ପ୍ରେମ ପାଇଁ ଜେଲ୍ କାନ୍ଥ ଡେଇଁଲା କଏଦୀ ! ପ୍ରେମିକାକୁ ଦେଖା କରି ଫେରିଲା, ଜେଲ୍‌ ଅଧୀକ୍ଷକଙ୍କୁ କ୍ଷମା ମାଗିଲା

ଛତ୍ରପୁର: ପ୍ରେମ ପାଇଁ ଜେଲ୍‌ କାନ୍ଥ ବି ଡେଇଁ ଯିବାକୁ ସାହସ ଜୁଟାଇଲା ଜଣେ କଏଦୀ। ଖୋଜା ପଡ଼ିବା ପରେ ନ ମିଳିବାରୁ ପୁଲିସ, ଜେଲ୍‌ କର୍ତ୍ତୃପକ୍ଷଙ୍କ ମୁଣ୍ଡ ଘୂରାଇଗଲା। ହେଲେ ୧୨ ଘଣ୍ଟା ପରେ ପୁଣି ଆଜି ରାତିରେ ସେ ଫେରିଆସି ଜେଲ୍‌ ମୁଖ୍ୟ ଫାଟକ ବାହାରେ ହାଜର ହେବା ସମସ୍ତଙ୍କୁ ବିସ୍ମିତ କରିଛି।

ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପ କାରାଗାରରୁ ଗତକାଲି ରାତିରେ ପାଚେରି ଡେଇଁ କବିରାଜ ବେହେରା(୩୨) ନାମକ ଜଣେ ବିଚାରାଧୀନ ବନ୍ଦୀ ଚମ୍ପଟ ମାରିଥିଲା। ତେବେ ସେ ତା’ର ପ୍ରେମିକାକୁ ଦେଖା କରି ଆଜି ଫେରି ଆସିଥିଲା। କବିରାଜର ଘର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ। ଜେଲ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଜେଲ୍ ଡିଆଇଜି ରଘୁନାଥ ମାଝୀ ଏବଂ ବରିଷ୍ଠ ଜେଲ୍‌ ଅଧୀକ୍ଷକ ଏ.କେ.ସିହ୍ନା ଛତ୍ରପୁର ଜେଲ୍‌କୁ ଯାଇ ତଦନ୍ତ କରିଥିଲେ। ଏ ଘଟଣାରେ ଛତ୍ରପୁର ଉପକାରାଗାର ମୁଖ୍ୟ ୱାର୍ଡ଼ର ନାୟକଙ୍କୁ ଜେଲ ଡିଆଇଜି କାର୍ଯ୍ୟରୁ ନିଲମ୍ବିତ କରିଥିଲେ।

Time

ତେବେ ନାଟକୀୟ ଭାବେ ଫେରାର କବିରାଜ ଆଜି ମଙ୍ଗଳବାର ରାତି ପ୍ରାୟ ୮ଟାରେ ଜେଲ୍‌ ମୁଖ୍ୟ ଫାଟକ ନିକଟକୁ ଆସି ଆତ୍ମସର୍ମପଣ କରି ଜେଲ୍‌ ଅଧୀକ୍ଷକଙ୍କୁ କ୍ଷମା ମାଗିଛି। ଛତ୍ରପୁର ଥାନାରେ ରୁଜୁ ଏକ ଦୁଷ୍କର୍ମ ମାମଲାରେ କବିରାଜ ଗିରଫ ହୋଇ ଗତ ଡିସେମ୍ବର ୭ ତାରିଖରେ ଛତ୍ରପୁର ଉପ କାରାଗାରକୁ ଆସିଥିଲା। ଏକ ମାସ ଜେଲ୍‌ରେ ରହିବା ଭିତରେ ଗତକାଲି ରାତିରେ ସମସ୍ତଙ୍କ ଅଲକ୍ଷ୍ୟରେ ଜେଲ୍ ପାଚେରି ଡେଇଁ ପଳାଇ ଯାଇଥିଲା।

ସମ୍ବନ୍ଧିତ ଖବର