ଟିଟିଲାଗଡ଼- ସଇଁନ୍ତଲା ରାସ୍ତାରେ ଏନ୍‌କାଉଣ୍ଟର : ପୁଲିସ ଗୁଳିରେ ଘାଇଲା କୁଖ୍ୟାତ ବବଲୁ, ୨ ସହଯୋଗୀ ଅଟକ

ବଲାଙ୍ଗୀର/ଟିଟିଲାଗଡ଼ : ପୁଲିସ ଗୁଳିରେ ଘାଇଲା ହୋଇଛି କୁଖ୍ୟାତ ଅପରାଧୀ ବବଲୁ ମହାନନ୍ଦ। ପୁଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ବବଲୁକୁ ଶନିବାର ସଂଧ୍ୟାରେ ପୁଲିସ ଏନକାଉଣ୍ଟର କରି ଦୁଇ ରାଉଣ୍ଡ ଗୁଳି ଚାଳନା କରିବା ପରେ ଧରିବାରେ ସଫଳ ହୋଇଛି। ବବଲୁର ଡାହାଣ ଗୋଡର ଆଣ୍ଠୁ ଓ ପାଦରେ ଗୁଳି ବାଜିଥିବା ବେଳେ ବର୍ତ୍ତମାନ ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସାଧୀନ ରହିଛି। ଅନ୍ୟପଟେ ପୁଲିସ ବବଲୁର ଆଉ ଦୁଇ ଜଣ ସହଯୋଗୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ଦୁଇ ଜଣ ବଲାଙ୍ଗୀର ଟାଉନ ଥାନା ଅଂଚଳର ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଟାଉନ ଥାନା, ସଦର ଥାନା, ତୁଷୁରା, ସଇଁନ୍ତଲା ଓ ଟିଟିଲାଗଡ ଥାନା ଅଂଚଳର ବିଭିନ୍ନ ଅପରାଧିକ ମାମଲାରେ ବବଲୁର ସଂପୃକ୍ତି ରହିଥିଲା। ଏଣୁ ବଲାଙ୍ଗୀର ପୁଲିସ ଅନେକଥର ବବଲୁକୁ ଧରିବାକୁ ଯୋଜନା କରି ଫେଲ ମାରିଥିଲା। ଶନିବାର ସେ ଟିଟିଲାଗଡ ପଟୁ ସଇଁନ୍ତଲାକୁ ଆସୁଥିବା ଖବର ପାଇ ପୁଲିସ ଗୋଲଭାଡି ଛକରେ ଜଗି ରହିଥିଲା। ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଛକରେ ମୁତୟନ ରହିଥିଲେ। ବବଲୁ ପୁଲିସ ଫୋର୍ସକୁ ଗୋଲଭାଡି ଛକରେ ଦେଖି ଫେରାର ମାରିବାକୁ ଉଦ୍ୟମ କରିଥିଲା। ୟୁଟର୍ଣ୍ଣ ନେଇ ରେଲୱେର ବ୍ରିଜ ତଳୁ ଗୋଳାବାରୁଦ କାରଖାନା ଭିତରକୁ ଯାଇଥିବା ରାସ୍ତାରେ ପଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ବାଇକରୁ ତଳେ ପଡି ଯାଇଥିଲା। ଏପଟେ ପୁଲିସ ପିଛା କରୁଥିବା ଦେଖି ନିଜେ ଧରିଥିବା ଏକ ପିସ୍ତଲରେ ପୁଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲା। ବବଲୁର ଗୁଳିର ଜବାବ ପୁଲିସ ଗୁଳିରେ ଦେଇଥିଲା। ପୁଲିସ ପଟୁ ତାପରେ ଦୁଇ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ପୁଲିସ ବବଲୁକୁ କାବୁ କରିବା ପରେ ସଇଁନ୍ତଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇଥିଲା। ସେଠାରୁ ବଲାଙ୍ଗୀର ମେଡିକାଲ କଲେଜ ହସପିଟାଲ ଓ ପରେ ବୁର୍ଲା ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାସ୍ଥଳରୁ ବବଲୁର ଅନ୍ୟ ଜଣେ ସହଯୋଗୀ ପୁଲିସକୁ ଚକମା ଦେଇ ଫେରାର ମାରିବାରେ ସକ୍ଷମ ହୋଇଥିଲା। ଏହାରି ଭିତରେ ପୁଲିସ ବବଲୁର ଆଉ ଦୁଇ ଜଣ ସହଯୋଗୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ସମ୍ବନ୍ଧିତ ଖବର