ପୁଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ: ବନ୍ଧୁକ ଧରି ଡ୍ୟାନ୍ସ କରୁଛନ୍ତି, ଖଣ୍ଡା ଫଟୋ ଷ୍ଟାଟସ୍‌ ଦେଉଛନ୍ତି

ସମ୍ବଲପୁର: ସମ୍ବଲପୁର ସହର ଏବେ ଅପରାଧୀଙ୍କ ଗନ୍ତାଘର ପାଲଟିଲାଣି। ଏକଥା ଆମେ କହୁନୁ, ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଥିବା କିଛି ଚିତ୍ର ଏହାକୁ ଦର୍ଶାଉଛି। ବନ୍ଧୁକ ଧରି ଡ୍ୟାନ୍ସ କରୁଥିବା ବେଳର ଭିଡିଓ ଭାଇରାଲ୍‌ ହେଉଥିବା ବେଳେ ବିଭିନ୍ନ ଖଣ୍ଡାର ଫଟୋ ଲୋକେ ଷ୍ଟାଟସ୍‌ ଦେବା ଆରମ୍ଭ କଲେଣି। ଏସବୁ ଚିତ୍ରକୁ ଦେଖିଲେ ସମ୍ବଲପୁର ସହରରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଜ୍ୟସ୍ତ ହୋଇପଡ଼ିଛି କହିଲେ ଭୁଲ ହେବ ନାହିଁ। ଅନ୍ୟପଟେ ଗୁଣ୍ଡାମାନେ ଏବେ ପୁଲିସକୁ ଭୟ କରିବା ତ ଦୂରର କଥା ବିଭିନ୍ନ ମାରଣାସ୍ତ୍ର ଧରି ଭିଡିଓ ଜାରି କରିବା ସହ ଚ୍ୟାଲେଞ୍ଜ କରୁଛନ୍ତି।

ନିକଟରେ କ୍ଷେତରାଜପୁର ଥାନା ଅଞ୍ଚଳରେ କିଛି ଯୁବକ ମଦ ପିଇ ବନ୍ଧୁକ ଧରି ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ୍‌ ହୋଇଥିଲା। ଏଥିରେ ଜଣେ ଯୁବକ ଏକ ବନ୍ଧୁକ ଧରି ସମ୍ବଲପୁରୀ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଆଉକିଛି ବ୍ୟକ୍ତି ନିଜ ହ୍ବାଟ୍ସଆପ୍‌ ଓ ଫେସ୍‌ବୁକ୍‌ ଷ୍ଟାଟସ୍‌ରେ ବିଭିନ୍ନ ଅସ୍ତ୍ରଶସ୍ତ୍ରର ଫଟୋ ଛାଡ଼ି ନିଜକୁ ଗ୍ୟାଙ୍ଗଷ୍ଟାର୍‌ କହୁଥିବା ମଧ୍ୟ ସାମ୍ନାକୁ ଆସିଛି। ୨ଟି ଖଣ୍ଡା ଧରି ୨ ଜଣ ଯୁବକ ଷ୍ଟାଟସ୍‌ରେ ଲେଖିଛନ୍ତି, ‘ବିହାର ସେ ଆୟା ହତିଆର୍‌, ରୁଲ୍‌ ସୁରୁ ହେବା’। ଏଭଳି ଭାବେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦିଆଯାଉଛି। ତେବେ ଏହି ଫଟୋ କିଏ ଷ୍ଟାଟସ୍‌ ଦେଇଛି, ତାହା ସ୍ପଷ୍ଟ ହୋଇପାରି ନାହିଁ।

ଅନ୍ୟପଟେ ବନ୍ଧୁକ ଧରି ଡ୍ୟାନ୍ସ କରୁଥିବା ଯୁବକ ଜଣକ କ୍ଷେତରାଜପୁର ଥାନା ଦଲଦଲିପଡ଼ାର ସୋନୁ ଯାଦବ ବୋଲି ଜଣାପଡ଼ିଥିବା ବେଳେ ପୁଲିସ ତାକୁ ଅଟକ ରଖି ପଚରା ଉଚରା କରୁଥିବା କହିଛି। ଅନ୍ୟପଟେ ପୁଲିସ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଥିବା କହିଛି। ଅନ୍ୟ ଏକ ଭିଡିଓରେ ଅପରାଧୀଙ୍କ ସହ ଜଣେ ଅଭିନେତା ମଧ୍ୟ ବସିଥିବା ଭାଇରାଲ୍‌ ହେବାରେ ଲାଗିଛି। ତେବେ କିଛି ଦିନ ତଳେ ଉକ୍ତ ଅଞ୍ଚଳରେ ୨ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ଓ ମାର୍‌ପିଟ୍‌ ହୋଇଥିଲା। ସେହି ଘଟଣା ପରେ ଏହି ଭିଡିଓ ଗୁଡ଼ିକ ଭାଇରାଲ୍‌ ହେବାରେ ଲାଗିଛି। ତେବେ ସାମାଜିକ ଗଣମାଧ୍ୟମରେ ଖୋଲା ଚ୍ୟାଲେଞ୍ଜ କରୁଥିବା ଏହି ଅଭିଯୁକ୍ତମାନଙ୍କ ବିରୋଧରେ ପୁଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକ ରହିଲା।

ସମ୍ବନ୍ଧିତ ଖବର