ଚୌଦ୍ୱାରରେ ଦୁଇ ଦିନରେ ଦୁଇ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଲୁଟେରା ମୁନା ଦେହୁରୀ ଆହତ

ଚୌଦ୍ବାର : ଚୌଦ୍ବାର ପୁଲିସ୍‌ ଲଗାତର ଦୁଇ ଦିନରେ ଦୁଇ ଦୁର୍ଦ୍ଦାନ୍ତ ଲୁଟେରାଙ୍କୁ କାବୁ କରିଛି। ପୁଲିସ ଗୁଳିରେ ଗତକାଲି ଭଳି ଆଜି ବି ଜଣେ ଦୁର୍ଦ୍ଦାନ୍ତ ଲୁଟେରା ଆହତ ହୋଇଛି। ପୁଲିସର ଏଭଳି ପଦକ୍ଷେପ ଅପରାଧୀ ମହଲରେ ଆତଙ୍କ ସୃଷ୍ଟି କରିଛି।

ଗତକାଲି ପୁଲିସ ଏନ୍‌କାଉଣ୍ଟରର ଶିକାର ହୋଇଥିବା ଜିତୁ ଓରଫ ଅଜୟ ସାହୁ ଏବଂ ଆଜି ପୁଲିସ ଏନ୍‌କାଉଣ୍ଟରର ଶିକାର ମୁନା ଦେହୁରୀ ଗୋଟିଏ ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡ଼ିଛି। ଏହି ଗ୍ୟାଙ୍ଗ୍ ଜାତୀୟ ରାଜପଥରେ ଆତଙ୍କ ସୃଷ୍ଟି କରି ନିରୀହଲୋକମାନଙ୍କୁ ଲୁଟ୍ କରିବା ସହ ଆକ୍ରମଣ କରିବାକୁ ପଛାଉ ନଥିଲେ।

ଜିତୁଠାରୁ ମିଳିଥିବା ସୂଚନା ଆଧାରରେ ପୁଲିସ ଆଜି ତା’ର ସହଯୋଗୀ ମୁନାକୁ ଧରିବାକୁ ପଦକ୍ଷେପ ନେଇଥିଲା। ଢେଙ୍କାନାଳ ସଦର ଥାନା ଗୁଣ୍ତିଚାପୁର କଙ୍କଡ଼ାହାଡ଼ ବାସିନ୍ଦା ମୁନା ଦେହୁରୀ (୨୪)କୁ ଆଜି ଭୋର ସାଢେ଼ ୪ଟା ସମୟରେ ନୂଆପାଟଣା ରାସ୍ତାରେ ଧରିବାକୁ ପୁଲିସ ଉଦ୍ୟମ କରିଥିଲା। ମୁନା ପୁଲିସ୍‌ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କଲାବେଳେ ପୁଲିସ୍‌ ଗୁଳି ଚଳାଇବାରୁ ଗୋଟିଏ ଗୁଳି ମୁନା ଗୋଡରେ ବାଜି ଥିଲା। ମୁନା ନିକଟରୁ ପୁଲିସ୍‌ ୯ଏମ୍ଏମ୍ ପିସ୍ତଲ, ଗୋଟିଏ ମାଗାଜିନ୍ ସହ ଜୀବନ୍ତ ଗୁଳି, ଦୁଇଟି କାଟ୍ରିଜ୍, ଏକ କଳା ରଂଗର ବଜାଜ ସିଟି ୧୦୦ ବାଇକ ଜବତ କରାଯାଇଛି।

ଏହି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗର ୨ ଜଣ ଧରା ପଡିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରା ଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର