ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଚଢ଼େୟାଗର୍ଦ୍ଦ ଗ୍ରାମ କେରାଣ୍ଡିମାଳ ପାହାଡ଼ ସଂଲଗ୍ନ ଘଞ୍ଚ ଜଙ୍ଗଲ ଭିତରେ ମୋଷ୍ଟୱାଣ୍ଟେଡ୍ ଦୁର୍ଦ୍ଦାନ୍ତ ଅପରାଧୀ କୁନା ବେହେରା ଓରଫ ଜଡ଼ା ଓ ତା’ ଗ୍ୟାଙ୍ଗ୍ ଏବଂ ପୁଲିସବାହିନୀ ମଧ୍ୟରେ ଘମାଘୋଟ ସଂଘର୍ଷ, ଗୁଳି ବିନିମୟ ହୋଇଛି। ଗୁଳି ସହ ଘନ ଘନ ବୋମାମାଡ଼ କରି କୁନା ତା’ର ପଲଟଣ ସହ ଚମ୍ପଟ୍ ମାରିଛି। ଆଉ ତା’ର କ୍ୟାମ୍ପ୍ରୁ ପୁଲିସ ବିପୁଳ ପରିମାଣର ମାରଣାସ୍ତ୍ର, ବିସ୍ଫୋରକ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।
ମିଳିଥିବା ସୂଚନାନୁସାରେ, କୁନା ନାଁରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ୨୬ଟି ଡକାୟତି, ହତ୍ୟା, ହତ୍ୟା ଉଦ୍ୟମ ଓ ରାହାଜାନି ଭଳି ମାମଲା ରହିଛି। ୨୦୧୮ ମସିହା ଜୁଲାଇ ୪ ତାରିଖରେ ସେ ପୁଲିସ ଏନ୍କାଉଣ୍ଟରରେ ଗୁରୁତର ହୋଇଥିଲା। ତଥାପି, ଜାମିନରୁ ମୁକୁଳିବା ପରେ ସେ ଚିକିଟି-ଟାମଣା ଘାଟି ସମେତ ବିଭିନ୍ନ ଜଙ୍ଗଲିଆ ଇଲାକାରେ ରହି ସେ ଆତଙ୍କ ଜାରି ରଖିଥିଲ। କିଛିଦିନ ହେଲା କୁନା ତା’ର ସହଯୋଗୀଙ୍କ ସହ ଚଢ଼େୟାଗର୍ଦ୍ଦ ଗ୍ରାମ ନିକଟ ଘଞ୍ଚ ଜଙ୍ଗଲରେ ଡେରା ପକାଇଥିଲା। ଏହା ଜଣାପଡ଼ିବା ପରେ ବ୍ରହ୍ମପୁର ଏସ୍. ପି. ପିନାକ ମିଶ୍ରଙ୍କ ନେତୃତ୍ବରେ ପୁଲିସର ସ୍ବତନ୍ତ୍ର ଟାସ୍କଫୋର୍ସ ରାତିରେ ଦିଗପହଣ୍ଡି ଥାନାରେ ପହଞ୍ଚିଥିଲେ। ଥାନାଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ବରେ ରାତି ପ୍ରାୟ ୧୦ଟାରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା, ଗୋଳନ୍ଥରା ଥାନା ଓ କେ.ନୂଆଗାଁ ଥାନାଧିକାରୀଙ୍କ ସମେତ ବିଭିନ୍ନ ଥାନାରୁ ଆସିଥିବା ବଛାବଛା ଅଧିକାରୀ ମାନେ ଅପରେସନ୍ରେ ସାମିଲ ହୋଇଥିଲେ। ଆଜି ଭୋର୍ ପ୍ରାୟ ୪ଟାରେ ଟାମଣା-ମହୁରୀକାଳୁଆ-ଚଢ଼େୟାଗର୍ଦ୍ଦ ମଧ୍ୟବର୍ତ୍ତୀ ରାମଗୁଡ଼ା ସଂରକ୍ଷିତ ଜଙ୍ଗଲିଆ ପାହାଡ଼ ନିକଟରେ କୁନାର କ୍ୟାମ୍ପକୁ ଚିହ୍ନଟ କରାଯାଇଥିଲା। ଏହା ଜାଣିବା କ୍ଷଣି କୁନା ଓ ତା’ର ସହଯୋଗୀମାନେ ପୁଲିସ ଟିମ୍କୁ ଗାଳିଗୁଲଜ କରିବା ସହ ପାହାଡ଼ଖୋଲରେ ଲୁଚି ରହି ଅତର୍କିତ ଗୁଳିମାଡ଼ କରିଥିଲେ। ଏହାସହ ବୋମା ମାଡ଼ କରି କୁନା ନିଜ ପଲଟଣ ସହ ଫେରାର୍ ହୋଇଯାଇଥିଲେ। ହେଲେ ସୌଭାଗ୍ୟବଶତଃ କୌଣସି ପୁଲିସ କର୍ମଚାରୀ ଏଥିରେ ମୃତାହତ ହୋଇନାହାନ୍ତି।
ପୁଲିସ ଉକ୍ତ କ୍ୟାମ୍ପ୍ରେ ଚଢ଼ଉ କରି ୨ଟି ବନ୍ଧୁକ, ୧୧ଟି ଗୁଳି ଜବତ ହୋଇଛି। ଏହାସହ ଆଡ଼ା ନିକଟରୁ ୫ ରାଉଣ୍ଡ୍ ଗୁଳିର ଖୋକା ଓ ବୋମାର ଟୁକୁରା ଜବତ ହୋଇଛି। ଏ ନେଇ ଦିଗପହଣ୍ଡି ଥାନାରେ କେସ୍ ନମ୍ବର ୨୬୦ ଅନୁସାରେ ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଥିବା ଚିକିଟି ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି।