ବାଲେଶ୍ୱର ସଦରରେ ଅପରାଧୀଙ୍କ ଆତଙ୍କରାଜ: ଦିନ ଦ୍ବିପ୍ରହରେ ଗାଁଦାଣ୍ଡରେ ବୁଲିଲା ବନ୍ଧୁକ, ଖଣ୍ଡା

ବାଲେଶ୍ୱର: ବିଦ୍ୟୁତ୍ ସଂଯୋଗକୁ କେନ୍ଦ୍ର କରି ସୋମବାର ପୂର୍ବାହ୍ନରେ ବାଲେଶ୍ୱର ସଦର ଥାନା ଅଞ୍ଚଳ ପୁଣିଥରେ ଆତଙ୍କିତ ହୋଇପଡ଼ିଛି। ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସଦର ଥାନା ଅନ୍ତର୍ଗତ କେଶରପୁର ଗାଁରେ। ପିସ୍ତଲ ଦେଖାଇ ଗାଁ ଲୋକଙ୍କୁ ଭୟଭୀତ କରିବାକୁ ଯାଇଥିବା ଦୁଇଜଣ ଅପରାଧୀଙ୍କୁ ଗାଁ ଲୋକ ଖଣ୍ଡା, ଭୁଜାଲି ଓ ବିଭିନ୍ନ ମାରଣାସ୍ତ୍ର ଧରି ଘେରି ଯାଇଥିଲେ। ଫଳରେ କେଶରପୁର ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଥିଲେ।

ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସଂଗେ ସଂଗେ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ଖବର ପାଇ ସଦର ଥାନା ପୁଲିସ ସଦଳବଳେ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଅପରାଧୀମାନେ ପୁଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ। ତେବେ ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଅପରାଧୀ ଗୋଷ୍ଠୀଙ୍କୁ ଚିହ୍ନଟ କରିଥିବା ବେଳେ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଆଇଆଇସି କ୍ଷମାସଗାର ପଣ୍ଡା ସୂଚନା ଦେଇଛନ୍ତି।
ପ୍ରକାଶଯୋଗ୍ୟ, ଗତ ୧୯ ତାରିଖରେ କେଶରପୁର ଗ୍ରାମରେ ବିଦ୍ୟୁତ ସଂଯୋଗକୁ କେନ୍ଦ୍ରକରି ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗୋଟିଏ ଗୋଷ୍ଠୀ ଦୁର୍ବଳ ଥିବାରୁ ତାଙ୍କ ସହ ପରିଚିତ ପୁରୁଣା ବାଲେଶ୍ବର ଅଞ୍ଚଳରୁ ୨ଜଣ ସହଯୋଗୀଙ୍କୁ ଡକାଇଥିଲେ। ସେମାନେ ଯାଇ ଅପରଗୋଷ୍ଠୀଙ୍କୁ ବନ୍ଧୁକ ଦେଖାଇ ଧମକାଇଥିଲେ।

 

ସମ୍ବନ୍ଧିତ ଖବର