ସମ୍ବଲପୁର : ଗତ କିଛି ଦିନ ହେବ ବୁର୍ଲା ସହରରେ ଆଇନ୍ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ବୁର୍ଲା ସହରରେ ଲୁଟ୍, ଚୋରି, ଡକାୟତି, ହତ୍ୟା ଉଦ୍ୟମ ଭଳି ଘଟଣା ସାଧାରଣ କଥା ପାଲଟିଗଲାଣି। ଏଭଳି ସ୍ଥିତିରେ ଶନିବାର ବିଳମ୍ବିତ ରାତିରେ ସହରର ବୋର୍ଡ କଲୋନିରେ ରହୁଥିବା ସୁଶାନ୍ତ ଜେନାଙ୍କ ଗାଡ଼ି ଭାଙ୍ଗି ୨ ଜଣ ଦୁର୍ବୃତ୍ତ ବ୍ୟାଟେରି ଚୋରି କରି ନେଇଯାଇଥିଲେ। ତେବେ ଚୋରମାନେ ଯାଉଥିବା ଦେଖି ସେଠାରେ ନିୟୋଜିତ ୪ ଜଣ ପୁଲିସ୍ କର୍ମୀ ସେମାନଙ୍କୁ ଅଟକାଇବାକୁ ଯାଇଥିଲେ। ମାତ୍ର ଚୋରମାନେ ପୁଲିସ୍କୁ ନିସ୍ତୁକ ମାଡ଼ ମାରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଏନେଇ ବୁର୍ଲା ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। କିଛି ଦିନ ହେବ ସହରରେ ଅପରାଧ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ସମୟରେ ଶନିବାରର ଘଟଣା ପରେ ପୁଣି ପୁଲିସ୍ର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ତେବେ ଅଭିଯୁକ୍ତଙ୍କୁ ଧରିବାକୁ ଯିବା ସମୟରେ ବେଳେ ବେଳେ ମୁହାଁମୁହିଁ ସ୍ଥିତି ଉପୁଜିଥାଏ ଓ ଏହା ଏକ ସ୍ବଭାବିକ ଘଟଣା ବୋଲି ବୁର୍ଲା ପୁଲିସ୍ ପକ୍ଷରୁ କୁହାଯାଇଛି।
ନିତିଦିନ ବୁର୍ଲା ସହରର ଗଳିକନ୍ଦିରେ ଚୋରି, ଡକାୟତି ଭଳି ଘଟଣା ସାମ୍ନାକୁ ଆସୁଛି। ନିକଟରେ ହୋଇଥିବା ଡବଲ ମର୍ଡର ଘଟଣାରେ ପୁଲିସ୍ ଅଦ୍ୟାବଧି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସମୟରେ ଏହା ପୂର୍ବରୁ ମହତାବନଗରରେ ହୋଇଥିବା ଛୁରାମାଡ଼, କେନାଲ କଡ଼ରୁ ହୋଇଥିବା ୪ରୁ ଅଧିକ ଲୁଟ୍ ଘଟଣାରେ ପୁଲିସ୍ ହାତ ଖାଲି ରହିଛି। ବୁର୍ଲା ସହର ଅପରାଧୀଙ୍କ ଚରାଭୂଇଁ ପାଲଟିଯାଇଥିବାରୁ ଲୋକେ ମଧ୍ୟ ଅତିଷ୍ଟ ହୋଇଗଲେଣି। ଲୋକେ ଦାବି କରିବା ପରେ ଗତ ସପ୍ତାହରେ ବୁର୍ଲା ପୁଲିସ୍ ୪ ଜଣ ହୋମ୍ଗାର୍ଡଙ୍କୁ ବୋର୍ଡ କଲୋନିରେ ଡ୍ୟୁଟି ଦେଇଥିଲା। ମାତ୍ର ସେମାନଙ୍କୁ ଚୋରମାନେ ମାଡ଼ ମାରି ଫେରାର୍ ହୋଇଯିବା ପରେ ପୁଲିସ୍ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି। ଏନେଇ ରବିବାର ପୁଣିଥରେ ବୁର୍ଲା ସହରର ବୁଦ୍ଧିଜୀବୀମାନେ ଥାନା ଘେରାଉ କରିବା ସହ ଅପରାଧ ଦମନ ନେଇ ପୁଲିସ୍ ତତ୍ପର ହେବାକୁ ଦାବି କରିଛନ୍ତି।
୨୦ ଟଙ୍କାରେ ପେନ୍ଡ୍ରାଇଭ୍, ୫ ଶହ ଟଙ୍କାରେ ବଡ଼ ବ୍ୟାଟେରି
ବୁର୍ଲା ସହରରେ ଚୋରି ଡକାୟତି ଘଟଣା ବଢ଼ି ଚାଲିଥିବା ସମୟରେ ଏହା ପଛରେ ନିଶା କାରବାର ହିଁ ମୁଖ୍ୟତଃ ଦାୟୀ ବୋଲି ଲୋକେ ଅଭିଯୋଗ କରିଛନ୍ତି। ନିତିଦିନ ସହରରେ ଏକାଧିକ ଚୋରି ଘଟଣା ଘଟୁଥିବା ନେଇ ଅଭିଯୋଗ ହେଉଛି। ସେପଟେ, ଚୋରମାନେ ସହରରେ ଖୋଲାଖୋଲି ଭାବେ ଏହି ଚୋରି ସାମଗ୍ରୀ ମଧ୍ୟ ବିକ୍ରି କରୁଥିବା ଘଟଣା ସାମ୍ନାକୁ ଆସିଛି। ଚୋରି ହୋଇଥିବା ୧୬ ଜିବି ବିଶିଷ୍ଠ ପେନ୍ଡ୍ରାଇଭ୍ ମାତ୍ର ୨୦ ଟଙ୍କାରେ, ୧୦ ହଜାର ଟଙ୍କାର ବଡ଼ ବ୍ୟାଟେରି ୫ଶହ ଟଙ୍କାରେ ବିକ୍ରି କରାଯାଉଛି। ଏହି ଚୋରି ଘଟଣାରେ ବିଶେଷକରି ନାବାଳକମାନେ ଏହି ଚୋରି ଓ ଲୁଟ୍ରେ ସମ୍ପୃକ୍ତ ରହୁଥିବା ସମୟରେ କେବଳ କୋରେକ୍ସ, ଗଞ୍ଜେଇ ପାଇଁ ହିଁ ଏଭଳି ଅପରାଧ ହେଉଥିବା ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/loot-2.jpg)