୧୦ ମାସରେ ୧୦ ଏନ୍‌କାଉଣ୍ଟର : କେନ୍ଦ୍ରାପଡ଼ାରେ ପୁଣି ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ନବୀ ଆହତ

ଗୋଟିଏ ହାତରେ ଗାଡ଼ି ଚଳାଇ ଅନ୍ୟ ହାତରେ ଗୁଳି ଫୁଟାଇବାରେ ଥିଲା ଓସ୍ତାଦ

କେନ୍ଦ୍ରାପଡ଼ା/ଗରଦପୁର : କେନ୍ଦ୍ରାପଡା ପୁଲିସ ସହ ଏନକାଉଣ୍ଟରରେ ଆଜି ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ପାଟକୁରା ଥାନା ଅନ୍ତର୍ଗତ କୋରୁଆ–ନରେନ୍ଦ୍ରପୁର ରାସ୍ତାର ସାନବେତରା ଗାଁ ଛକ ନିକଟରେ ଆଜି ବଡ଼ି ଭୋରରୁ ପୁଲିସ୍‌ ସହ ଏନକାଉଣ୍ଟରର ଶିକାର ହୋଇଛି ସେକ୍ ନବୀ (୪୦)। ନବୀକୁ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଗତକାଲି ରାତିରେ ପାଟ୍ରୋଲିଂ କରୁଥିବା ପାଟକୁରା ଥାନା ପୁଲିସ୍‌ ହାବୁଡ଼ରେ ପଡ଼ିଥିଲା ନବୀ। ନବୀ ଏକ ମାମଲାରେ ଅଭିଯୁକ୍ତ ଥାଇ ଫେରାର ଥିବା ବେଳେ ପୁଲିସ୍‌ ତାକୁ ଖୋଜୁଥିଲା। ଗତକାଲି ସେ ନିଜ ଗାଁ କ୍ରିଷ୍ଣାନନ୍ଦପୁରକୁ ଆସିଥିଲା। ଆଜି ବଡ଼ି ଭୋରରୁ କ୍ରିଷ୍ଣାନନ୍ଦପୁରରୁ ବିଜିପୁର ଆଡ଼କୁ ଏକ ନମ୍ବର ବିହୀନ ସ୍କୁଟିରେ ଯାଉଥିବା ବେଳେ ପୁଲିସ୍‌ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ହଠାତ୍ ସେ ପୁଲିସ୍‌ ଉପରକୁ ଦୁଇ ରାଉଣ୍ଡ ଗୁଳି ମାଡ଼ କରି ଫେରାର ହେଇଯିବାକୁ ଚେଷ୍ଟା କରିଥିଲା। ପାଟକୁରା ଥାନା ଆଇଆଇସି ସୁଜିତ ପ୍ରଧାନ, ଏସ୍‌ଆଇ ଏମ୍‌ଡି. ଜାମସେଦ୍‌, ଏସ୍‌ଆଇ ଜ୍ୟୋତିରଂଜନ ମହାନ୍ତି ନବୀର ପିଛା କରିଥିଲେ। ଅନ୍ୟପଟୁ ସ୍ବତନ୍ତ୍ର ସ୍କ୍ବାଡ୍ ଇନ୍ସପେକ୍ଟର ପ୍ରଦୀପ୍ତ କାନୁନଗୋଙ୍କ ନେତୃତ୍ବରେ ପୁଲିସ୍‌ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା।ପୁଲିସ ଦୁଇ ରାଉଣ୍ତ ଗୁଳି ଫୁଟାଇବାରୁ ଗୁଳି ନବୀର ବାମ ଗୋଡ଼ରେ ବାଜି ଥିଲା। ଫଳରେ ନବୀ ସ୍କୁଟି ଛାଡି ତଳେ ପଡ଼ି ଯାଇଥିଲା। ଘଟଣା ସ୍ଥଳରୁ ନବୀର ଏକ ମୋବାଇଲ୍ ଓ ପିସ୍ତଲ ଜବତ କରାଯାଇଛି। ପିସ୍ତଲରେ ଆହୁରି ୩ଟି ଗୁଳି ଥିଲା।

ମାର୍ଚ୍ଚ ୨୧ ତାରିଖରେ ବି ନବୀ ଓ ତାର ସହଯୋଗୀ ବସ୍‌ପୁର ନିକଟରେ ପୁଲିସ୍‌ ହାବୁଡ଼ରେ ପଡ଼ିଥିଲେ। କିନ୍ତୁ ପୁଲିସ ତାର ଦୁଇ ସହଯୋଗୀକୁ ଧରି ଥିଲେ ବି ନବୀ ଖସି ପଳାଇଥିଲା। ନବୀ ନାମରେ ରଘୁନାଥପୁର ଥାନାରେ ଦୁଇଟି ଓ କିଷନନଗର ଥାନାରେ ଦୁଇଟି ମାମଲା ଥିବା ଜଣାପଡ଼ିଛି । ଏହାଛଡ଼ା ଖୋର୍ଦ୍ଧା ଗୁଳିକାଣ୍ତ, ତିର୍ତୋଲ, କଟକ, କେନ୍ଦ୍ରାପଡ଼ା ଅଂଚଳରେ ଥିବା ମାମଲା ଓ ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ପୁଲିସ୍‌ ଖୋଳତାଡ଼ କରୁଛି। ବଟି ଆଦାୟ, ଧମକ ଦେଇ ଲୁଟ୍ କରିବା ଘଟଣାରେ ନବୀ ଥିଲା ଓସ୍ତାଦ। ନବୀ ଗୋଟିଏ ହାତରେ ବାଇକ୍ ଚଳାଇ ଅନ୍ୟ ହାତରେ ଗୁଳି ଫୁଟାଇବାରେ ଦକ୍ଷତା ରଖିଥିଲା ବୋଲି ଏସ୍‌ଡ଼ିପିଓ ରାଜୀବ ଲୋଚନ ପଣ୍ତା ସୂଚନା ଦେଇଛନ୍ତି।

ଗଲା ୧୦ ମାସ ଭିତରେ ଏହା କେନ୍ଦ୍ରାପଡା ପୁଲିସର ୧୦ମ ଏନକାଉଣ୍ଟର। ଚଳିତ ବର୍ଷ ପ୍ରଥମ ୩ ମାସ ଭିତରେ ପୁଲିସ ଏଭଳି ୫ଟି ଏନକାଉଣ୍ଟର କରିସାରିଛି। ଜାନୁଆରି ୨୨ ତାରିଖରେ ସାର୍ପ ସୁଟର ସଂଜୟ ବିଶ୍ବାଳକୁ ଜଖମ କରି ରାଜନଗର ଥାନା କୁରୁଂଟି ଛକ ନିକଟରେ ଏନକାଉଂଟରୁ ଆରମ୍ଭ ହୋଇଥିଲା ଅପରାଧମୁକ୍ତ କେନ୍ଦ୍ରାପଡ଼ା ଅଭିଯାନ। ଗତ ଫେବ୍ରୁଆରି ୧୯ତାରିଖରେ ସଦର ଥାନା ଅନ୍ତର୍ଗତ ନାନକାରର ଜୁଲ ଓରଫ ଗଣେଶ ମଲ୍ଲିକକୁ କେନ୍ଦ୍ରାପଡ଼ା କଜଳା ରାସ୍ତାରେ, ୨୫ ତାରିଖରେ ମାର୍ଶାଘାଇ ଥାନା ଅଂଚଳରେ ଲିଟୁ ଓରଫ ଦୀପକ ଦାସକୁ ତିଖିରି ବୌଦ ରାସ୍ତାରେ ଏବଂ ମାର୍ଚ ୭ ତାରିଖରେ ବିଜୟ ଓରଫ୍ ଗଣେଶ ଦାସ ପୁଲିସ ଗୁଳିରେ ଆହତ ହୋଇଛନ୍ତି। ୨୦୧୮ରେ ପ୍ରଥମ ଏକକାଂଟର ହୋଇଥିଲା ମେ’ ୯ ତାରିଖରେ। ସଦର ଥାନାର ଲାଲା ଓରଫ ସେକ୍ ମୁଜାମିଲ୍କୁ ଏଥିରେ ଶିକାର ହୋଇଥିଲା। ମେ’ ୩୧ ଦ୍ବିତୀୟ ଏନକାଉଣ୍ଟରରେ ପାଟକୁରାର ବିଭୁ ଓରଫ ପ୍ରତାପ ସାହୁ, ଜୁଲାଇ ୩ ତାରିଖ ତୃତୀୟ ଏନକାଉଣ୍ଟରରେ ଟାଉନ୍ ଥାନାର ବାବୁ ଓରଫ ଭବାନୀ ଶଂକର ସାହୁ ଏବଂ ଅକ୍ଟୋବର ୭ ତାରିଖରେ ଡେରାବିଶ ଥାନାର ସନ୍ତୋଷ ମଲ୍ଲିକ ପୁଲିସ ଏନକାଉଣ୍ଟରର ଶିକାର ହୋଇଥିଲେ। ଗ୍ୟାଙ୍ଗ୍୍ଷ୍ଟର ସୟଦ ଉସ୍‌ମାନ ଅଲ୍ଲୀ ଓରଫ୍ ଟିଟୋକୁ ଏସ୍‌ଟିଏଫ୍ କେନ୍ଦ୍ରାପଡାରୁ ଉଠାଇ ନେବା ପରେ ଚଣ୍ତିଖୋଲ ନିକଟରେ ଏନକାଉଂଟର କରିଥିଲା।

ସମ୍ବନ୍ଧିତ ଖବର