ଟିଟୋ ସହଯୋଗୀ ବୁଦ୍ଧିଆକୁ ଏନ୍‌କାଉଣ୍ଟର, କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି

କଟକ-ମହାନଦୀବିହାର : ମାତ୍ର ୨୦ ଦିନର ବ୍ୟବଧାନ ପରେ କଟକ କମିସନରେଟ୍‌ ପୁଲିସ ପୁଣି ଏନ୍‌କାଉଣ୍ଟର୍‌ କରିଛି। ଏହି ଏନ୍‌କାଉଣ୍ଟରରେ ଆହତ ହୋଇଛି ଗ୍ୟାଙ୍ଗ୍‌ଷ୍ଟର୍‌ ଟିଟୋର ସହଯୋଗୀ ବୁଦ୍ଧିଆ ଦାସ(୨୮)। ବୁଦ୍ଧିଆ ଡାହାଣ ଆଣ୍ଠୁରେ ଗୁଳି ବାଜିଛି ଓ ସେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ତା’ ନିକଟରୁ ଏକ ୯ ଏମ୍‌ଏମ୍‌ ମାଉଜର ଓ ଦୁଇ ରାଉଣ୍ଡ୍ ଗୁଳି ଜବତ କରାଯାଇଛି। ବୁଦ୍ଧିଆ ନାଁରେ ୩୦ରୁ ଅଧିକ ମାମଲା ଥିବା ପୁଲିସ୍‌ କହିଛି।

ଗତ କିଛିମାସ ହେଲା ପୁଲିସ୍‌ ବୁଦ୍ଧିଆକୁ ଖୋଜୁଥିଲା। ଗତକାଲି ବିଳମ୍ବିତ ରାତିରେ ସେ ସିଡିଏ ସେକ୍ଟର-୧୩ରେ ଥିବା ଖବର କୌଣସି ସୂତ୍ରରୁ ଖବର ପାଇଥିଲା। ଏହାପରେ, ବୁଦ୍ଧିଆକୁ ଧରିବା ପାଇଁ ତୁରନ୍ତ ଚାଉଳିଆଗଞ୍ଜ ଆଇଆଇସି ଦୀପକ କୁମାର ମିଶ୍ର, ଏସ୍‌ଆଇ ମାନେଶ୍ୱର ପ୍ରଧାନ, ବିଶ୍ୱଜିତ ସାମନ୍ତରାୟ ଓ ସୁଶାନ୍ତ ନାୟକ ସେଠାରେ ପହଞ୍ଚିଥିଲେ। ଖସିଯିବା ପାଇଁ ବୁଦ୍ଧିଆ ପୁଲିସ ଉପରକୁ ଗୁଳି ଚଳାଇଥିଲା, ଯେଉଁଥିରେ ଥାନା ସ୍କ୍ବାଡ୍‌ ବିଶ୍ୱଜିତ ଆହତ ହୋଇଥିଲେ। ଏହାପରେ ଆଇଆଇସି ଶ୍ରୀ ମିଶ୍ର ଆତ୍ମରକ୍ଷା ପାଇଁ ବୁଦ୍ଧିଆ ଉପରକୁ ପାଲଟା ଗୁଳି କରିଥିଲେ। ବୁଦ୍ଧିଆର ଡାହାଣ ଆଣ୍ଠୁରେ ଗୁଳି ବାଜିବାରୁ ସେ ପଡ଼ି ଯାଇଥିଲା ଓ ପୁଲିସ ଟିମ୍‌ ତାକୁ କାବୁ କରି ନେଇଥିଲା। ଏହାପରେ, ପୁଲିସ୍‌ ବୁଦ୍ଧିଆ ନିକଟରୁ ‌ଗେ‌ାଟିଏ ୯ ଏମ୍‌ଏମ୍‌ ମାଉଜର ଓ ୨ଟି ଗୁଳି ଜବତ କରିଥିଲା। ବୁଦ୍ଧିଆ ବର୍ତ୍ତମାନ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛି।

ପୁଲିସ୍‌ର ସୂଚନା ଅନୁସାରେ, ବୁଦ୍ଧିଆ ନାଁରେ ମର୍କତନଗର, ଜଗତପୁର, ଆଳି, କେନ୍ଦ୍ରାପଡା, ସିଡିଏ ଫେଜ୍‌-୨, ମଙ୍ଗଳାବାଗ ଓ ଚାଉଳିଆଗଞ୍ଜ ଥାନାରେ ୩୦ରୁ ଅଧିକ ସଙ୍ଗିନ ମାମଲା ରହିଛି। ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ବୁଦ୍ଧିଆ ଏକ ଟେଣ୍ଡର କାମରେ ଚାଉଳିଆଗଞ୍ଜ ଅଞ୍ଚଳର ଜଣେ ଠିକାଦାରଙ୍କୁ ୫ଲକ୍ଷ ଟଙ୍କା ବଟି ମାଗିଥିଲା। ଏ ସଂକ୍ରାନ୍ତରେ ଠିକାଦାରଜଣକ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିବା ପରେ ବୁଦ୍ଧିଆକୁ ଧରିବା ପାଇଁ ଆଇଆଇସି ଶ୍ରୀ ମିଶ୍ର ଏକ ଟିମ୍‌ କରି ତା’ ଫୋନ ଟ୍ରାକ୍‌ କରିଥିଲେ। ବୁଦ୍ଧିଆ କେନ୍ଦ୍ରାପଡ଼ାରେ ଥିବା ଖବର ପାଇ ଗତକାଲି ସନ୍ଧ୍ୟାରେ ପୁଲିସ ସେଠାରେ ଚଢ଼ଉ କରିଥିଲା। ହେଲେ, ବୁଦ୍ଧିଆ ଏକ ବାଇକ୍‌ରେ ସେଠାରୁ ଖସି ପଳାଇଥିଲା। ଏହା ପରେ ପୁଲିସ ତା’ ମୋବାଇଲ ଟ୍ରାକ୍‌ କରି ପିଛା କରିଥିଲା ଓ ଆଜି ଭୋର ୪ଟାରେ ତାକୁ ସିଡିଏ ଅଞ୍ଚଳରେ ଏନ୍‌କାଉଣ୍ଟର୍‌ କରିଥିଲା।

ସମ୍ବନ୍ଧିତ ଖବର