ଡେଲ୍‌ଟା ଛକରେ ତୁମୁଳକାଣ୍ଡ: ବୁଲିଲା ଖଣ୍ଡା, ଭୁଜାଲି; ‌ପୋଡ଼ିଦେଲେ ସ୍କର୍ପିଓ

ଘଟଣା ପଛରେ କେବିଏନ୍‌ ଗ୍ୟାଙ୍ଗ୍‌, ମୁଖ୍ୟ ଅଭିଯୁକ୍ତ ବାପିକୁ ଖୋଜୁଛି ପୁଲିସ୍‌

ଭୁବନେଶ୍ବର : ସାମାନ୍ୟ ଏକ ଦୁର୍ଘଟଣାକୁ କେନ୍ଦ୍ର କରି ସୋମବାର ଦିନ ଡେଲ୍‌ଟା ଛକରେ ତୁମୁଳକାଣ୍ଡ ଘଟିଛି। କିଛି ଅସାମାଜିକ ଯୁବକ ରାସ୍ତା ଉପରେ ଖଣ୍ଡା, ଭୁଜାଲି ବୁଲାଇ ଆତଙ୍କ ଖେଳାଇବା ସହ ଏକ ସ୍କର୍ପିଓକୁ ପୋଡ଼ି ଦେଇଛନ୍ତି। ଏପରିକି ଦୁର୍ବୃତ୍ତଙ୍କ ଏହି କାର୍ଯ୍ୟକଳାପକୁ ରେକର୍ଡିଂ କରୁଥିବା ଜଣେ ଟ୍ରାଫିକ୍‌ ପୁଲିସ୍‌କୁ ସେମାନେ ଲୁହାଛଡ଼ରେ ଆକ୍ରମଣ କରି ତାଙ୍କ ମୋବାଇଲ୍‌ ଲୁଟି ନେଇଛନ୍ତି। ପାଖାପାଖି ୪୫ ମିନିଟ୍‌ ଧରି ରାଜରାସ୍ତା ଉପରେ ଏମିତି ଆତଙ୍କ ଖେଳାଇବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା। ଏଥିପାଇଁ ଉକ୍ତ ରାସ୍ତା ଦେଇ ଯାତାୟାତ ମଧ୍ୟ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଖଣ୍ଡଗିରି ପୁଲିସ୍‌ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ଛତ୍ରଭଙ୍ଗ ଦେଇଥିଲେ। ଏହି ଘଟଣା ପଛରେ କେବିଏନ୍‌ ଗ୍ୟାଙ୍ଗ୍‌ ସହ ବାପି ନାମକ ଜଣେ ଯୁବକଙ୍କ ସଂପୃକ୍ତି ଥିବା ଜଣାଯାଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍‌ ରାତିଅଧିଆ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାଯାଇଛି।

ମିଳିଥିବା ସୂଚନାନୁଯାୟୀ, ସୋମବାର ସଂଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଏକ ସ୍କର୍ପିଓ ଖୋର୍ଦ୍ଧାରୁ ଭୁବ‌ନେଶ୍ବର ଅଭିମୁଖେ ଫେରୁଥିଲା। ଡେଲ୍‌ଟା ଛକ ନିକଟରେ ଏକ ସ୍କୁଟିକୁ ସ୍କର୍ପିଓଟି ପଛରୁ ଧକ୍କା ଦେବାରୁ ସେଥିରେ ଥିବା ଜଣେ ଯୁବକ ତଳେ ପଡ଼ି ଯାଇଥିଲେ। ଏହାକୁ ନେଇ କାର୍‌ ଚାଳକ କାଳୁଙ୍କ ସହ ଉକ୍ତ ଯୁବକଙ୍କ ବଚସା ହୋଇଥିଲା। ଏଥିରେ ରାଗିଯାଇ ଯୁବକଜଣଙ୍କ ପାଖ ବସ୍ତିରେ ଖଟି କରୁଥିବା ଅଭିଯୁକ୍ତ ବାପି ସମେତ କେବିଏନ୍‌ ଗ୍ୟାଙ୍ଗ୍‌ର କିଛି ସଦସ୍ୟଙ୍କୁ ଡାକି ଆଣିଥିଲା। କିଛି ସମୟ ମଧ୍ୟରେ ୩ଟି ବାଇକ୍‌ରେ କିଛି ଯୁବକ ସେଠାରେ ପହଞ୍ଚି ଯାଇଥିଲେ। ଏହା ଦେଖି କାର୍‌ ଚାଳକଜଣଙ୍କ ଭୟ‌ରେ ସେଠାରୁ ଦୌଡ଼ି ପଳାଇଥିଲେ। ତେବେ ଦୁର୍ବୃତ୍ତମାନେ କାର୍‌ ଚାଳକଙ୍କୁ ଖୋଜି ନ ପାଇବାରୁ ସେଠାରେ ଥୁଆ ହୋଇଥିବା ସଂପୃକ୍ତ ସ୍କର୍ପିଓ ଉପରେ ତେଲ ଢାଳି ନିଆଁ ଲଗାଇ ଦେଇଥିଲେ। ଗାଡ଼ିର ତେଲ ଟାଙ୍କିରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏହା ଦେଖି ଆଖପାଖରେ ଥିବା ଲୋକ ଭୟରେ ଦୌଡ଼ାଦୌଡ଼ି କରିଥିଲେ।

ପରେ ଦୁର୍ବୃତ୍ତମାନେ ସାଙ୍ଗରେ ଆଣିଥିବା ଖଣ୍ଡା, ଭୁଜାଲି ବୁଲାଇ ଲୋକଙ୍କୁ ଅଶ୍ଲୀଳ ଗାଳିଗୁଲଜ କରିଥିଲେ। ପାଖାପାଖି ୪୫ ମିନିଟ୍‌ ପର୍ଯ୍ୟନ୍ତ ସେମାନେ ଏପରି ଉତ୍ପାତ କରିଥିଲେ। ଫଳରେ ସେଠାରେ ଏକ ଆତଙ୍କର ବାତାବରଣ ଖେଳି ଯାଇଥିଲା। ଏହାକୁ ସେଠାରେ ଥିବା ଜଣେ ଟ୍ରାଫିକ୍‌ କର୍ମଚାରୀ କ୍ୟାମେରାରେ କଏଦ୍‌ କରୁଥିଲେ। ଦୁର୍ବୃତ୍ତମାନଙ୍କ ନଜର ତାଙ୍କ ଉପରେ ପଡ଼ିବାରୁ ସେ ତାଙ୍କୁ ଏକ ଲୁହାଛଡ଼ରେ ଆକ୍ରମଣ କରିବା ସହ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରି ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିବା ଜଣାଯାଇଛି। ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ରାତିଅଧିଆ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଅପରପକ୍ଷେ କାର୍‌ ଚାଳକ କାଳୁ ଓ ଟ୍ରାଫିକ କର୍ମଚାରୀ ଏ ସଂପର୍କରେ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର