ପୁରୀରେ ଏନ୍‌କାଉଣ୍ଟର : ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଦିବାନା ଘାଇଲା

ପୁରୀ : ପୁରୀର ଦୁର୍ଦ୍ଦାନ୍ତ ଅପରାଧୀ ଦିବାନା ବେହେରା (୨୮)କୁ ଏନ୍‌କାଉଣ୍ଟର କରିଛି ବାସେଳି ସାହି ଥାନା ପୁଲିସ। ପୁଲିସ ଗୁଳିରେ ଜଖମ ହୋଇ ଦିବାନା ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି। ତା’ ପାଖରୁ ଗୋଟିଏ ୯ ଏମ୍ଏମ୍ ପିସ୍ତଲ, ଗୋଟିଏ ଅଫୁଟା ଗୁଳି, ଖୋକା, ଗୋଟିଏ ମାଗାଜିନ୍ ସହିତ ସେ ବ୍ୟବହାର କରୁଥିବା ବାଇକ୍‌କୁ ଜବତ କରାଯାଇଛି। ଦିବାନାକୁ ଧରିବା ପାଇଁ ବାସେଳି ସାହି ଥାନା ଆଇଆଇସି ଦୌଡ଼ିବା ବେଳେ ଆହତ ହୋଇଛନ୍ତି। ଦିବାନା ନାଁରେ ପୁରୀ ଓ ଯାଜପୁର ଜିଲ୍ଲାରେ ପ୍ରାୟ ୨୫ଟି ଅପରାଧିକ ମାମଲା ରହିଛି। ବାସେଳି ଥାନା କେସ୍ ନଂ ୫୪/୧୯ ମାମଲାରେ ସେ ଫେରାର ଥିବା ବେଳେ ଗତକାଲି ରାତିରେ ତାକୁ ଏନ୍‌କାଉଣ୍ଟର କରିଥିଲା ପୁଲିସ।

ଦିବାନାର ଘର ପୁରୀ ଗୋଖା ସାହିରେ। ପୁଲିସ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର ଅପରାଧ ଘଟାଇବା ଚକକର୍‌ରେ ଥିଲା ଦିବାନା। ରାତି ପ୍ରାୟ ୨ଟା ସମୟରେ ବାସେଳି ସାହି ଥାନା ଆଇଆଇସି ଜୀବନାନନ୍ଦ ଜେନା ଏବଂ କୁମ୍ଭାରପଡ଼ା ଥାନା ଆଇଆଇସି କୁଳମଣି ସେଠୀ ଏକାଠି ପାଟ୍ରୋଲିଂ କରୁଥିଲେ। ଖବର ଆସିଥିଲା ଦିବାନା ଆଶ୍ରମ ଛକ ଆଡ଼କୁ ଯାଉଛି। ପୁଲିସ ପାଟ୍ରୋଲିଂ ଜିପ୍ ତାର ପିଛା କରିଥିଲା। ଆଶ୍ରମ ଛକ ପାଖରେ ଦିବାନାକୁ ଦେଖି ପୁଲିସ ଅଟକାଇବାକୁ ଚେଷ୍ଟା କରିବାରୁ ସେ ବାଇକ୍ ଛାଡ଼ି ଦୌଡ଼ିଥିଲା। ତାକୁ ଧରିବା ପାଇଁ ଦୁଇ ଥାନା ଆଇଆଇସିଙ୍କ ସହିତ କିଛି ପୁଲିସ ଷ୍ଟାଫ୍‌ ଗୋଡ଼ାଇଥିଲେ। ଏହି ସମୟରେ ଦିବାନା ନିଜ ଅଣ୍ଟାରୁ ପିସ୍ତଲ କାଢି ପୁଲିସ ଆଡକୁ ଗୁଳି ଚଳାଇବାରୁ ବାସେଳି ସାହି ଥାନା ଆଇଆଇସି ଶ୍ରୀ ଜେନା ପାଲଟା ଗୁଳି କରିଥିଲେ। ଡାହାଣ ଆଣ୍ଠୁରେ ଗୁଳି ବାଜିବାରୁ ଦିବାନା ସେଇଠି ରକ୍ତାକ୍ତ ଅବସ୍ଥାରେ ଟଳି ପଡ଼ିଥିଲା।

ଦିବାନା ବାସେଳି ସାହି ଥାନାର ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀ। ଡକାୟତି, ହତ୍ୟା ଉଦ୍ୟମ, ଦାଦାବଟି ଭଳି ଏକାଧିକ ସଙ୍ଗିନ ଅପରାଧରେ ସେ ସଂପୃକ୍ତ। ଗତକାଲି ପୁଲିସ ଉପରକୁ ଗୁଳି କରିଥିବାରୁ କୁମ୍ଭାରପଡ଼ା ଥାନା କେସ୍‌ ନଂ ୧୮୬/୨୦୧୯ରେ ଆଉ ଏକ ମାମଲା ତା ନାଁରେ ରୁଜୁ ହୋଇଛି। ବାସେଳି ସାହି ଥାନା ଆଇଆଇସିଙ୍କ ଅଭିଯୋଗ ଉପରେ ଏହି ମାମଲା ରୁଜୁ ହୋଇଛି ବୋଲି ସିଟି ଡିଏସ୍‌ପି କ୍ଷୀରସାଗର ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର