କେନ୍ଦ୍ରାପଡ଼ାରେ ପୁଣି ଏନ୍‌କାଉଣ୍ଟର : ଅପରାଧୀ ଲିଟୁ ଦାସ ଆହତ

ମାର୍ଶାଘାଇ : କିଛିଦିନ ତଳେ କେନ୍ଦ୍ରାପଡ଼ା ପୁଲିସର ଏନ୍‌କାଉଣ୍ଟର ଘଟଣା ମନରୁ ନ ଲିଭୁଣି ଆଜି ପୁଣି କେନ୍ଦ୍ରାପଡ଼ା ପୁଲିସ କରିଛି ଆଉ ଏକ ଏନକାଉଣ୍ଟର। ଏହି ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲିଟୁ ଦାସ ଓରଫ ଦେବୀ ପ୍ରସାଦ ଦାସ ଆହତ ହୋଇଛି। ଏହି ଘଟଣା ପରେ ସ୍ପେଶାଲ ସ୍କ୍ଵାର୍ଡ ପୁଲିସ ଓ ମାର୍ଶାଘାଇ ପୁଲିସକୁ ମିଳିଛି ବହୁତ ବଡ଼ ସଫଳତା।

ସୂଚନାନୁସାରେ, ଲିଟୁ ଦାସ ପୁଲିସ ଆଖିରେ ଧୁଳି ଦେଇ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବୌଦ୍ଧ ଗଡ଼ାର ତିଖିରୀ ରାସ୍ତାରେ ଖସି ପଳାଉଥିବା ବେଳେ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ଵାର୍ଡ ପୁଲିସ ଓ ମାର୍ଶାଘାଇ ପୁଲିସ ତାର ପିଛା କରିଥିଲେ। ହେଲେ ଲିଟୁ ଦାସ ପୁଲିସ ଉପରକୁ ପ୍ରଥମେ ଗୁଳି କରି ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ମାର୍ଶାଘାଇ ଆଇଆଇସିଙ୍କ ପାଲଟା ଆତ୍ମରକ୍ଷା ଗୁଳିରେ ଲିଟୁ ଦାସ ଆହତ ହୋଇଥିଲା। ଲିଟୁର ଡାହାଣ ଗୋଡରେ ଗୁଳି ବାଜିଛି। ଆହତ ଲିଟକୁ ପ୍ରଥମେ ମାର୍ଶାଘାଇ ମେଡିକାଲ ଏବଂ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଅଣାଯାଇଥିବା ଖବର ମିଳିଛି।

ଆହତ ଦୁର୍ଦ୍ଦାନ୍ତ ଅପରାଧୀ ଲିଟୁ ଦାସଠାରୁ ପୁଲିସ ଗୋଟିଏ ବନ୍ଧୁକ ସହିତ ସେ ବ୍ୟବହାର କରୁଥିବା ମଟରସାଇକେଲକୁ ପୁଲିସ ଜବତ କରିଛି। ଲିଟୁ ଦାସ ନାମରେ ବିଭିନ୍ନ ଭାବରେ ବହୁ ଅପରାଧିକ ମାମଲା ମଧ୍ୟ ରହିଛି।

ଲିଟୁର ଘର ମାର୍ଶାଘାଇ ଗରଜଙ୍ଗାରେ। ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି କରି ଖସିଯିବାକୁ ଚେଷ୍ଟା କରୁଥିଲା ବେଳେ ପୁଲିସ ୨ ରାଉଣ୍ଡ ଗୁଳିରେ ଆହତ ହୋଇଛି। ଗତ ୧୬ ତାରିଖରେ ସେ ସମଗୋଳ ଜେଲରେ ଥିଲା। ସେ ୧୦ ଦିନ ଆଗରୁ ଜେଲରୁ ବାହାରିଥିଲା। ଡି ଲିଙ୍ଗ ଧଳ ସାମନ୍ତ ଗ୍ୟାଙ୍ଗର ସେ ସଦସ୍ୟ ଥିଲା। ଗୋବରଗାଡ଼ିଆ ମାର୍ଶାଘାଇ ଥାନା କେସ୍‌ ନଂ ୩୨/୧୯ରେ ୩୦୭, ୨୫,୨୭ ଆର୍ମ ଆକ୍ଟରେ ତାକୁ ଖୋଜା ଚାଲିଥିଲା। ତା’ ନାମରେ ଅବିଭକ୍ତ କଟକ ଜିଲ୍ଲାରେ ପ୍ରାୟ ୧୦୦ କେସ୍‌ ଥିଲା।

ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖ ଦିନ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ଵାର୍ଡ ପୁଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗଣେଷ ମଲିକ ଆହତ ହୋଇଥିଲା। ସପ୍ତାହକ ମଧ୍ୟରେ କେନ୍ଦ୍ରାପଡ଼ା ପୁଲିସର ଏହା ଦ୍ୱିତୀୟ ଏନ୍‌କାଉଣ୍ଟର ଘଟଣା।

ସମ୍ବନ୍ଧିତ ଖବର