କଟକ ପୁଲିସର ଏନ୍‌କାଉଣ୍ଟର : ଯୋବ୍ରାର ତପନ ନାୟକ ଆହତ

କଟକ : କଟକରେ ଆଜି ପୁଣି ପୁଲିସ ଏନକାଉଣ୍ଟରର ଶିକାର ହୋଇଛି ଜଣେ ଅପରାଧୀ। ପୁଲିସ ଗୁଳିରେ ଆହତ ହୋଇଥିବା ଏହି ଅପରାଧୀ ହେଉଛି ଯୋବ୍ରା ନଦୀକୂଳ ସାହିର ତପନ ନାୟକ। ତପନ ଆଜି ରାତି ପ୍ରାୟ ସାଢେ ବାରଟା ବେଳେ ମହାନଦୀ କୂଳ ବିଶ୍ୱ ଗୁରୁ ଲ’ କଲେଜ ପଛ ପଟ ପଡ଼ିଆରେ ଆଡା ଜମାଇଥିବା ଖବର ପାଇ ମାଲଗୋଦାମ ଥାନା ଆଇଆଇସି ଦେବୀପ୍ରସନ୍ନ ପାତ୍ରଙ୍କ ନେତୃତ୍ୱରେ ପୁଲିସ୍‌ ତାକୁ ଧରିବା ପାଇଁ ଚଢଉ କରିଥିଲେ। କିନ୍ତୁ ପୁଲିସକୁ ଦେଖି ତପନ ପ୍ରଥମେ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା। ତଥାପି ପୁଲିସ ପଛକୁ ନହଟି ତାକୁ ଧରିବା ପାଇଁ ଆଗକୁ ବଢିବାରୁ ତପନ ପୁଣି ଗୁଳି ଚଳାଇଥିଲା। ଏଥିରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏଭଳି ସ୍ଥିତିରେ ଆଇଆଇସି ଶ୍ରୀ ପାତ୍ର ଗୁଳି ଚଳାଇବାରୁ ତାହା ତପନର ବାମ ପଟ ଗୋଡ଼ ପେଣ୍ଡାରେ ବାଜିଥିଲା। ସେ ସେଠାରେ ପଡି ଯିବାରୁ ପୁଲିସ ତାକୁ କାବୁ କରି ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲା। ତପନ ବିରୋଧରେ ମାଲଗୋଦାମ ଥାନାରେ ୧୧ଟି ଏବଂ ଜଗତପୁର ଥାନାରେ ଗୋଟିଏ ମାମଲା ରହିଛି। ଚୋରି, ଡକାୟତି, ନାବାଳିକ ଦୁଷ୍କର୍ମ, ହତ୍ୟା ଉଦ୍ୟମ, ଦାଦା ବଟି ଆଦାୟ ଭଳି ସଂଗୀନ ମାମଲା ତପନ ନାମରେ ରହିଛି।

ତପନକୁ ମିଶାଇ ୨୦୧୭ରେ କଟକ ପୁଲିସ୍‌ ଏଯାଏ ୬ଟି ଏନ୍‌କାଉଣ୍ଟର କରିସାରିଲାଣି। ୨୦୧୭ ଏପ୍ରିଲ୍‌ ୧୭ରେ ସେକ୍‌ ବାବୁ, ଅଗଷ୍ଟ ୧୫ରେ ରଘୁ ଓରଫ ରଘୁନାଥ ଦାସ, ସେପ୍ଟେମ୍ବର ୫ରେ ସେକ୍‌ ରାହୁଲ୍‌, ସେପ୍ଟେମ୍ବର ୨୫ରେ କାଳନ୍ଦୀ ଖୁଣ୍ଟିଆ, ଅକ୍ଟୋବର ୧୭ରେ ଖୋକନ ଓରଫ ପିନାକୀ ରଂଜନ ବାରିକକୁ ପୁଲିସ ଏନକାଉଣ୍ଟର କରିଥିବା ବେଳେ ଆଜି ଏନକାଉଣ୍ଟର ଶିକାର ହୋଇଛି ତପନ।

୨୦୧୭ ପୂର୍ବରୁ କଟକ ପୁଲିସ ରେକର୍ଡରେ ମାତ୍ର ୪ଟି ଏନକାଉଣ୍ଟର ହୋଇଥିଲା। ୧୯୯୨ରେ କାଳିଆ ଓରଫ ହୃଦୟବଲ୍ଲଭ ଦାସ, ୨୦୦୫ରେ ଦୀପୁ ସାହୁ, ୨୦୦୮ରେ ଗୁଗୁ ଓରଫ ଶିବାଶିଷ ଖୁଣ୍ଟିଆ, ୨୦୧୧ରେ ସୁଶିଲ ଧଳସାମନ୍ତକୁ ଏନ୍‌କାଉଣ୍ଟର କରାଯାଇଥିଲା। ଏସବୁ ଏନ୍‌କାଉଣ୍ଟରରେ କେବଳ ଦୀପୁ ସାହୁର ଜୀବନ ଯାଇଥିଲା। ଅନ୍ୟ ସବୁ ଘଟଣାରେ କିନ୍ତୁ ନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ଠିକ୍‌ ଆଣ୍ଠୁ ଉପରକୁ ଗୁଳି ମାଡ଼ ହେଇଛି।

ସମ୍ବନ୍ଧିତ ଖବର