ବର୍ଦ୍ଦିରେ ଅପରାଧୀ! ୮ ବର୍ଷରେ ୪୦୬ ମାମଲା, ଜଣେ ବି ହୋଇ ନାହାନ୍ତି ‌ଦୋଷୀ

କଟକ : ରାଜ୍ୟରେ ବଢୁଛି ଖାକି ବର୍ଦ୍ଦି ପିନ୍ଧା ଅପରାଧୀଙ୍କ ସଂଖ୍ୟା। ଖାକି ପୋଷାକ ପିନ୍ଧି ଡ୍ୟୁଟିରେ ଥିବା ବେଳେ ମନ୍ତ୍ରୀ ନବ ଦାସଙ୍କୁ ସର୍ଭିସ୍ ପିସ୍ତଲରୁ ଗୁଳି କରି ହତ୍ୟା କରିଥିବା ପୁଲିସ ଏଏସଆଇ ଗୋପାଳ ଦାସର ନାଁ ଏହି ତାଲିକାରେ ଯୋଡ଼ି ହେଇଛି। ରାଜ୍ୟରେ ଗଲା ୮ ବର୍ଷ ଭିତରେ ପୁଲିସ ବାବୁଙ୍କ ବିରୋଧରେ ୪୦୬ଟି ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ହତ୍ୟା ଭଳି ସଂଗିନ ଅଭିଯୋଗ ବି ରହିଛି। କିନ୍ତୁ ଏଯାଏ ଜଣେ ବି ପୁଲିସ ବାବୁଙ୍କୁ ଅଦାଲତରେ ଦୋଷୀ ସାବ୍ୟସ୍ତ କରାଯାଇନାହିଁ। ଏଭଳି ସ୍ଥିତିରେ ଗୋପାଳ ଦାସକୁ ନେଇ ଆଗକୁ କଣ ହେବ, ତାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି।

ତଥ୍ୟ ଅନୁଯାୟୀ, ୨୦୨୧ରେ ଓଡ଼ିଶା ପୁଲିସରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ୫୯ଟି ଅପରାଧିକ ମାମଲା ରୁଜୁ ହୋଇଥିଲା। ମାତ୍ର ସେଥିରୁ ୧୭ଟି ଘଟଣାରେ ଚାର୍ଜସିଟ୍ ଓ ୩ଟି ଚୂଡ଼ାନ୍ତ ରିପୋର୍ଟ ଦିଆଯାଇଥିବା ବେଳେ ୪ ଜଣ ପୁଲିସ ବାବୁ ଗିରଫ ହୋଇଛନ୍ତି। ସେହିଭଳି ୨୦୨୦ରେ ୭୩ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ ୧୦ଟି ମାମଲାରେ ଚାର୍ଜସିଟ୍ ହୋଇଛି ଏବଂ କେବଳ ଗୋଟିଏ ମାମଲାରେ ଚୂଡ଼ାନ୍ତ ରିପୋର୍ଟ ଦିଆଯାଇଛି। ସେଥିରେ ୧୩ ଜଣ ପୁଲିସ ବାବୁଙ୍କୁ ଗିରଫ କରାଯାଇଛି। ୨୦୧୯ରେ ୫୨ଟି ମାମଲା ରୁଜୁ ହୋଇଥିବା ବେଳେ ୪ଟି ମାମଲାରେ ଚାର୍ଜସିଟ୍ ହୋଇଥିଲା। କିନ୍ତୁ ସେଥିରେ କେହି ଗିରଫ ହୋଇ ନାହାନ୍ତି। ୨୦୧୮ରେ ୧୯ଟି ମାମଲା ରୁଜୁ ହେବା ସହିତ ଗୋଟିଏରେ ଚାର୍ଜସିଟ ହୋଇଥିଲା ଏବଂ ୪ଟିର ଫାଇନାଲ୍ ରିପୋର୍ଟ ଦାଖଲ ହୋଇଛି। ସେଥିରେ ୪ ଜଣଙ୍କୁ ଗିରଫ କରାଯାଇଛି। କେହି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ୨୦୧୭ରେ ୪୪ଟି ମାମଲା ରୁଜୁ ହୋଇଥିବା ବେଳେ ୨୩ଟିରେ ଚାର୍ଜସିଟ୍ ଓ ୧୮ଟିରେ ଫାଇନାଲ୍ ରିପୋର୍ଟ ଦାଖଲ ହୋଇଛି। କିନ୍ତୁ କେହି ଗିରଫ ହୋଇନାହାନ୍ତି। ୨୦୧୬ରେ ୬୪ଟି ମାମଲା ହୋଇଥିବା ବେଳେ ୩୫ ଜଣ ଗିରଫ ହୋଇଥିଲେ। ୨୮ଟିରେ ଚାର୍ଜସିଟ୍ ହୋଇଥିଲା। କିନ୍ତୁ କେହି ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି। ୨୦୧୫ରେ ୯୫ଟି ମାମଲା ରୁଜୁ ହୋଇଥିଲା। ମାତ୍ର ୩୯ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ୫୫ ଜଣ ଗିରଫ ହୋଇଥିଲେ। ୨ଟି ମାମଲାରେ ବିଚାର ଶେଷ ହୋଇଛି। କିନ୍ତୁ ସେଥିରେ ବି ଦୁଇ ଜଣ ପୁଲିସ ବାବୁ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

 

ଏ ସଂପର୍କରେ ହାଇକୋର୍ଟର ଆଇନଜୀବୀ ଧରଣୀଧର ନାୟକ କହିଛନ୍ତି ଯେ ପୁଲିସ ଯେତେବେଳେ ଅପରାଧ ଘଟାଉଛି, ସେତେବେଳେ ସିଏ ଆଉ ପୁଲିସ ନୁହେଁ ଅପରାଧୀ ହେଇଯାଉଛି। ତେଣୁ ଓଡ଼ିଶା ପୁଲିସ ବିରୋଧରେ ଆସୁଥିବା ସମ୍ବେଦନଶୀଳ ମାମଲାର ତଦନ୍ତ ସିବିଆଇ ଦ୍ବାରା କରାଗଲେ ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଆସିପାରିବ। ପୁଲିସ ନିଜେ ପୁଲିସ ବିରୋଧରେ ତଦନ୍ତ କଲାବେଳେ ସାକ୍ଷୀଙ୍କୁ ସିଆରପିସିର ଧାରା ୧୬୧ରେ ବୟାନ ରେକର୍ଡ ଠିକ୍ ଭାବେ କରୁନାହିଁ। ଚାର୍ଜସିଟ୍‌ରେ ଜବତ ତାଲିକା ସମ୍ପର୍କରେ ପୁଲିସ ସ୍ପଷ୍ଟ କରୁନାହିଁ। ଯାହା ଫଳରେ ଅଭିଯୁକ୍ତ ପୁଲିସ ଅଦାଲତରେ ପ୍ରମାଣ ଅଭାବରୁ ଦୋଷୀ ସାବ୍ୟସ୍ତ ହୋଇପାରୁ ନାହିଁ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର