ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅନୀଲ ଆହତ

ରାଉରକେଲା : ପାଖାପାଖି ଦୁଇ ଡଜନ ଅପରାଧିକ ମାମଲାର ମୁଖ୍ୟ ଅଭିଯୁକ୍ତ ଅନୀଲ ତିର୍କୀ (୨୬)କୁ ଆଜି ବ୍ରାହ୍ମଣୀତରଙ୍ଗ ପୁଲିସ ଏନ୍‌କାଉଣ୍ଟର୍‌ କରିଛି। ରୁଟୁକିପିଢ଼ି-ଟିକରଚୁନ୍ଦି ରାସ୍ତାରେ ଆଜି ଅପରାହ୍ନ ପ୍ରାୟ ୫ଟା ୨୦ରେ ଏହି ଏନ୍‌କାଉଣ୍ଟର୍‌ ହୋଇଥିଲା। ଅନୀଲର ଡାହାଣ ଗୋଡ଼ରେ ଦୁଇଟି ଗୁଳି ବାଜିଥିବାବେଳେ ଏବେ ଆଇଜିଏଚ୍‌ରେ ଚିକିତ୍ସାଧୀନ ଅଛି। ଅଭିଯୁକ୍ତଠାରୁ ଗୋଟିଏ ପିସ୍ତଲ ଓ ୩ଟି ଜୀବନ୍ତ ଗୁଳି ଜବତ ହୋଇଛି।

ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବଡ଼ମାରେନର ମୂଳବାସିନ୍ଦା ଅନୀଲ ନାଁରେ ସୁନ୍ଦରଗଡ଼, ରାଉରକେଲା ଓ ସମ୍ବଲପୁର ପୁଲିସ ଜିଲ୍ଲାରେ ୨୨ଟି ଅପରାଧିକ ମାମଲା ରୁଜୁ ଅଛି।

ଆଜି ପୂର୍ବାହ୍ନରେ ଅଭିଯୁକ୍ତ ଅନୀଲ ନିଜ ଗାଁ ବଡ଼ମାରେନ ଅଞ୍ଚଳରେ ବୁଲୁଥିବା ବ୍ରାହ୍ମଣୀତରଙ୍ଗ ପୁଲିସ ଗୁପ୍ତ ସୂଚନା ପାଇଥିଲା। ବ୍ରାହ୍ମଣୀତରଙ୍ଗ ଥାନାଧିକାରୀ ସନ୍ତୋଷ ‌କୁମାର ଜେନାଙ୍କ ନେତୃତ୍ବରେ ସ୍ପେଶାଲ୍‌ ସ୍କ୍ବାଡ୍‌ ଅଭିଯୁକ୍ତକୁ କାବୁ କରିବାକୁ ଜାଲ ବିଛାଇଥିଲେ। ଅଭିଯୁକ୍ତ ରୁଟୁକୁପିଢ଼ି-ଟିକରଚୁନ୍ଦି ରାସ୍ତାରେ ଯାଉଥିବାବେଳେ ପୁଲିସ ଉପରେ ତା’ର ନଜର ପଡ଼ିଥିଲା। ଗିରଫ ହେବା ଭୟରେ ଅଭିଯୁକ୍ତ ଅନୀଲ ପୁଲିସ ଉପରେ ଗୁଳିଚାଳନା କରି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା। ଜବାବରେ ପୁଲିସ ପକ୍ଷରୁ ଗୁଳିଚାଳନା କରାଯିବାରୁ ତା’ର ଗୋଡ଼ରେ ଦୁଇଟି ଗୁଳି ବାଜିଛି। ଫଳରେ ଅଭିଯୁକ୍ତ ଘଟଣାସ୍ଥଳରେ ପଡ଼ିଯିବାରୁ ପୁଲିସ କାବୁ କରି ପ୍ରଥମେ ଆର୍‌ଜିଏଚ୍‌ ଓ ପରେ ଆଇଜିଏଚ୍‌ରେ ଭର୍ତ୍ତି କରିଛି। ଅଭିଯୁକ୍ତ ଅନୀଲ ଆହୁରି ଅନେକଗୁଡ଼ିଏ ମାମଲାରେ ଜଡ଼ିତ ଥିବା ସନ୍ଦେହ କରି ପୁଲିସ ଯାଞ୍ଚ ଜାରି ରଖିଛି।

ସମ୍ବନ୍ଧିତ ଖବର