କଟକ: ରାଜ୍ୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଫୌଜଦାରୀ ମାମଲା ଗୁଡିକର ତ୍ବରିତ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋର୍ଟ ନିଜ ଆଡ଼ୁ ରୁଜୁ କରିଥିବା ମାମଲାର ଆଜି ଶୁଣାଣି ସମୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ମୋଟ ୪୨୩ଟି ମାମଲା ବିଭିନ୍ନ ଅଦାଲତରେ ବିଚାରାଧୀନ ଥିବା ଜଣାପଡ଼ିଛି। ୨୦୨୩ ଡିସେମ୍ବର ୩୧ ଶେଷ ସୁଦ୍ଧା ରହିଥିବା ଏହି ସବୁ ମାମଲାଗୁଡିକୁ ପ୍ରାଥମିକତା ଭିତ୍ତିରେ ଫଏସଲା କରିବା ପାଇଁ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ କଣ ପଦକ୍ଷେପ ଗ୍ରହଣ କରାଯାଉଛି ସେ ନେଇ ସତ୍ୟପାଠ ଦାଖଲ କରିବାକୁ ସରକାରୀ ଓକିଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ସୁପ୍ରିମକୋର୍ଟ ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର ମାମଲାର ଶୁଣାଣି କରି ୨୦୨୩ ନଭେମ୍ବର ୯ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଆଧାରରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ମାମଲା ଗୁଡ଼ିକର ତ୍ବିରତ ଫଏସଲା ପ୍ରସଂଗ ତଦାରଖ ପାଇଁ ହାଇକୋର୍ଟ ନିଜ ଆଡ଼ୁ ଏହି ମାମଲା ରୁଜୁ କରିଥିଲେ। ଗତ ଡିସେମ୍ବର ୧୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ସାଂସଦ ଓ ବିଧାୟକଙ୍କ ବିରୋଧରେ ନୂଆକରି ରୁଜୁ ହେଉଥିବା ମାମଲା, ଫଏସଲା ହେଉଥିବା ମାମଲା ଓ ବିଚାରାଧୀନ ମାମଲାର ତଥ୍ୟ ପ୍ରତି ମାସର ୩ ତାରିଖ ସୁଦ୍ଧା ଦାଖଲ ପାଇଁ ସବୁ ଜିଲ୍ଲା ଜଜ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୃତ୍ୟୁଦଣ୍ଡ ଓ ଆଜୀବନ କରାଦଣ୍ଡ ସଂପର୍କିତ ମାମଲା ଗୁଡ଼ିକୁ ପ୍ରଥମେ ଗୁରୁତ୍ବ ଦିଆଯିବ। ଏହାପରେ ୫ ବର୍ଷ ବା ତା ଠାରୁ ଅଧିକ ଜେଲଦଣ୍ଡ ଥିବା ମାମଲା ଓ ତା ପରେ ଅନ୍ୟ ମାମଲା ଗୁଡ଼ିକର ଶୁଣାଣି କରାଯିବ। ସ୍ବତନ୍ତ୍ର ଅଦାଲତ (ଡେଜିନେଟେଡ୍ କୋର୍ଟ) ଏହି ସବୁ ମାମଲାର ତ୍ବରିତ ଶୁଣାଣି କରିବେ। ଶୁଣାଣି ଘୁଞ୍ଚାଇବା ପାଇଁ କେବଳ ବିଶେଷ ପରିସ୍ଥିତିରେ ଅନୁମତି ଦିଆଯିବ। ସ୍ବତନ୍ତ୍ର ଅଦାଲତ ଗୁଡ଼ିକୁ ଆବଶ୍ୟକ ଭିତ୍ତଭୂମି ପ୍ରଦାନ ପ୍ରସଂଗ ଜିଲ୍ଲା ଜଜ୍ ସୁନିଶ୍ଚିତ କରିବେ। ଏଥିସହିତ କୋର୍ଟ ୱେବ୍‌ସାଇଟରେ ସ୍ବତନ୍ତ୍ର ଟ୍ୟାବ୍ ତିଆରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ସ୍ବତନ୍ତ୍ର ଟ୍ୟାବ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ୩୦ଟି ଜିଲ୍ଲାରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ମୋଟ ୪୨୩ଟି ମାମଲା ବିଚାରାଧୀନ ରହିଛି। ସାଂସଦ/ବିଧାୟକଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୬ଟି ମାମଲା ବିଚାରାଧୀନ ରହିଛି। ଏହି କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ଥିବା ସମ୍ବଲପୁର ଜିଲ୍ଲାରେ ୫୩ଟି ଓ ତୃତୀୟ ସ୍ଥାନରେ ରହିଥିବା ଗଞ୍ଜାମ ଜିଲ୍ଲାରେ ୫୧ଟି ମାମଲା ସାଂସଦ/ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଛି। ଅନୁଗୁଳରେ ୨୭ଟି, ବାଲେଶ୍ବରରେ ୨୮ଟି, ବରଗଡ଼ରେ ଗୋଟିଏ, ବଲାଙ୍ଗୀରରେ ୨୬ଟି, କଟକରେ ୩୬ଟି, କଳାହାଣ୍ଡିରେ ଗୋଟିଏ, କୋରାପୁଟରେ ୪୮ଟି, ମୟୂରଭଞ୍ଜରେ ୨୪ଟି, ସୋନପୁରରେ ଗୋଟିଏ, ସୁନ୍ଦରଗଡ଼ରେ ୪୧ଟି ମାମଲା ସାଂସଦ/ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଛି। ଅନ୍ୟଜିଲ୍ଲାରେ ସାଂସଦ/ବିଧାୟକଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ବିଚାରାଧୀନ ନାହିଁ। ସରକାରଙ୍କ ତରଫରୁ ସରକାରୀ ଓକିଲ (ଜିଏ) ଜ୍ୟୋତିପ୍ରକାଶ ପଟ୍ଟନାୟକ ଏହି ମାମଲା ପରିଚାଳନା କରୁଛନ୍ତି।