ପୁରୀ: ବାଲେଶ୍ବରର ଜନୈକ ଦୁର୍ଦ୍ଦାନ୍ତ ଅପରାଧୀକୁ ଗତ ବିଳମ୍ବିତ ରାତିରେ ପୁରୀ ବେଳାଭୂମିରେ କେତେକ ଯୁବକ ଗୋଟାଳିରେ ପିଟିପିଟି ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନେ ଶବକୁ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଛନ୍ତି। ଆଜି ପୂର୍ବାହ୍ନରେ ସ୍ଥାନୀୟ ଲୋକମାନେ ବେଳାଭୂମିରେ ରକ୍ତାକ୍ତ ଶବକୁ ଦେଖି ବଳିଆପଣ୍ଡା ଥାନାକୁ ଖବର ଦେଇଥିଲେ। ଖବର ପାଇ ବଳିଆପଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଡକାଇ ତଦନ୍ତ ଆରମ୍ଭ କରିବା ସହ ଅପରିଚିତ ଯୁବକଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୁଲିସଠାରୁ ଖବର ପାଇ ମୃତ ଯୁବକଙ୍କ ମାଙ୍କ ସମେତ ପତ୍ନୀ, ଶ୍ବଶୁର ପ୍ରମୁଖ ପୁରୀରେ ପହଞ୍ଚି ଶବକୁ ଚିହ୍ନଟ କରିବା ପରେ ଶବକୁ ବ୍ୟବଚ୍ଛେଦ କରାଯାଇଛି। ଗତକାଲି ସକାଳେ ମୃତ ଯୁବକଙ୍କୁ ତାଙ୍କ ତିନି ଜଣ ସାଙ୍ଗ ଘରୁ ପୁରୀ ବୁଲିବାକୁ ଯିବା ବୋଲି କହି ଡାକିନେଇ ହତ୍ୟା କରିଥିବା ନେଇ ପତ୍ନୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ମୃତ ଯୁବକ ଜଣକ ବାଲେଶ୍ବରର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ବୋଲି ପୁଲିସ କହିଛି। ତା ନାମରେ ପୂର୍ବରୁ ପ୍ରାୟ ୪୨ଟି ମାମଲା ରହିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।
ଖବର ନେବାରେ ଜଣାପଡ଼ିଛି ଯେ ଆଜି ପୂର୍ବାହ୍ନରେ ବଳିଆପଣ୍ଡା ଥାନା ଅନ୍ତର୍ଗତ ବେଳାଭୂମିରେ ଜନୈକ ଯୁବକଙ୍କ ରକ୍ତାକ୍ତ ଶବ ପଡ଼ିଥିବା ନେଇ ଖବର ମିଳିଥିଲା। ଏହି ଖବର ପାଇ ବଳିଆପଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ମୃତ ଯୁବକଙ୍କ ପରିଚୟ ମିଳିନଥିଲା। ତେବେ ମୃତ ଯୁବକଙ୍କ ଶବ ନିକଟରେ ମଦ ବୋତଲ, ପ୍ଲାଷ୍ଟିକ୍ ଗ୍ଲାସ ଏବଂ ରକ୍ତ ଲାଗିଥିବା ଏକ ଗୋଟାଳୀ ମିଳିଥିଲା। ମୃତ ଯୁବକଙ୍କ ପକେଟ ଯାଞ୍ଚ କରିବାରେ ସେଥିରୁ ଏକ ମୋବାଇଲ ଫୋନ ମିଳିଥିଲା। ଏହି ସମୟରେ ଉକ୍ତ ମୋବାଇଲକୁ ଏକ ଫୋନ୍ ଆସିଥିଲା।
ପୁଲିସ ମୋବାଇଲରେ କଥା ହେବାରୁ ବିପରିତ ପଟୁ ମୃତ ଯୁବକଙ୍କ ପତ୍ନୀ ପୂର୍ଣ୍ଣିମା ଦାସଙ୍କର ଥିଲା। ତେଣୁ ମୃତ ଯୁବକ ବାଲେଶ୍ବର ଜିଲ୍ଲା ମହୁମୁହାଣ ପଞ୍ଚାୟତ ଅନ୍ତର୍ଗତ ଜୁଡ଼ାମ୍ବ ଗାଁର ରମାକାନ୍ତ ଦାସଙ୍କ ପୁଅ ପ୍ରହଲ୍ଲାଦ ଦାସ(୨୮)ଙ୍କର ବୋଲି ଜଣାପଡ଼ିଥିଲା। ତେବେ ପ୍ରହଲ୍ଲାଦଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଜାଣିବା ପରେ ପୂର୍ଣ୍ଣିମା, ତାଙ୍କ ବାପା ଓ ଶାଶୁଙ୍କ ସମେତ ଅନ୍ୟମାନେ ଆସି ପୁରୀରେ ପହଞ୍ଚିଥିଲେ। ଅପରପଟେ ବଳିଆପଣ୍ଡା ଥାନା ପୁଲିସ ୧୮୬/୨୪ ନମ୍ବରରେ ଏକ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ଡକାଇ ତଦନ୍ତ ଆରମ୍ଭ କରିଥିଲା। ଶବକୁ ସଦର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇ ପଠାଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।