ବାଲେଶ୍ବର: ଛୁଆ ତୁ କହୁଥିଲୁ ନା... ହେଇ ଦେଖ ମୋ ମାଉଜର୍। ପକେଟରୁ ଗୁଳିଭରା ପିସ୍ତଲ କାଢ଼ି ସାଙ୍ଗକୁ ଦେଖାଇଲା ବେଳେ ହଠାତ ଢ଼ୋ କରି ଫୁଟିଲା। ଖାଲି ଗୁଳି ତ ଫୁଟିଲାନି, ଜଣେ ଯୁବକ ସବୁଦିନ ପାଇଁ ନିଜ ଆଖି ହରାଇବସିଲେ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ସହର ଆର୍ତ୍ତକବିରାଜ ରୋଡ୍ ଟିସି ପଡ଼ିଆରେ ଜଣେ ଯୁବକର ଗୁଳିମାଡ଼ରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁଳି କରିଥିବା ସୁଜଲ୍ ଚୌଧୁରୀ (୨୪) ଓ ଗୁରୁତର ଆହତ କମଲ ଦାସ (୨୫) ଦୁଇ ସାଙ୍ଗ ବୋଲି ଜଣାପଡ଼ିଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କମଲଙ୍କୁ ବାଲେଶ୍ବର ବଡ଼ ଡାକ୍ତରଖାନା ହାସପାତାଳରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସୁଜଲଙ୍କ ଦ୍ବାରା ବ୍ୟବହୃତ ମାଉଜରର ଲାଇସେନ୍ସ ନଥିବାବେଳେ ଏହା ଚୋରା ବନ୍ଧୁକ ବୋଲି ସନ୍ଦେହ କରୁଛି ପୁଲିସ। ତେବେ ଭାତହାଣ୍ଡିରୁ ଇଏ କେବଳ ଗୋଟିଏ ଉଦାହରଣ ମାତ୍ର।
ମାଉଜର୍ ଦେଖାଇ ବାହାଦୁରି ମାରିବା ମହଙ୍ଗା ପଡ଼ିଲା
ମଜାରେ ସାଙ୍ଗ ଫୁଟେଇ ଦେଲା ଗୁଳି; ଯୁବକ ଗୁରୁତର
ବିଳମ୍ବିତ ରାତି ଯାଏ ଚାଲିଥିଲା ଖଟି, ପିସ୍ତଲ ସହ ମାଗାଜିନ୍ ଜବତ
ପୁଲିସ ମାନୁ ବା ନ ମାନୁ, ବାଲେଶ୍ବର ସହର ଏବେ ଅପରାଧୀଙ୍କ ଅମରାବତୀ ପାଲଟିଛି। ବ୍ରାଉନସୁଗାର୍, ମଦ, ଗଞ୍ଜେଇ, ଜିଞ୍ଜର, କଫ୍ ସିରପ୍ ଭଳି ଉତ୍କଟ ନିଶାଦ୍ରବ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ବାଲେଶ୍ବରରେ ଏବେ ଅନେକ ଅପରାଧିକ ତତ୍ତ୍ବ ମୁଣ୍ଡ ଟେକିଛନ୍ତି। ସଞ୍ଜ ତ ସଞ୍ଜ, ଦିନବେଳା ପୁଲିସ ଆଇଜିଙ୍କ ଅଫିସ୍ ସାମ୍ନାରୁ ଛିନ୍ତାଇ କରି ଚମ୍ପଟ୍ ମାରୁଛନ୍ତି ଲୁଟେରା। ସନ୍ଧ୍ୟା ହେଲେ ପାଉଡର୍ ଗୋଷ୍ଠୀଙ୍କ ଉତ୍ପାତ ଆରମ୍ଭ ହେଉଛି, ଆଉ ବିଳମ୍ବିତ ରାତି ଯାଏ ନିଶାଡ଼ି, ଅପରାଧୀଙ୍କ ବେନାମୀ ଆସର ଚାଲୁଛି। କେବଳ ଧର୍ମକୁ ଆଖିଠାର ଭଳି କାଁଭଁ କେତେବେଳେ ପିସିଆର ଭ୍ୟାନ୍ ଥରେ ଅଧେ ବୁଲିଆସୁଛି। ସେଇଥିରେ ପୁଲିସର ବାହାଦୁରି କାହିଁରେ କଣ।
ଶନିବାର ରାତି ପ୍ରାୟ ୧୧ଟା ସମୟରେ ଆର୍ତ୍ତକବିରାଜ ରୋଡ୍ ଅଞ୍ଚଳର ଭୀମ ଦାସଙ୍କ ପୁଅ କମଲ ଓ ତାଙ୍କ ସାଙ୍ଗ ଆକତପୁରର ଅଞ୍ଚଳର ଉମେଶ ଚୌଧୁରୀଙ୍କ ପୁଅ ସୁଜଲ (୨୪) ଖଟିରେ ବସି କଥା ହେଉଥିଲେ। ଏହି ସମୟରେ ସୁଜଲ ତାଙ୍କ ପ୍ୟାଣ୍ଟ୍ ପକେଟ୍ରୁ ବାହାର କରିଥିଲେ ମାଉଜର୍। ବନ୍ଧୁକ ଦେଖାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ଥଟାମଜା ଚାଲିଥିବାବେଳେ ହଠାତ ଫାୟାରିଂ ପଏଣ୍ଟ (ଟ୍ରିଗର)ରେ ହାତ ବାଜିଯାଇଥିଲା ସୁଜଲଙ୍କର। ଆଉ ଗୁଳି ଯାଇ ସିଧା କମଲଙ୍କ ଡାହାଣ ପାର୍ଶ୍ବ ଆଖିରେ ବାଜିଥିଲା। ଜୀବନ ବିକଳରେ ରଡ଼ି ଛାଡ଼ିଥିଲେ କମଲ। ପୂରା ପୋଷାକ ତାଙ୍କର ରକ୍ତରେ ଭିଜି ଯାଇଥିଲା। ସେପଟେ କିଂକର୍ତ୍ତବ୍ୟବିମୂଢ଼ ଅବସ୍ଥାରେ ସୁଜଲ୍ କିଛି ଉପାୟ ନପାଇ ସାଙ୍ଗ କମଲଙ୍କୁ ଡାକ୍ତରଖାନା ନେବା ସହିତ ତାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ଘଟଣା ସଂପର୍କରେ ଜଣାଇଥିଲେ। ତେବେ କମଲଙ୍କ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ସେଠାରୁ ଫେରାର୍ ହୋଇ ଯାଇଥିଲେ ସୁଜଲ୍। ଖବର ପାଇ ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଆଜି କମଲଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ କେସ୍ ନଂ ୨୪୬/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତ ସୁଜଲ୍କୁ ଗିରଫ୍ କରିଛି ପୁଲିସ। ସୁଜଲ୍ଠାରୁ ଏଡିଟିଓ-୧୦୫୩ ମଡେଲର ଗୋଟିଏ ପିସ୍ତଲ, ଗୋଟିଏ ମାଗାଜିନ୍ ଓ ଗୋଟିଏ ଖୋକା ଜବତ କରାଯିବା ସହ ତାଙ୍କୁ କୋର୍ଟଚାଲାଣ କରାଯାଇଛି।
ତେବେ କମଲ ଓ ସୁଜଲ୍ ଦୁଇଜଣ ସାଙ୍ଗ ହୋଇଥିଲେ ବି ଅସାବଧାନତାରୁ ଗୁଳି ଫୁଟିଲା ନା ଆଉ କେଉଁ କାରଣରୁ ଗୁଳି ଫୁଟିଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ସୁଜଲ୍ କେଉଁଠୁ ଏହି ବେଆଇନ୍ ବନ୍ଧୁକ ଆଣିଲେ, ତାଙ୍କ ପରିବାର ଏ ସଂପର୍କରେ ଜାଣିଥିଲେ କି ନାହିଁ, ବିଳମ୍ବିତ ରାତି ଯାଏ ଖଟିରେ ଦୁଇବନ୍ଧୁ କାହିଁକି ବସିଥିଲେ, ସେମାନଙ୍କ ସହିତ ଆଉ କିଏ ସବୁ ଥିଲେ, ସେ ସଂପର୍କରେ ପୁଲିସ ପକ୍ଷରୁ ଖୋଳତାଡ଼ ଚାଲିଥିବା ଟାଉନ୍ ଡିଏସ୍ପି ବ୍ରଜେଶ୍ବରୀ ବଳ ସୂଚନା ଦେଇଛନ୍ତି।