ସମ୍ବଲପୁରରେ ପୁଲିସ୍‌ର ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ବିଟୁ ଆହତ

ସମ୍ବଲପୁର : ସୋମବାର ଭୋର ୫ଟା ୨୦ ମିନିଟରେ ସମ୍ବଲପୁର ସିଟି ଷ୍ଟେସନ ନିକଟରେ ପୁଲିସ୍‌ ଗୁଳିରେ କୁଖ୍ୟାତ ଅପରାଧୀ ବିଟୁ ଓରଫ ମୋହସିନ୍‌ ଅଖତର(୩୨) ଗୁରୁତର ଆହତ ହୋଇଛି। ବିଟୁକୁ ପୁଲିସ୍‌ ଆଣି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ପରେ ତାକୁ ଅନ୍ୟତ୍ର ନେଇ ପଚରାଉଚରା ଚାଲିଛି। ଅଭିଯୁକ୍ତ ବିଟୁ ନିକଟରୁ ପୁଲିସ୍‌ ଏକ ୯ ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ଖୋକା, ଗୋଟିଏ ମୋବାଇଲ ଫୋନ୍‌ ଓ ୪ ହଜାର ଟଙ୍କା ଜବତ କରିଛି। ସେପଟେ, ପୁଲିସ୍‌ ଓ ଅପରାଧୀଙ୍କ ଗୁଳି ବିନିମୟରେ ଜଣେ ପୁଲିସ୍‌ ଏଏସ୍‌ଆଇ ମଧ୍ୟ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ସମ୍ବଲପୁର ସିଟି ଷ୍ଟେସନରେ କୁଖ୍ୟାତ ଅପରାଧୀ ବିଟୁ ଓ ଅନ୍ୟ ୨ ସହଯୋଗୀ କୌଣସି ବଡ଼ଧରଣର ଡକାୟତି ଉଦ୍ୟମ କରିବାକୁ ଯୋଜନା କରୁଥିବା ସୂଚନା ପାଇ ରାତି ପ୍ରାୟ ୪ ଟା ବେଳେ ଧନୁପାଲି ପୁଲିସ୍‌ ଓ ସମ୍ବଲପୁର ପୁଲିସ୍‌ର ସ୍ପେସାଲ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଭୋର ପ୍ରାୟ ୫ଟା ବେଳକୁ ବିଟୁ ଅନ୍ୟ ସହଯୋଗୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ଅପରାଧୀଙ୍କୁ ‌ଧରିବା ପାଇଁ ପୁଲିସ୍‌ ‌ଗୋଡ଼ାଇବା ପରେ ଘଟଣାସ୍ଥଳରୁ ଖସିବାକୁ ଉଦ୍ୟମ କରି ବିଟୁ ପୁଲିସ୍‌ ଉପରକୁ ୨ ରାଉଣ୍ଡ ଗୁଳି ମାଡ଼ କରିଥିଲା। ଏଥିରେ ସ୍ପେଶାଲ ସ୍କ୍ବାଡ୍‌ର ଜଣେ ଏଏସ୍‌ଆଇଙ୍କ ହାତରେ ଗୁଳି ବାଜିଥିଲା। ଜବାବରେ ପୁଲିସ୍‌ ମଧ୍ୟ ଗୁଳି ମାଡ଼ କରିଥିଲା। ବିଟୁର ଡାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳିଟି ବାଜିବା ପରେ ପୁଲିସ୍‌ ତାକୁ ଧରିବାରେ ସକ୍ଷମ ହୋଇଥିଲା। ଅନ୍ୟମାନେ ପୁଲିସ୍‌କୁ ଚକ୍‌ମା ଦେଇ ଖସିଯିବାରେ ସକ୍ଷମ ହୋଇଥିଲେ।

ମାତ୍ର ୨୩ ବର୍ଷ ବୟସରୁ ଅପରାଧ ଦୁନିଆରେ ପାଦ ଥାପିଥିବା ସ୍ଥାନୀୟ କୁମ୍ଭାରପଡ଼ାର ବିଟୁ ୨୦୧୧ ମସିହାରେ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ୍‌ ଦ୍ବାରା ଗିରଫ ହୋଇଥିଲା। ଏହାପରଠାରୁ ମାରପିଟ, ରାହାଜାନି, ଲୁଟ୍‌, ଡକାୟତି ପରି ୧୫ରୁ ଊର୍ଦ୍ଧ୍ବ ଘଟଣାରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ବିଟୁ ବିରୋଧରେ ମାମଲା ରୁଜୁ ‌ହୋଇଥିଲା। କର୍ଣ୍ଣାଟକର ବେଙ୍ଗାଲୁରୁରେ ମଧ୍ୟ ବିଟୁ ବିରୋଧରେ ଏକ ଏନ୍‌ଡିପିଏସ୍‌ ମାମଲା ରହିଛି। ଗତ ଅଗଷ୍ଟ ୧୧ ତାରିଖରେ କୁମ୍ଭାରପଡ଼ାର କାଳିବାଡ଼ିରେ ନଦିମ୍‌ ନାମକ ଜଣେ ଯୁବକଙ୍କୁ ଛୁରାମାଡ଼ କରିବା ପରେ ଅଭିଯୁକ୍ତ ବିଟୁ ଫେରାର୍‌ ହୋଇଯାଇଥିଲା। ଏହି ଘଟଣାରେ ବିଟୁ ଧନୁପାଲି ଥାନାର ୱାଣ୍ଟେଡ ତାଲିକାରେ ରହିଥିଲା।

ସମ୍ବନ୍ଧିତ ଖବର