ପୁରୀ: ଡେଲାଙ୍ଗ ଆଶୀର୍ବାଦ ହତ୍ୟା ଘଟଣାରେ ଗ୍ରାମବାସୀଙ୍କ ଅଭିଯୋଗ ସତ ପ୍ରମାଣିତ ହୋଇଛି। ଅଭିଯୁକ୍ତ ପ୍ରଭାକର ସାହୁ ଓରଫ ବାପି (୩୮)ର ଯୌନ ରାକ୍ଷସ ପ୍ରବୃତ୍ତି ନିରୀହ ଶିଶୁର ଜୀବନ ନେଇଛି। ଅଭିଯୁକ୍ତ ନିଜର ଯୌନ ଲାଳସା ଚରିତାର୍ଥ କରିବା ପାଇଁ ଆଶୀର୍ବାଦଙ୍କୁ ପ୍ରଲୋଭିତ କରିବା ପରେ, ଘଟଣା ପ୍ରଘଟ ହୋଇଯିବା ଭୟରେ ହତ୍ୟାକାଣ୍ଡ ଭିଆଇଥିବା ପୁଲିସ ଆଗରେ ସ୍ବୀକାର କରିଛି। ଏସ୍ପି ବିନୀତ ଅଗ୍ରୱାଲଙ୍କ ସୂଚନା ମୁତାବକ, ଗତ ୧୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟା୪୫ରେ ବାପି ରତନପୁର ଗ୍ରାମର ଏକ ପରିତ୍ୟକ୍ତ ଘର ପଛପଟେ ଥଣ୍ଡା ପାନୀୟ ପିଇବା ସହ ବସି ୟୁଟ୍ୟୁବ୍ ଭିଡିଓ ଦେଖୁଥିଲା। ଏହି ସମୟରେ ଆଶୀର୍ବାଦ ଗରମ ଯୋଗୁ ନିଜର ସାର୍ଟ ଓହ୍ଲାଇ ସେହିଘରକୁ ଫେରୁଥିଲେ। ବାପି ଆଶୀର୍ବାଦଙ୍କୁ ପାଖକୁ ଡାକି ୪ଟି କ୍ରିକେଟ୍ ବଲ୍ କିଣିବା ପାଇଁ ୧୦୦ ଟଙ୍କା ଦେବାକୁ ପ୍ରଲୋଭିତ କରିଥିଲା। ପ୍ରତିବଦଳରେ ଅଭିଯୁକ୍ତ ଆଶୀର୍ବାଦଙ୍କ ଗୁପ୍ତାଙ୍ଗ ସ୍ପର୍ଶ କରିବା ପାଇଁ ସର୍ତ୍ତ ରଖିଥିଲା। ଆଶୀର୍ବାଦ ୪ଟି ବଲ୍ ପାଇବା ଆଶାରେ ଏଥିରେ ରାଜି ହୋଇଯାଇଥିଲା।
ବଲ୍ ପାଇଁ ୧୦୦ ଟଙ୍କା ଦେବାର ପ୍ରଲୋଭନ ଦେଖାଇଥିଲା
ଏହି ସମୟରେ ଆଶୀର୍ବାଦଙ୍କୁ ତା’ର ସମ୍ପର୍କୀୟ ଦାଦା ଡାକ ଛାଡ଼ିଥିଲେ। ଏହା ଅଭିଯୁକ୍ତ ମଧ୍ୟ ଶୁଣିଥିଲା। ବଲ୍ ପାଇଁ ଉଦ୍ଦିଷ୍ଟ ଟଙ୍କା ନଦେଲେ ବାପି ଗୁପ୍ତାଙ୍ଗକୁ ସ୍ପର୍ଶ କରିଥିବା କଥା ତା’ର ଦାଦା ଓ ଅନ୍ୟ ଗ୍ରାମବାସୀଙ୍କୁ ଜଣେଇଦେବ ବୋଲି କହିଥିଲା। ଏଥିରେ ଅଭିଯୁକ୍ତ ଭୟଭୀତ ହୋଇଯାଇଥିଲା। ଆଶୀର୍ବାଦର ମୁହଁକୁ ଏକ ଗଞ୍ଜିରେ ଚାପି ଧରିଥିଲା। ଛଟପଟ ହୋଇ ଆଶୀର୍ବାଦ ପ୍ୟାଣ୍ଟରେ ମଳତ୍ୟାଗ କରିଦେଇଥିଲେ। କିଛି ସମୟ ପରେ ଆଶୀର୍ବାଦ ଛଟପଟ ହୋଇ ନିରବ ହୋଇଯିବାରୁ ମରିଯାଇଥିବା ସନ୍ଦେହ କରି କେଳୁଚରଣ ସାହୁଙ୍କ ଘର ପଛରେ ଥିବା ସେପ୍ଟିକ ଟ୍ୟାଙ୍କରେ ପକେଇ ଦେଇଥିଲା। ଏଥିସହ ଆଶୀର୍ବାଦ ପିନ୍ଧିଥିବା ପୋଷାକ ସବୁକୁ ୧୦୦ ମିଟର ଦୂରରେ ଫିଙ୍ଗି ଦେଇଥିଲା। ସେପ୍ଟିକ୍ ଟ୍ୟାଙ୍କରେ ଆଶୀର୍ବାଦର ମୃତଦେହ ପଡ଼ିଥିବା ଅଭିଯୁକ୍ତ ସ୍ବୀକାର କରିବା ପରେ ପୁଲିସ ମୃତଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶବ ଉଦ୍ଧାରର ଗୋଟିଏ ଦିନ ପରେ ଅର୍ଥାତ୍ ଆଜି ଅଭିଯୁକ୍ତର ସୂଚନା ମୁତବାକ ଆଶୀର୍ବାଦର ପୋଷାକ ଅନ୍ୟ ଏକ ସେପ୍ଟି୍କ ଟ୍ୟାଙ୍କରୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ମୃତ ଆଶୀର୍ବାଦଙ୍କ ସାଇକେଲ୍ ଚାବି, ପକେଟରେ ଥିବା ଦୁଇଟି ନଟୁ ଓ ଏକ ସୂତା, ଅଭିଯୁକ୍ତର ଏକ ଗାମୁଛା, ଟି-ସାର୍ଟ ଓ ରେଡ୍ମି ମୋବାଇଲ୍ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଗତ ୨୧ ତାରିଖ ରାତିରେ ଅଭିଯୁକ୍ତକୁ ଗିରଫ କରି ପକ୍ସୋ ଆକ୍ଟ (ସ୍ବତନ୍ତ୍ର ଜଜ୍ କୋର୍ଟ) ଚାଲାଣ କରିଛି। ସାମ୍ବାଦିକ ସମ୍ମିଳନୀରେ ଏସ୍ପିଙ୍କ ସମେତ ଅତିରିକ୍ତ ଏସ୍ପି ସୁଶୀଲ ମିଶ୍ର ଓ ବିଷ୍ଣୁପ୍ରସାଦ ପତି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।
ନାବାଳିକାଙ୍କୁ ଜଙ୍ଗଲରେ ଗଣଦୁଷ୍କର୍ମ କରି ଛାଡ଼ିଦେଲେ, ଧରାହେଲେ ୩ ଅଭିଯୁକ୍ତ
ସୁନ୍ଦରଗଡ଼/ବାଲିଶଙ୍କରା: ଚାଲିଚାଲି ଯାଉଥିବା ୩ ନାବାଳିକାଙ୍କୁ ବୋଲେରୋରେ ଉଠାଇ ନେବାକୁ ଚେଷ୍ଟା କଲେ। ଦୁଇ ନାବାଳିକା ବର୍ତ୍ତିଗଲେ। ହେଲେ ଜଣେ କିନ୍ତୁ ଦୁର୍ବୃତ୍ତଙ୍କ କବ୍ଜାରେ ପଡ଼ିଗଲେ। ନାବାଳିକାକୁ ଗାଡ଼ିରେ ଉଠାଇ ନେଇ ଜଙ୍ଗଲରେ ୩ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ପରେ ଘନ ଅନ୍ଧାରରେ ଜଙ୍ଗଲିଆ ରାସ୍ତାରେ ଛାଡ଼ି ଚାଲିଗଲେ। ସୋମବାର ବିଳମ୍ବିତ ରାତିରେ ଏପରି ଜଘନ୍ୟ କାଣ୍ଡ ଘଟିଛି ତଳସରା ଥାନା ଅଞ୍ଚଳରେ। ପୁଲିସ ତତ୍ପରତା ଦେଖାଇ ୩ ଅଭିଯୁକ୍ତଙ୍କୁ ମାତ୍ର କିଛିଘଣ୍ଟା ମଧ୍ୟରେ ଗିରଫ କରିବା ସହ ବୋଲେରୋକୁ ଜବତ କରିଛି। ଦୁଷ୍କର୍ମକାରୀଙ୍କ ମଧ୍ୟରେ ଜଣେ ନାବାଳକ ଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ତଳସରା ଥାନା ତୁମୁଲିଆର ଅଙ୍କିତ ଆପଟ (୨୩) ଓ ଧରୁଆଡିହି ଥାନା ବଘେଇପାଲିର ଲୁଲେନ୍ଦୁ ନାଏକ (୩୩)।
ସୋମବାର ରାତିରେ ଏକୋଇଶିଆ ଭୋଜିଖାଇ ଦୁଇ ସାଙ୍ଗଙ୍କ ସହ ପୀଡ଼ିତା ନାବାଳିକା ବିଳମ୍ବିତ ରାତିରେ ଚାଲିଚାଲି ଘରକୁ ଫେରୁଥିଲେ। ନିଛାଟିଆ ରାସ୍ତାରେ ତିନିଜଣ ଦୁର୍ବୃତ୍ତ ଏକ ବୋଲେରୋରେ ପିଛା କରିଥିଲେ। ଅନ୍ୟ ଦୁଇ ନାବାଳିକା ଦୌଡ଼ି ପଳାଇ ଯାଇଥିଲେ। କିନ୍ତୁ ପୀଡ଼ିତା ଦୌଡ଼ିବା ବେଳେ ପଡ଼ି ଯାଇଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଉଠାଇ ନେଇ ଜଙ୍ଗଲରେ ଗଣଦୁଷ୍କର୍ମ କରିବା ପରେ ନାବାଳିକାଙ୍କୁ ଘାଟିରାସ୍ତାରେ ଛାଡ଼ିଦେଇ ଚମ୍ପଟ ମାରିଥିଲେ। ପରିବାର ଲୋକେ ନାବାଳିକାକୁ ଉଦ୍ଧାର କରି ମଙ୍ଗଳବାର ତଳସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକରଙ୍କ ନିର୍ଦ୍ଦେଶରେ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ତତ୍ତ୍ବାବଧାନରେ ତଳସରା ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ମୋବାଇଲ୍ ଫୋନ୍ ଟ୍ରାକ୍ କରି ସୁନ୍ଦରଗଡ଼ ସହରରୁ ଗିରଫ କରିଛି।