ଧରା ପଡ଼ୁ ନାହାନ୍ତି ଠକ: ୩୩୫ ‘୪୨୦’ ଅଭିଯୁକ୍ତ ଫେରାର, ରିପୋର୍ଟ ଦେବାରେ ‘ହ୍ୟାଣ୍ଡରାଇଟିଂ ବ୍ୟୁରୋ’ ବିଫଳ

କଟକ : କଟକ କମିସନରେଟ୍‌ ପୁଲିସ ଅଞ୍ଚଳରେ ଧରା ପଡ଼ୁ ନାହାନ୍ତି ଠକ। ସେମାନଙ୍କ ଜାଲିଆତି ସଂପର୍କୀତ ହସ୍ତାକ୍ଷର ଯାଞ୍ଚ ପାଇଁ ହ୍ୟାଣ୍ଟରାଇଟିଂ ବ୍ୟୁରୋକୁ ଯାଉଥିଲେ ବି ବ୍ୟୁରୋ ପକ୍ଷରୁ ଉକ୍ତ ରିପୋର୍ଟ ଠିକ୍‌ ସମୟରେ ଥାନା ପୁଲିସକୁ ମିଳୁ ନାହିଁ। ଫଳରେ ଠକଙ୍କୁ ଧରା ଯାଇ ପାରୁ ନଥିବା ବେଳେ ଗଲା ୧୦ ବର୍ଷ ଭିତରେ ୩୩୫ଟି ଠକେଇ ମାମଲାର ଫଇସଲା ହୋଇ ପାରୁନି। ମାମଲାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଇତିମଧ୍ୟରେ କଟକ ଡିସିପି ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଥିବା ସୂଚନା ମିଳିଛି।

୨୦୦୮ ଜାନୁଆରି ୧ ତାରିଖରେ କମିସନରେଟ୍‌ ପୁଲିସ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରଠାରୁ ଏହି ଠକେଇ ମାମଲା ସଂଖ୍ୟା ୩୩୫ରେ ପହଞ୍ଚିଛି। ଏଟିଏମ୍‌ କାର୍ଡ ବଦଳାଇ ଠକିବା, ବ୍ୟାଙ୍କ ଜମା ଖାତାରୁ ଟଙ୍କା ଠକିନେବା, ସହରରେ ସୁଲଭ ମୂଲ୍ୟରେ ଜମି ଯୋଗାଇବାର ଲୋଭ ଦେଖାଇ ଠକିବା, ଘରୋଇ ବା ସରକାରୀ ସଂସ୍ଥାରେ ନିଯୁକ୍ତି ପ୍ରଦାନର ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକି ନେବା ଭଳି ଘଟଣା ବଢି ଚାଲିଛି। କମିସନରେଟ୍‌ ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ମୋଟ ୧୭ଟି ଥାନାରେ ୨୦୧୧ ମସିହାରେ ୪୨ଟି, ୨୦୧୨ରେ ୮୦ଟି, ୨୦୧୩ରେ ୧୨୫ଟି, ୨୦୧୪ରେ ୧୫୭, ୨୦୧୫ରେ ୨୧୬, ୨୦୧୬ରେ ୧୫୬, ୨୦୧୭ରେ ୧୯୧ଟି ଠକେଇ ମାମଲା ରୁଜୁ ହୋଇଛି। କମିସନରେଟ୍‌ ପୁଲିସ କାର୍ଯ୍ୟକାରୀ ହେବା ଦିନରୁ ୨୦୧୮ ମେ’ ମାସ ସୁଦ୍ଧା ଅଧିକ ସଂଖ୍ୟାରେ ଠକେଇ ମାମଲା ପଡ଼ିରହିଥିବା ଥାନା ଭିତରେ ପ୍ରଥମ ସ୍ଥାନରେ ରହିଛି ବାଦାମବାଡ଼ି। ଏହି ଥାନାରେ ମୋଟ ୬୪ଟି ମାମଲା ପଡ଼ି ରହିଛି। ଦ୍ୱିତୀୟରେ ସଦର ଥାନାରେ ୩୫ଟି ମାମଲା ରହିଛି। ତୃତୀୟରେ ଥିବା ଜଗତପୁର ଥାନାରେ ୩୨ଟି ମାମଲା ପଡ଼ିରହିଛି। ପରକୁ ପର ଚୌଦ୍ୱାର ଥାନାରେ ୨୯ଟି ମାମଲା, ଚାଉଳିଆଗଞ୍ଜ ଥାନାରେ ୨୭ଟି, ମାଲ୍‌ଗୋଦାମ ଓ ମଙ୍ଗଳାବାଗରେ ୨୪ଟି ଲେଖାଏ ମାମଲା, ଲାଲବାଗରେ ୨୨ଟି ମାମଲା, ପୁରୀଘାଟରେ ୧୮ଟି, ମଧୁପାଟଣାରେ ୧୬ଟି, ମର୍କତନଗରରେ ୧୫ଟି, ବାରଙ୍ଗ, ବିଡ଼ାନାସୀ ଓ କ୍ୟାଣ୍ଟନ୍‌ମେଣ୍ଟ ଥାନାରେ ୮ଟି ଲେଖାଏ, ଦରଘାବଜାରରେ ୩ଟି, ସିିଡିଏ ଫେଜ୍‌-୨ ଓ କନ୍ଦରପୁର ଥାନାରେ ଗୋଟିଏ ଲେଖାଏ ମାମଲା ବର୍ତ୍ତମାନ ସୁଦ୍ଧା ପଡ଼ି ରହିଛି। ଠକମାନେ ଜାଲିଆତି କରି ନକଲି ପରିଚୟପତ୍ର ବ୍ୟବହାର କରୁଥିବାରୁ ପୁଲିସ ସେମାନଙ୍କୁ ଠାବ କରିବାରେ ସମସ୍ୟାରେ ପଡ଼ୁଛି। ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଜାଲ୍‌ ଦସ୍ତଖତ କିମ୍ବା କାଗଜପତ୍ରରେ ଥିବା ଅକ୍ଷର ମେଳ ଖାଇବାକୁ ପଠାଯାଉଛି। କିନ୍ତୁ ରିପୋର୍ଟଗୁଡ଼ିକ ବର୍ଷାଧିକ କାଳ ବ୍ୟୁରୋରେ ଅଟକି ରହୁଛି।

ଡିସିପି ଅଖିଳେଶ୍ୱର ସିଂହଙ୍କ କହିବା ଅନୁଯାୟୀ, ଅନେକ ମାମଲାରେ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ସେମାନେ ଧରାପଡ଼ୁନାହାନ୍ତି। ଜାଲିଆତି ହୋଇଥିବା କାଗଜପତ୍ରର ସତ୍ୟତା ଜାଣିବା ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି। କିନ୍ତୁ ବ୍ୟୁରୋରୁ ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସିପାରି ନାହିଁ। ଏବେ ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖାଯାଇ ତଦନ୍ତକାରୀ ଅଧିକାରୀଙ୍କୁ ସର୍ବାଧିକ ୩ ମାସ ସମୟ ଦିଆଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ମାମଲା ବନ୍ଦ କରିବା ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର