ଅପରାଧୀ ଚଗଲାକୁ ଏନ୍‌କାଉଣ୍ଟର ମାମଲା : ରାଜ୍ୟ ମାନବାଧିକାର କମିସନ୍‌ରେ ପିଟିସନ୍‌, ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦେଶ

ଭୁବନେଶ୍ୱର : କଟକ ନିଆଳି ଥାନା ଅଧୀନ ରାଣୀଓଳା ଅଞ୍ଚଳର ଦୁର୍ଦାନ୍ତ ଅପରାଧୀ ଚଗଲା ମଲ୍ଲିକକୁ ନୟାଗଡ଼ରେ ଏନ୍‌କାଉଣ୍ଟର୍‌ ଘଟଣାରେ ରାଜ୍ୟ ମାନବାଧିକାର କମିସନ୍‌ଙ୍କ ନିକଟରେ ପିଟିସନ୍‌ ଦାଖଲ ହୋଇଛି। କମିସନ୍‌ ଏହି ପିଟିସନ୍‌କୁ ଗ୍ରହଣ କରି କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ଓ କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କୁ ୬ ସପ୍ତାହ ମଧ୍ୟରେ ପୃଥକ ପୃଥକ ଭାବେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।

ଚଳିତ ମାସ ୫ ତାରିଖ ମଧ୍ୟ ରାତିରେ ନୟାଗଡ଼ ଟାଉନ୍‌ ପୁଲିସ ଚଗଲାକୁ ଏନକାଉଣ୍ଟର୍‌ କରିଥିଲା। ପ୍ରଥମେ ଚଗଲାକୁ ନୟାଗଡ଼ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଥିଲା। ତେବେ କଟକରେ ଚଗଲାକୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ପକ୍ଷରୁ କୁହାଯାଇଥିଲା କି ଚଗଲା ଜଣେ ଦୁର୍ଦାନ୍ତ ଅପରାଧୀ। ତା ବିରୋଧରେ ଏକାଧିକ ସଂଗିନ ମାମଲା ରହିଛି। ଘଟଣା ରାତିରେ ପୁଲିସ ତାକୁ ଗିରଫ କରିବାକୁ ଉଦ୍ୟମ କରିବାବେଳେ ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପୁଲିସ ଜୀବନରକ୍ଷା କରିବାକୁ ଯାଇ ପାଲଟାଗୁଳି ଚଳାଇଥିଲା। ଚଗଲାର ଦୁଇ ଗୋଡ଼ରେ ପୁଲିସର ଗୁଳି ବାଜିଥିଲା।

ତେବେ ଚଗଲାର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ତାଙ୍କ ପରିବାର ଲୋକ। ପରିବାର ଲୋକ ଅଭିଯୋଗ କରିଛନ୍ତି କି ଦୁଇ ଦିନ ତଳୁ ଚଗଲାକୁ ପୁଲିସ ଘରୁ ଉଠାଇ ଆଣିଥିଲା। ପରେ ତାକୁ ଏନ୍‌କାଉଣ୍ଟର୍‌ କରାଯାଇଥିଲା। ଏ ନେଇ ଆଜି ମାନବାଧିକାର କର୍ମୀ ବିଶ୍ୱପି୍ରୟ କାନୁନ୍‌ଗୋ ରାଜ୍ୟ ମାନବାଧିକାର କମିସନ୍‌ଙ୍କ ନିକଟରେ ପିଟିସନ୍‌ ଦାଖଲ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ହେବା ସହିତ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଚଗଲାଙ୍କ ପରିବାରକୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କରିବାକୁ ପିଟିସନ୍‌ରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର