ଦୁର୍ଦ୍ଦାନ୍ତ ଅପରାଧୀକୁ ଗୁଳିମାଡ଼ : ଆହତ ଅବସ୍ଥାରେ କଟକରେ ଭର୍ତ୍ତି, ପିସ୍ତଲ, ବାଇକ୍, ଗୁଳି ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ : ମାତ୍ର ୬ ଦିନ ପରେ କେନ୍ଦ୍ରାପଡ଼ା ପୁଲିସ୍‌ର ବନ୍ଧୁକ ଗର୍ଜିଛି। ଦୁର୍ଦ୍ଦାନ୍ତ ଅପରାଧୀ ଦେବୀପ୍ରସାଦ ଦାସ ଓରଫ ଲିଟୁକୁ ଗୁଳିମାଡ଼ କରିଛି। ଲିଟୁର ଡାହାଣଗୋଡ଼ ଆଣ୍ଠୁରେ ଗୁଳି ବାଜିଥିବାବେଳେ ଗୁରୁତର ଅବସ୍ଥାରେ ତାକୁ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଲିଟୁ ନାଁରେ ୫୦ରୁ ଅଧିକ ମାମଲା ରହିିଥିବା ପୁଲିସ୍‌ କହିଛି।

ସୂଚନା ଅନୁସାରେ, ଅଭିଯୁକ୍ତ ଲିଟୁକୁ ଧରିବା ପାଇଁ ମାର୍ଶାଘାଇ ପୁଲିସ ଓ ‌‌ସ୍ପେଶାଲ ସ୍କ୍ବାଡ ପୁଲିସ୍‌ ଜାଲ ବିଛାଇଥିଲା। ରବିବାର ରାତି ପ୍ରାୟ ୩ଟା ବେଳେ ଲିଟୁ ବଉଦ-ତିଖିରୀ ରାସ୍ତାରେ ନିଜ ଗ୍ରାମକୁ ଫେରୁଥିବା ଖବର ପୁଲିସ ପାଟ୍ରୋଲିଂ ଟିମ୍‌ ପାଇଥିଲା। ତାକୁ ଧରିବା ପାଇଁ ଯିବାବେଳେ ଲିଟୁ ସିରିମପୁର କଲଭର୍ଟ ପାଖରେ ବସି ମଦ ପିଉଥିଲା। ପୁଲିସ୍‌ ତାକୁ ଧରିବାକୁ ଆସୁଥିବା ଦେଖି ଲିଟୁ ପୁଲିସ୍‌ ଉପରକୁ ଗୁଳି ଚଳାଇ ଖସିଯିବା ଉଦ୍ୟମ କରିଥିଲା। ସେ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ପୁଲିସ୍‌ ତା’ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା। ଗୋଟିଏ ଗୁଳି ଲିଟୁର ଡାହାଣ ଗୋଡ଼କୁ ଜଖମ କରି ଦେଇଥିଲା। ବାଇକରୁ ଖସିପଡ଼ି ଦୌଡ଼ି ପଳାଇବାକୁ ଉଦ୍ୟମ କଲା ବେଳେ ମାର୍ଶାଘାଇ ପୁଲିସ୍‌ ଟିମ୍‌ ତାକୁ କାବୁ କରି ନେଇଥିଲେ। ତାକୁ ତୁରନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ତା’ ଗୋଡ଼ରୁ ଗୁଳି ବାହାର କରାଯାଇ ନ ପାରିବାରୁ କଟକ ଏସ୍‌ସିବି ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ତା’ ପାଖରୁ ପିସ୍ତଲ ଓ ବାଇକ୍ ଜବତ କରାଯାଇଥିଲା। ଲିଟୁ ବିରୋଧରେ କେନ୍ଦ୍ରାପଡ଼ା ସମେତ ଜଗତସିଂହପୁର, କଟକ, ଯାଜପୁର, ବାଲେଶ୍ବର, ଭଦ୍ରକ ଆଦି ଜିଲ୍ଲାରେ ୫୦ରୁ ଅଧିକ ମାମଲା ଥିବା ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର