ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଗୁରିଆ ଆହତ

ବୋମା, ପିସ୍ତଲ ଜବତ

କଟକ-ମହାନଦୀବିହାର : ଆଜି ରାତି ପାଖାପାଖି ୧୦ଟା ବେଳେ କଟକ କମିସନରେଟ୍‌ ପୁଲିସ ପୁଣି ଏକ ଏନକାଉଣ୍ଟର କରିଛି। ଏଥିରେ ଗୁରିଆ ଓରଫ ଗୁରୁଚରଣ ପାତ୍ର (୩୨) ଆହତ ହୋଇଛି। ଗୁରିଆର ଡାହାଣ ଜଂଘରେ ଗୁଳି ବାଜିଛି। ତା’ ନିକଟରୁ ଗୋଟିଏ ୭.୬୫ ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ଗୁଳି, ଦୁଇଟି ଖାଲି କାଟ୍ରିଜ୍‌ ଓ ଗୋଟିଏ ବୋମା ଜବତ କରାଯାଇଛି। ଆହତ ଗୁରିଆକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ତା’ ବିରୋଧରେ ସାଲେପୁର ଓ ଜଗତପୁର ଥାନାରେ ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଆଦାୟ ଭଳି ଏକାଧିକ ସଂଗୀନ ମାମଲା ରହିଛି। ଗଲା ୧୭ ତାରିଖରେ ଜଗତପୁର ଥାନା ଅଞ୍ଚଳରେ ଘଟିଥିବା ବୋମା ମାଡ଼ ଓ ଦାଦାବଟି ଘଟଣାରେ ଗୁରିଆ ସଂପୃକ୍ତ ଥିଲା।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଗତପୁର ଥାନା ଚାହାପଡ଼ା ଗ୍ରାମର ଦୁର୍ଦ୍ଦାନ୍ତ ଗୁରିଆ ଜଗତପୁର ଥାନା ପୁଲିସର ଓ୍ଵାଣ୍ଟେଡ ତାଲିକାରେ ଥିଲା। ଆଜି ରାତି ପ୍ରାୟ ୯ଟା ୧୦ ମିନିଟ ପାଖାପାଖି ସମୟରେ ଗୁରିଆ ବାରବୋଡିଆ କେନାଲ ରାସ୍ତାରେ ଦୁଇଟି ବୋମା ଧରି ଯାଉଥିବା ସଂପର୍କରେ ଜଗତପୁର ପୋଲିସକୁ ସୂଚନା ମିଳିଥିଲା।

ସଂଗେ ସଂଗେ ଜଗଜପୁର ପୋଲିସ ତା’ର ପିଛା କରିଥିଲେ। ରାତି ପାଖାପାଖି ୯ଟା ୫୦ ମିନିଟ ସମୟରେ ପୁଲିସ ଟିମ୍‌ ଗୁରିଆକୁ କେନାଲ ବନ୍ଧ ରାସ୍ତାରେ ଠାବ କରି ତାକୁ କାବୁ କରିବାକୁ ଗଲା ବେଳକୁ ସେ ପୁଲିସ ଉପରକୁ ବୋମା ଫିଙ୍ଗି ଖସି ଯିବାକୁ ଉଦ୍ୟମ କରିଥିଲା। କିନ୍ତୁ ପୁଲିସ ତା’ ପଛରେ ଗୋଡାଇବାରୁ ସେ ପିସ୍ତଲ କାଢି ଗୁଳି ଫୁଟାଇଥିଲା। ସୁରକ୍ଷା ଦୃଷ୍ଟିରୁ ପୋଲିସ ପାଲଟା ଗୁଳି ଚଳାଇବାରୁ ଗୁଳିଟି ଗୁରିଆର ଡାହାଣ ଗୋଡରେ ବାଜିବାରୁ ସେ ତଳେ ପଡି ଯାଇଥିଲା। ପୁଲିସ ଗୁରିଆକୁ କାବୁ କରି ନେଇ ତା’ ଠାରୁ ପିସ୍ତଲ, ଗୁଳି ଓ ବୋମା ଜବତ କରିଥିଲେ। ଏବେ କଟକ ବଡ ମେଡିକାଲରେ ଗୁରିଆକୁ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର