ପୁଲିସ୍‌-ଅପରାଧୀ ଗୁଳି ବିନିମୟ : ଗଞ୍ଜାମରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର, ଦିଗପହଣ୍ଡି ଆଇଆଇସିଙ୍କ ସମେତ ୫ ଆହତ

ଦିଗପହଣ୍ଡି : ଗଞ୍ଜାମରେ ପୁଣିଥରେ ପୁଲିସ୍‌-ଅପରାଧୀ ମୁହାଁମୁହିଁ ହୋଇଛନ୍ତି। ଗଞ୍ଜାମ ପୁଲିସର ୫୫ତମ ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ପ୍ରଧାନ ଗୁଳି ଖାଇ ଗୁରୁତର ଆହତ ‌ହୋଇଛି। ଅନ୍ୟପକ୍ଷରେ ଜୟ ପ୍ରଧାନ ଓ ତା’ର ସହ‌ଯୋଗୀ ଅମିତ ଦାସ ପୁଲିସ ଉପରକୁ ମଧ୍ୟ ଗୁଳି ଚଳାଇବା ସହ ବୋମମାଡ କରିଛନ୍ତି। ଏଥିରେ ଦିଗପହଣ୍ଡି ଥାନା ଅଧିକାରୀଙ୍କ ସମେତ ୫ ଜଣ ପୁଲିସ କର୍ମଚା‌ରୀ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଦିଗପହଣ୍ଡି ଉପକଣ୍ଠ ଚାଙ୍ଗୁଡିଦେଇ ପାହାଡ଼ ନିକଟସ୍ଥ ତାଳପଡା ରାସ୍ତାରେ ଉକ୍ତ ଦୁଇ ଅପରାଧୀ ବୁଲୁଥିବା ଖବର ପାଇ ଦିଗପହଣ୍ଡି ପୁଲିସ ଚଢାଉ କରିଥିଲା। ଏହି ସମୟରେ ଜୟ ଏବଂ ଅମିତ ପୁଲିସ ଉପରକୁ ବୋମାମାଡ଼ କରିବା ସହ ଗୁଳି ଚଳାଇଥିଲେ। ପୁଲିସ ବି ପାଲଟା ଗୁଳି ଚାଳନା କରିଥିଲା। ପୁଲିସ ଗୁଳିରେ ଜୟ ପ୍ରଧାନ ଗୁରୁତର ଆହତ ହୋଇଥିବା ବେଳେ ବ୍ରହ୍ମପୁରସଦର ଇଲାକା ନିବାସୀ ଅମିତ ଖସି ପଳାଇଥିଲା। ଜୟର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ଜୟଠାରୁ ଦିଗପହଣ୍ଡି ପୁଲିସ ଗୋଟିଏ ପଲସର ବାଇକ୍, ଗୋଟିଏ ଦେଶୀ ପିସ୍ତଲ, ୩ଟି ଖୋକା ଓ ଗୋଟିଏ ଅଫୁଟା ବୋମା ଜବତ କରିଛି। ଗୁଳି ବିନିମୟରେ ଦିଗପହଣ୍ଡି ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ସମେତ ଅନ୍ୟ ୫ ଜଣ ପୁଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ସେମାନେ ହେଲେ ଏସ୍ଆଇ ସିମାଞ୍ଚଳ ମିଶ୍ର,  କୃଷ୍ଣଚନ୍ଦ୍ର ଗୌଡ଼, ଜୟରାମ ଡାକୁଆ, ସଲାମତ ଖାନ, କେଶବ ବିଷୋୟୀ।

ପୁଲିସ କହିଛି ଯେ, ଜୟ ପ୍ରଧାନ ଓ ତାର ସହଯୋଗୀ ଅମିତ ଦାସ ଡକାୟତି ଓ ଲୁଟ୍ ଭଳି ଅପରାଧରେ ଜଡ଼ିତ। ଜୟ ନାମରେ ଗଂଜାମ, ବ୍ରହ୍ମପୁର ଓ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଥାନାରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର