ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ଗୁରୁତର

ପିପିଲି/ପୁରୀ : ପୁରୀ ପୌରପାଳିକାର ପୂର୍ବତନ କାଉନ୍‌ସିଲର ସତ୍ୟଭାମା ବେହେରାଙ୍କୁ ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁରୀ ଗୋଖାସାହିର ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ବେହେରା (୩୩)କୁ ପୁଲିସ ଗତକାଲି ବିଳମ୍ବିତ ରାତିରେ ପିପିଲିରେ ଏନ୍‌କାଉଣ୍ଟର କରିଛି। ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱରର ଗୋଡରେ ଗୁଳି ବାଜିଥିବାରୁ ପୁଲିସ ତାକୁ ଗୁରୁତର ଅବସ୍ଥାରେ ପିପିଲି ସରକାରୀ ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ପରେ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପୁଲିସ ସୂଚନା ମୁତାବକ, ଗତ ଏପ୍ରିଲ ୨୧ ତାରିଖ ରାତି ୮ଟା ବେଳେ ପୁରୀ ବାସେଳିସାହି ଥାନା ଗୋଖାସାହିର ପୂର୍ବତନ କାଉନସିଲର ସତ୍ୟଭାମା ବେହେରାଙ୍କୁ ଗୁଳିମାଡ଼ ହୋଇଥିଲା। ସତ୍ୟଭାମାଙ୍କୁ ଗୁଳି କରିବା ପରେ ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ସହିତ ତା’ର ସଢୁ ରାଜେଶ ପାତ୍ର, ଶାଳକ ବିକାଶ ବେହେରା ଓ ସହଯୋଗୀ ଦିବାନା ବେହେରା ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଗତକାଲି ରାତିରେ ସର୍ବେଶ୍ୱର ଓ ରାଜେଶ ଚୌଦ୍ୱାରରୁ ବିକ୍ରି ହୋଇଥିବା କାର ଗ୍ରାହକଙ୍କଠାରୁ ଟଙ୍କା ନେଇ କପିଳପ୍ରସାଦ-ଜଟଣୀ ରାସ୍ତାରେ ପିପିଲି ଆଡ଼କୁ ଯାଉଥିଲେ। ଏ ସଂପର୍କରେ ପିପିଲି ଥାନା ଆଇଆଇସି ଶରତ କୁମାର ସାହୁ ଓ ପୁରୀ ବାସେଳୀ ସାହି ଥାନା ଆଇଆଇସି ଜୟଦୀପ ମହାନ୍ତିଙ୍କୁ ପକ୍କା ଖବର ମିଳିଥିଲା। ଫଳରେ ସେମାନେ ପୁଲିସ ଫୋର୍ସ ସହ ଉକ୍ତ ରାସ୍ତାରେ ଛକି ରହିଥିଲେ।  ବିଳମ୍ବିତ ରାତିି ପ୍ରାୟ ସାଢେ ୨ଟାରେ ପୁଲିସ ଉକ୍ତ ବାଇକକୁ ଅଟକାଇବା ପରେ ଆଦିତ୍ୟ ବିର୍ଲା ସ୍କୁଲ ସମ୍ମୁଖରେ ସର୍ବେଶ୍ୱର ହଠାତ ଗୁଳି ଚଳାଇଥିଲା। ପିପିଲି ଥାନା ଆଇଆଇସି ଶ୍ରୀ ସାହୁ ତା’ ଗୁଳିମାଡ଼ରୁ ଅଳ୍ପକେ ବର୍ତି ଯାଇଥିବା ବେଳେ ବାସେଳୀ ସାହି ଥାନା ଆଇଆଇସି ଶ୍ରୀ ମହାନ୍ତି ତତ୍‌କ୍ଷଣାତ୍‌ ପାଲଟା ୪ ରାଉଣ୍ଡ ଗୁଳି ଚଳାଇଥିଲେ। ଯେଉଁଥିରେ ଦୁଇଟି ଗୁଳି ସର୍ବେଶ୍ୱରର ବାମ ଗୋଡ଼ରେ ବାଜିଥିଲା ଏବଂ ସେ ସେଠାରେ ପଡ଼ିଯାଇଥିଲା।

ସମ୍ବନ୍ଧିତ ଖବର