ୍ଟ୍ରାଲ୍ ଲାଇନ୍‌ରେ ଗୋଟିଏ ପରିବାରର ୫ ଜଣଙ୍କୁ ପ୍ରାଣାନ୍ତକ ଆକ୍ରମଣ ଓ ସେଥିରେ ଦୁଇ ଭାଇଙ୍କ ମୃତ୍ୟୁ ହେବା ସହ ଅନ୍ୟମାନେ ଗୁରୁତର ଆହତ ହେବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ବୁର୍ଲା ସହର ମଝିରେ ବହୁ ଲୋକଙ୍କ ଆଖି ସାମ୍‌ନାରେ ଅପରାଧୀ ମାନେ ଗାଡ଼ି ଚଢ଼ାଇ ଓ ମାରଣାସ୍ତ୍ରରେ ହାଣି ଗୋଟିଏ ପରିବାରକୁ ନିପାତ କରି ଦେବାକୁ ଉଦ୍ୟମ କରିଥିଲେ। ଏହାର କିଛି ଦିନ ପୂର୍ବରୁ ଗତ ୨୧ ତାରିଖରେ ମହୁଲପାଲି ଥାନା ଅନ୍ତର୍ଗତ ବାମରା ବ୍ଲକର ଲପ୍‌ଡ଼ା ଗାଁରେ ପଡ଼ୋଶୀ ବାପ-ପୁଅ ମିଶି ଗୋଟିଏ ପରିବାରର ଦୁଇ ମହିଳାଙ୍କ ସମେତ ତିନି ଜଣ ସଦସ୍ୟଙ୍କୁ ଅତି ଜଘନ୍ୟଭାବେ ହତ୍ୟା କରିଥିଲେ। ଜମିଜମା ବିବାଦକୁ କେନ୍ଦ୍ର କରି ରକ୍ତମୁଖା ହୋଇ ଉଠିଥିବା ଜଣେ ନରପିଶାଚ ସ୍ପଷ୍ଟ ଦିବାଲୋକରେ ମଝି ଗାଁ’ଦାଣ୍ଡରେ ଦୁଇ ମହିଳାଙ୍କୁ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରି ହତ୍ୟା କରିବା ଭଳି ଅଭାବନୀୟ କାଣ୍ଡ ଘଟାଇଥିଲା। ଉକ୍ତ ବ୍ୟକ୍ତି ନିଜ ପୁଅ ସହ ମିଶି ପଡ଼ୋଶୀ ଘରର ଜଣେ ବୟସ୍କା ମହିଳା, ତାଙ୍କ ଝିଅ ଓ ଜ୍ବାଇଁଙ୍କୁ ହତ୍ୟା କରିଥିଲା। ଏହାର ଦୁଇ ମାସ ପୂର୍ବରୁ ସେହି ବାମରା ବ୍ଲକ୍‌ରେ ଆଉ ଏକ ଲୋମଟାଙ୍କୁରା ଘଟଣା ଘଟିଥିଲା। ଗୋବିନ୍ଦପୁର ଥାନା ଅନ୍ତର୍ଗତ ବାଉଁସଲଗା ପଞ୍ଚାୟତ ତାଳଡିହି ଗାଁ’ରେ ପିଶାଚ ସାଜିଥିବା ସାନଭାଇ ନିଜ ବଡ଼ଭାଇ, ଭାଉଜ ଓ ୩ ବର୍ଷୀୟ ପୁତୁରାକୁ ହାଣି ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ଭିତରେ ଶବ ଗୁଡ଼ିକୁ ଭର୍ତ୍ତି କରି ଦେଇଥିଲା। ଏଥିରେ ବାପ-ପୁଅଙ୍କର ମୃତ୍ୟୁ ହୋଇଥିଲାବେଳେ ୩୦ ଘଣ୍ଟା ଧରି ଟାଙ୍କି ଭିତରେ ଗୁରୁତର ଅବସ୍ଥାରେ ଥିବା ମହିଳା ଜଣକ ଜୀବିତ ଉଦ୍ଧାର ହୋଇଥିଲେ। ସେହି ଦିନ ଉକ୍ତ ବ୍ଲକ୍‌ ଗୋବିନ୍ଦପୁର ଥାନା ଅନ୍ତର୍ଗତ ସିମିଳିବାହାଲ ଗାଁରେ ସ୍ବାମୀର ମାଡ଼ରେ ସ୍ତ୍ରୀ’ର ମୃତ୍ୟୁ ହୋଇଥିଲା।

ଗତ ମାସ ୧୦ ତାରିଖରେ ସମ୍ବଲପୁର ସହର ହାଟପଡ଼ା ରିଂ ରୋଡ୍‌ରେ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିଲା। ଗୋଟିଏ ଗ୍ୟାଙ୍ଗର ଜଣେ ଅପରାଧୀ ଅନ୍ୟ ଗ୍ୟାଙ୍ଗ୍‌ର ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଛୁରା ଭୁଶି ହତ୍ୟା କରିଥିଲା। ଗତ କେଇ ମାସ ମଧ୍ୟରେ ସମ୍ବଲପୁର ମହାନଗର ସମେତ ବାମରା, ଯୁଯୁମୁରା, ଜମନକିରା, ନାକଟିଦେଉଳ, ରେଢ଼ାଖୋଲ, କୁଚିଣ୍ଡା, ଧନକଉଡ଼ା ଆଦି ବ୍ଲକ୍‌ରେ ବହୁ ଜଘଣ୍ୟ ହତ୍ୟାକାଣ୍ଡ ଘଟିଛି। କିଛି ଘଟଣାରେ ୧ରୁ ଅଧିକ ବ୍ୟକ୍ତିଙ୍କର ବି ମୃତ୍ୟୁ ହୋଇଛି। ଗତ ବର୍ଷ ସେପ୍‌ଟେମ୍ବର ମାସରେ ଯୁଯୁମୁରା ଥାନା ଭଣ୍ଡାରିମାଲ ଗାଁ’ଦାଣ୍ଡରେ ଏକ ବୀଭତ୍ସ ଡବଲ ମର୍ଡର ଘଟଣା ଘଟିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର ଗୋଟିଏ ପରିବାରର ଦୁଇ ଭାଇଙ୍କୁ ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ହତ୍ୟା କରିଥିଲା ସେହି ଗାଁର ଆଉ ଜଣେ ବ୍ୟକ୍ତି। ସେହି ବର୍ଷ ନାକଟିଦେଉଳ ବ୍ଲକ୍‌ରେ ଘଟିଥିଲା ଏକ ଭିନ୍ନ ରକମର ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟାକାଣ୍ଡ। ମଦରେ ବିଷ ମିଶାଇ ଜଣେ ଗ୍ରାମରକ୍ଷୀଙ୍କ ସମେତ ଗୋଟିଏ ଗାଁର ୩ ଜଣଙ୍କୁ ନୃସଂଶଭାବେ ହତ୍ୟା କରିଥିଲେ ଦୁର୍ବୃତ୍ତ।

Chandigarh Metro

ହତ୍ୟାକାଣ୍ଡ ବ୍ୟତୀତ ଚଳିତ ବର୍ଷ ସମ୍ବଲପୁର ସହରରେ କିଛି ଚର୍ଚ୍ଚିତ ଅପହରଣ ଅପରାଧ ତାଲିକାକୁ ଆହୁରି ଲମ୍ବା କରିଛି। ବରେଇପାଲି ଅଞ୍ଚଳର ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କୁ ଶାଶନ ଥାନା ନିକଟ ରାଜପଥ ଉପରୁ ବନ୍ଧୁକ ମୂନରେ ଅପରାଧୀମାନେ ଉଠାଇ ନେବା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହାର ୧୦ ଦିନ ପରେ ସେହି ଶାସନ ଥାନା ଅଞ୍ଚଳରେ ଆଉ ଜଣେ ନାବାଳକଙ୍କ ଅପହରଣ ହୋଇଥିଲା। ଏପରିକି ସମ୍ବଲପୁର ରେଳ ଷ୍ଟେସନ ସମ୍ମୁଖରୁ ଡିଆଇପିଆର୍‌ଓଙ୍କ ଭଳି ଜଣେ ସରକାରୀ ଅଧିକାରୀଙ୍କୁ ଅପହଣ କରାଯିବା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଅବଶ୍ୟ ସମସ୍ତ ଅପହରଣ ଘଟଣାରେ ଅପହୃତ ଉଦ୍ଧାର ହେବା ସହ ଅପହରଣକାରୀ ମାନେ ଧରା ପଡ଼ିଥିଲେ।

କିନ୍ତୁ ବହୁ ଏଭଳି ଅପରାଧ ମଧ୍ୟ ଘଟିଛି ଯେଉଁଥିରେ ଅପରାଧୀମାନେ ପୁଲିସ୍‌ ହାତକୁ ଆସି ନାହାନ୍ତି। ଗତ ୯ ତାରିଖ ଅପରାହ୍‌ଣରେ ୟୁନିୟନ୍‌ ବ୍ୟାଙ୍କ ଗାଡ଼ିକୁ ପିଛା କରି ଦୁର୍ବୃତ୍ତ ମାନେ ୩୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାର ଦିନ କେଇଟା ପୂର୍ବରୁ ସମ୍ବଲପୁର ଏସ୍‌ପିଙ୍କ କାର୍ଯ୍ୟାଳୟରୁ କେଇ ମିଟର ଦୂରରେ ଥିବା ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ସାମ୍‌ନାରୁ ଦୁର୍ବୃତ୍ତମାନେ ଜଣେ ଷ୍ଟାମ୍ପ ଭେଣ୍ଡରଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏହାଛଡ଼ା ମୁଦିପଡ଼ା ସମବାୟ ବ୍ୟାଙ୍କ ଓ କାନାଡ଼ା ବ୍ୟାଙ୍କ ସମ୍ମୁଖରୁ ଦୁର୍ବୃତ୍ତ ମାନେ ଯୋଜନାବଦ୍ଧଭାବେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲାବେଳେ ବର୍ତ୍ତମାନ ସୁଦ୍ଧା ଜଣେ ବି ଅପରାଧୀ ଧରାପଡ଼ି ନାହାନ୍ତି।

Times of India

ଚଳିତ ବର୍ଷ ସମ୍ବଲପୁର ସହରରେ ଅନେକ ଚେନ୍ ଲୁଟ୍ ମାମଲା ସାମ୍‌ନାକୁ ଆସିଛି। ଏକୁଟିଆ ମହିଳାଙ୍କୁ ଟାର୍ଗେଟ୍ କରି ସହର ମଧ୍ୟରୁ ଦୁର୍ବୃତ୍ତମାନେ ଅତି କମ୍‌ରେ ୬ଟି ଚେନ୍ ଲୁଟ୍ କରିଛନ୍ତି। ବ୍ୟବସାୟୀ ମାନଙ୍କୁ ଦାଦାବଟି ମାଗିବା ଓ ନଦେଲେ ମରଣାନ୍ତକ ଆକ୍ରମଣ କରିବା ଭଳି ଘଟଣା ଦେଖିବାକୁ ମିଳୁଛି। ଚେରୁଆପଡ଼ାର ଜଣେ ଯୁବ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ରଡ୍‌ ଓ ପାଇପ୍‌ରେ ମରଣାନ୍ତକ ମାଡ଼ ମାରିବା ତଥା ପରେ ଉକ୍ତ ଘଟଣାର ଭିଡିଓ ଭାଇରାଲ କରିଥିବା ଆଉଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ସେହିପରି ନିକଟରେ ଏକ ପ୍ରମୁଖ ଦଳରୁ ବିଧାନସଭା ନିର୍ବାଚନ ଲଢ଼ିଥିବା ଯୁବ ନେତା ଦାଦାବଟି ମାଗିବା ସହ ଡକାୟତି କରି ଗିରଫ ହେବା ଘଟଣା ବି ବେଶ ଚର୍ଚ୍ଚିତ ହୋଇଥିଲା। ଏହି କିଛି ମାସ ମଧ୍ୟରେ ନାବାଳିକା ଓ ଭିନ୍ନକ୍ଷମଙ୍କ ସମେତ ଏକାଧିକ ମହିଳା ଦୁଷ୍କର୍ମର ମଧ୍ୟ ଶିକାର ହୋଇଛନ୍ତି। ଡେଙ୍ଗସର୍‌ଗି ଗଣବଳାତ୍କାର ଭଳି ଘଟଣା ଜିଲ୍ଲାର ଛବିକୁ ମଳିନ କରିଛି।

ସମ୍ବନ୍ଧିତ ଖବର