ଅନୁଗୁଳରେ ପୁଣି ଏକ ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଡକାୟତ ଗୁରୁତର

ଅନୁଗୁଳ/ତାଳଚେର : ମାତ୍ର ୪ ଦିନର ବ୍ୟବଧାନ ପରେ ଅନୁଗୁଳରେ ପୁଣି ଏକ ଏନ୍‌କାଉଣ୍ଟର ଦେଖିବାକୁ ମିଳିଛି। ପୁଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଡକାୟତ ବାଦଲ ରାଉତ ଆହତ ହୋଇଛି। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନଳଗଣ୍ତା ଗ୍ରାମର ସାଧୁ ରାଉତଙ୍କ ପୁଅ ବାଦଲ ଅନୁଗୁଳ ପୁଲିସର ମୋଷ୍ଟୱାଣ୍ଟେଡ ତାଲିକାରେ ରହିଥିଲା। ଗତ ୬ ତାରିଖ ରାତିରେ ଶରଧାପୁର ପେଟ୍ରୋଲ ପମ୍ପ ଡକାୟତି ଓ ୧୨ ତାରିଖ ଦିନ ବଳରାମ ପ୍ରସାଦ‌େର ସ୍ପଷ୍ଟ ଦିବାଲୋକରେ ଗୁଳିଚାଳନା କରି ଅନୁଗୁଳ ପୁଲିସକୁ ଚ୍ୟାଲେଂଜ ଦେଇଥିଲା। ବିଲୁ ଖାଁ ଏନକାଉଣ୍ଟର ପରେ ୪ଟି ଜିଲ୍ଲା ପୁଲିସର ୱା‌େଣ୍ଟଡ ତାଲିକାରେ ଥିବା ବାଦଲ ରାଉତ ଅନୁଗୁଳ ଜିଲ୍ଲାରେ ଏବେ ସକ୍ରିୟ ରହିଥିବା ପୁଲିସ ଜାଣିବାକୁ ପାଇଥିଲା।

ବୁଧବାର ରାତି୧୧ଟା ୫୫ରେ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ତାଳଚେର ପୁଲିସର ଏସ୍‌ଆଇ ଧୀରେନ ସ୍ବାଇଁ ଓ ସ୍ବତନ୍ତ୍ର ସ୍କ୍ବାଡର ଦୀନକୃଷ୍ଣ ମିଶ୍ରଙ୍କ ନେତୃତ୍ବରେ ମିଳିତ ଟିମ୍ ଲିଙ୍ଗରାଜ କୋଇଲା ଖଣି ଓ ଏହାର ଆଖପାଖ ଅ˚ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଲିଙ୍ଗରାଜ ଖଣିକୁ ଲାଗି ବାଲୁଗାଁ-ଖମାର ଗାଁ ପଡିଆରେ ବାଦଲ ତା’ର ଦୁଇ ସହଯୋଗୀ ଭୁବନେଶ୍ବରର ଶେଖ୍ ହାନ ଓ ତେହରାନପୁରର ସୁନୀଲ ନାୟକ ସହିତ ଡେରା ପକାଇଥିଲା। ପୁଲିସ ଗାଡ଼ି ଦେଖି ବାଦଲ ପ୍ରଥମେ ଗୁଳି ଚଳାଇଥିଲା। ହେଲେ ପୁଲିସର ପାଲଟା ଗୁଳିଚାଳନାରେ ସେ ଆହତ ହୋଇଥିବା ବେଳେ ଶେଖ୍ ଓ ସୁନୀଲ ଫେରାର ହୋଇଯାଇଥିଲେ। ବାଦଲର ଡାହାଣ ଜଙ୍ଘରେ ଗୁଳି ବାଜିଛି। ବାଦଲ ନିକଟରୁ ପୋଲିସ ଗୋଟିଏ ମାଉଜର, ୪ ଜୀବନ୍ତ ଗୁଳି ଓ ଏକ ଖୋକା ଉଦ୍ଧାର କରିଛି। ବାଦଲ ୨୦୧୭ ମସିହାରେ ମଧ୍ୟ ପୋଲସରା ପୁଲିସର ଏନକାଉଣ୍ଟରରେ ଆହତ ହୋଇଥିଲା। ବାଦଲ ନାମରେ ଆଇପିସିର ଧାରା ୩୫୩, ୩୦୭,୩୪ ଓ ଆର୍ମସ ଆକ୍ଟ ୨୫/୨୭ରେ ପୁଲିସ ମାମଲା ରୁଜୁ କରିଛି। ତାଳଚେର ଶିଳ୍ପାଞ୍ଚଳରେ ଅପରାଧୀଙ୍କୁ ଏନକାଉଣ୍ଟର ଘଟଣା ଏହା ପ୍ରଥମ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର