ଗୁଳିକାଣ୍ଡ ଘଟଣାରେ ପୁଲିସର ଏନ୍‌କାଉଣ୍ଟର

ତିନି ଥାନାରେ ୩ ମାମଲା, ବାଇକ୍‌, ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଜବତ

ପୁରୀ : ନରେନ୍ଦ୍ରକୋଣ ଆଇଟିଆଇ କଲେଜ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜୁକୁ ଆଜି ପୁଲିସ ଏନ୍‌କାଉଣ୍ଟର କରିଛି। ଆଜି ଅପରାହ୍ଣରେ ଚନ୍ଦନପୁର ଥାନା ଅଞ୍ଚଳରେ କୁମ୍ଭ‌ାରପଡ଼ା ଥାନା ପୁଲିସ ଏହି ଏନ୍‌କାଉଣ୍ଟର ‌ବେଳେ ଅଭିଯୁକ୍ତର ଆକ୍ରମଣରେ ପୁଲିସ ସବ୍‌-ଇନ୍‌ସ୍ପେକ୍ଟର ଦିବ୍ୟରଞ୍ଜନ ପଣ୍ଡା ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଗୋଖା ସାହିର ପୂର୍ବତନ ପୌର ସଦସ୍ୟା ସତ୍ୟଭାମା ବେହେରାଙ୍କ ପୁଅ ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରା ଓ ଚନ୍ଦନପୁର ଥାନା ଅନ୍ତର୍ଗତ ଉର ଗାଁର କାଳିଆ ମୁଦୁଲି ମିଶି ନରେନ୍ଦ୍ରକୋଣ ଆଇଟିଆଇ କଲେଜ୍‌ ପାଖରେ ରହୁଥିବା ଜିତେନ୍ଦ୍ର ସାହୁଙ୍କ ପତ୍ନୀ ଶକୁନ୍ତଳା ସାହୁଙ୍କୁ ଗୁଳି କରିଥିଲା। ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶକୁନ୍ତଳାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ସେଠାରେ ତାଙ୍କୁ ଆଶୁ ଚିକିତ୍ସା ସେବା ଯୋଗାଇବା ପରେ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ଏହି ଗୁଳିକାଣ୍ଡ ପରେ ବିଜୁ ଓ କାଳିଆ ଦୁହେଁ ମାଟିତୋଟାରେ ରହୁଥିବା ଯୁନି ବେହେରାଙ୍କ ଘରକୁ ଯାଇ ତାଙ୍କୁ ଏବଂ ତାଙ୍କ ପୁଅ କାର୍ତ୍ତିକ ବେହେରାଙ୍କୁ ମାରପିଟ୍‌ କରି ରକ୍ତାକ୍ତ କରିଦେଇଥିଲେ। ତେଣୁ ସେମାନେ ମଧ୍ୟ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

ଏହି ଦୁଇଟି ଘଟଣାକୁ ଏସ୍‌ପି କେ.ବିଶାଲ ସିଂହ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର ପଣ୍ଡାଙ୍କ ନେତୃତ୍ବରେ ସିଟି ଡିଏସ୍‌ପି, କୁମ୍ଭାରପଡ଼ା ଥାନା, ଚନ୍ଦନପୁର ଥାନା ଓ ବାସେଳି ସାହି ଥାନାର ଆଇଆଇସିମାନଙ୍କୁ ନେଇ ଚାରୋଟି ଟିମ୍‌ ଗଠନ କରିଥିଲେ। ପୁଲିସ ସନ୍ଦେହ କରି ବିଜୁର ଭାଇକୁ ଅଟକ ରଖି ଉଚରା ଚଳାଇଥିଲା। କିନ୍ତୁ ଅଭିଯୁକ୍ତ ବିଜୁ ଚନ୍ଦନପୁର ଥାନା ଅଞ୍ଚଳରେ ଆତ୍ମଗୋପନ କରିଥିବା ଖବର କୁମ୍ଭାରପଡ଼ା ଥାନା ଆଇଆଇସି ବିଚିତ୍ରାନନ୍ଦ ସେଠୀ ପାଇଥିଲେ। ମାତ୍ର ବିଜୁ ଓଲଟା ପୁଲିସକୁ ଦୁଇ ରାଉଣ୍ଟ ଫାଇରିଂ କରି ଖସିଯିବାକୁ ଉଦ୍ୟମ କରିଥିଲା। କିନ୍ତୁ ପୁଲିସ ବାଧ୍ୟ ହୋଇ ପାଲଟା ଜବାବରେ ତା’ର ବାମ ଗୋଡ଼କୁ ଏନ୍‌କାଉଣ୍ଟର କରିଥିଲା। ଏହି ଏନ୍‌କାଉଣ୍ଟରରେ ବିଜୁ ଗୁରୁତର ଆହତ ହୋଇଥିଲା। ଏସ୍ଆଇ ପଣ୍ଡା ମଧ୍ୟ ଆହତ ହୋଇଥିଲେ। ବିଜୁ ନିକଟରୁ ପୁଲିସ ପିସ୍ତଲ ସହିତ ତିନି ରାଉଣ୍ଡ ଗୁଳି ଏବଂ ଶକୁନ୍ତଳା ଗୁଳିକାଣ୍ଡରେ ବ୍ୟବହୃତ ବାଇକଟିକୁ ମଧ୍ୟ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର