ଅନୁଗୁଳରେ ଏନ୍‌କାଉଣ୍ଟର : କୁଖ୍ୟାତ ଅପରାଧୀ ବିଲୁ ଗୁରୁତର

ଅନୁଗୁଳ : ରବିବାର ମଧ୍ୟରାତ୍ରିରେ ‌‌ରନ୍ତ‌େଲଇ ପେଟ୍ରୋଲ ପମ୍ପ ଡକାୟତି କରିବା ଯୋଜନା ଚାଲିଥିଲା। ହେଲେ ଅନୁଗୁଳ ପୁଲିସ ସ୍ପେଶାଲ ସ୍କ୍ବାଡର ତପ୍ତରତା ଯୋଗୁଁ ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ଡେରଜାଂଗ ଡ୍ୟାମ୍ ନିକଟରେ ଅନୁଗୁଳ ପୁଲିସର ଏନକାଉଣ୍ଟରରେ କୁଖ୍ୟାତ ଡକାୟତ ସଦ୍ଦାମ ଓରଫ ବିଲୁ ଖାଁ(୨୬) ଗୁରୁତର ଆହତ ହୋଇଛି। ତେ‌େବ ଅନ୍ୟ ଦୁଇ ଜଣ ସହଯୋଗୀ ବାଦଲ ରାଉତ ଓ ରାଜ୍ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଅନୁଗୁଳ ପୁଲିସ ଇତିହାସରେ ଏହା ପ୍ରଥମ ଏନକାଉଣ୍ଟର ବୋଲି କୁହାଯାଇଛି। ଆହତ ବିଲୁକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମେ ଭର୍ତି କରାଯାଇଥିବା ବେଳେ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ବିଲୁ ଖାଁ ବହୁ ଅପରାଧ ସହିତ ଜଡ଼ିତ ଥିବାରୁ ତାକୁ ଧରିବା ପାଇଁ ପୁଲିସ୍‌ ଏକ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରିଥିଲା। ବିଲୁ ଗ୍ୟାଙ୍ଗର ୬ ଜଣ ସଦସ୍ୟ ଗୋଟିଏ ପଲସର ଓ ଗୋଟିଏ ଗ୍ଲାମର ବାଇକ୍୍ର ବୁଲୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ସ୍ବତନ୍ତ୍ର ସ୍କ୍ବାଡର ୬ ଜଣ ସଦସ୍ୟ ୩ଟି ବ‌ାଇକ୍୍ରେ ସେମାନଙ୍କ ପିଛା କରିଥିଲେ। ପଲସର୍ ବାଇକ୍୍କୁ ପ୍ରଥମେ ସେମାନେ ଠାବ କରିଥି‌େଲ। ସେମାନଙ୍କୁ ବେଣାଗାଡ଼ିଆ ରାସ୍ତାରେ ପିଛା କରିଥିଲେ। ତେବେ ପଲସର୍ ବାଇକ୍୍କୁ ସେମାନେ ପାଇନଥିବା ବେଳେ ଲିଂଗରା ନାଳ ବ୍ରିଜ ଓ ଡେରଂଜାଗ ଡ୍ୟାମ ମଝିରେ ଥିବା ବ୍ରାହ୍ମଣଡ଼ିହ ବସ୍ତିି ପାଖରେ ଡକାୟତଙ୍କ ଗ୍ଲାମର ବାଇକ୍ ରଖାଯାଇଥିବା ସ୍ବତନ୍ତ୍ର ସ୍କାଡ ଦେଖିବାକୁ ପାଇଥିଲା। ବାଇକ୍ ଦେଖି ଅଟକିବା ପରେ ସେଠାରେ ଥିବା ବିଲୁ ଅଚାନକ ପୁଲିସ ଅଧକାରୀଙ୍କ ଉପରକୁ ଗୁଳିଚାଳନା କରିଥିଲା। ପ୍ରଥମ ଗୁଳିଟି ପୁଲିସ୍ ଏସ୍ଆଇ ଦୀନକୃଷ୍ଣ ମିଶ୍ରଙ୍କ ବାଇକ୍୍ର ଡାହାଣ ପାର୍ଶ୍ବ ମିରରରେ‌ ବାଜି ଥିଲା। ଦ୍ବିତୀୟ ରାଉଣ୍ଡ ଗୁଳି ମିସ୍ ଫାୟାର ହୋଇଥିଲା। ଠିକ୍ ଏହି ସମୟରେ ଏସ୍ଆଇ ଦୀନକୃଷ୍ଣ ନିଜ ସର୍ଭିସ ପିସ୍ତଲରୁ ଗୁଳି ଚଳାଇଥିଲେ। ଗୁଳିଟି ଯାଇ ବିଲୁର ବାମ ଗୋଡ଼ ଆଣ୍ଟୁ ତଳକୁ ବାଜିଥିଲା। ଗୁଳି ବାଜିବା ପରେ ସେ ସେଠାରେ ପଡ଼ି ଯାଇଥିବା ବେଳେ ତାର ଅନ୍ୟ ଦୁଇ ସହଯୋଗୀ ଚା‌ନ୍ଦବାଲିର ବାଦଳ ରାଉତ ଓ ତାଳଚେର ଶର୍ମା ଛକର ରାଜ୍ ଜଂଗଲ ଭିତରକୁ ଦୌଡ଼ି ଫେରାର ହୋଇଯାଇଥିବା ଏସଡିପିଓ ହରିହର ପାଣି କହିଛନ୍ତି। ରନ୍ତଲେଇ ପେଟ୍ରୋଲ ପମ୍ପ ଡକାୟତି କରିବା ପାଇଁ ସେମାନେ ଯୋଜନା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର