ସମ୍ବଲପୁର/ବୁର୍ଲା : ଭିମ୍‌ସାର୍‌ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ମେଡିକାଲ୍ କଲେଜ୍‌ରେ ୪୦୦ ଜଣ ଆସିଷ୍ଟାଣ୍ଟ ପ୍ରଫେସର୍‌ ନିଯୁକ୍ତି ନିମନ୍ତେ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପ୍ରକ୍ରିୟାରେ ୧୯ ଜଣ ସୁପର୍‌ ସ୍ପେସାଲିଟି ଓ ୩୮୧ ଜଣ ବ୍ରଡ୍‌ ସ୍ପେସାଲିଟି ଡାକ୍ତର ସ୍ଥାୟୀ ଭାବେ ନିଯୁକ୍ତ ହେବେ। ଓଡ଼ିଶା ମେଡିକାଲ୍ ଏଜୁକେସନ୍‌ ସର୍ଭିସ୍‌ କ୍ୟାଡର୍‌ରେ ଏହି ଡାକ୍ତରମାନେ ନିଯୁକ୍ତ ହେବେ। ରାଜ୍ୟର ସମସ୍ତ ମେଡିକାଲ୍ କଲେଜ୍‌ ପାଇଁ ଏହି କ୍ୟାଡର୍‌ରେ ଡାକ୍ତର ନିଯୁକ୍ତି ହେଉଥିଲାବେଳେ ଭିମସାର୍‌ ପାଇଁ ସ୍ବତନ୍ତ୍ର କ୍ୟାଡର୍‌ ରହିଛି। ସ୍ବୟଂଶାସିତ ମହାବିଦ୍ୟାଳୟ ଭାବେ ଭିମସାର୍‌ ନିଜେ ନିଜ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିବା କଥା। ମାତ୍ର ଭିମସାର୍‌ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଓଏମ୍‌ଇଏସ୍‌ କ୍ୟାଡର୍‌ର ବିଜ୍ଞପ୍ତି ପ୍ରକାଶ ଦ୍ୱାରା ଏହି ଏକମାତ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଘୋର ଡାକ୍ତର ସଂକଟ ଆଶଂକା ସୃଷ୍ଟି ହୋଇଛି।

Advertisment

publive-image Daily Times

ବର୍ତ୍ତମାନ ଭିମସାର୍‌ର ବିଭିନ୍ନ ବିଭାଗରେ ପାଖାପାଖି ୫୦ ଆସିଷ୍ଟାଣ୍ଟ ପ୍ର‌େଫସର୍ ପଦ ଖାଲି ଥିଲାବେଳେ ୪୦ ଜଣ ଚୁକ୍ତିଭିତ୍ତିକ (ଅସ୍ଥାୟୀ) ଭାବେ କାର୍ଯ୍ୟ କରୁଛନ୍ତି। ଓଏମ୍‌ଇଏସ୍‌ କ୍ୟାଡର୍‌ରେ ସ୍ଥାୟୀ ନିଯୁକ୍ତି ପାଇଲେ ଏଠାରେ କାର୍ଯ୍ୟରତ ଅସ୍ଥାୟୀ ଆସିଷ୍ଟାଣ୍ଟ ପ୍ରଫେସର୍‌ମାନେ ଚାଲିଯିବା ପ୍ରାୟତଃ ନିଶ୍ଚିତ। ଫଳରେ ଭିମସାର୍‌ରେ ପ୍ରାୟ ୧୦୦ ଡାକ୍ତରଙ୍କ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେବ। ଓଏମ୍ଇଏସ୍‌ ନିଯୁକ୍ତି ଆଗୁଆ ହୋଇଗଲେ ଓ ଭିମସାର୍‌ କର୍ତ୍ତୃପକ୍ଷ ପରେ ବିଜ୍ଞପ୍ତି ପ୍ରକାଶ କଲେ ବୁର୍ଲାରେ ନିଯୁକ୍ତି ପାଇଁ ଡାକ୍ତର ମିଳିବା ଆଶା କମ୍। ବିଶେଷ କରି ଚାହିଦା ଅଧିକ ଓ ଡାକ୍ତର କମ୍ ଥିବା ଗୁରୁତ୍ବପୂର୍ଣ୍ଣ ବିଭାଗଗୁଡ଼ିକ ଖାଲି ରହିବା ସାର ହେବ। ତେଣୁ ଏହାକୁ ଭିମସାର୍‌ ସମେତ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମହଲରେ ଚିନ୍ତାବ୍ୟକ୍ତ କରାଯାଇଛି।

publive-image vimsar.ac.in

ଭିମସାର୍‌ରେ ନିଯୁକ୍ତିକୁ ନେଇ ଏବେ ବି ଦ୍ବନ୍ଦ୍ବ ଲାଗି ରହିଛି। ଡା. ଅଶ୍ବିନୀ ପୂଜାହାରୀ ନିର୍ଦ୍ଦେଶକ ଥିବାବେଳେ ମାତ୍ର ଗୋଟିଏ ଥର ପାଇଁ ଭିମସାର୍‌ରେ ସ୍ଥାୟୀ ଡାକ୍ତର ନିଯୁକ୍ତି ସମ୍ଭବ ହୋଇଥିଲା। ଏପର୍ଯ୍ୟନ୍ତ ଏହି ଅନୁଷ୍ଠାନ ଆଉ କୌଣସି ସ୍ଥାୟୀ ଡାକ୍ତର ନିଯୁକ୍ତି କରିପାରି ନାହିଁ। ଏହାର କ୍ୟାଡର୍‌କୁ ଓଏମ୍‌ଇଏସ୍‌ରେ ମିଶ୍ରଣ ପାଇଁ କିଛି ଡାକ୍ତର ଦାବି କରୁଥିଲାବେଳେ ସ୍ଥାନୀୟ ଲୋକେ ଏହାର ଜୋରଦାର ବିରୋଧ କରୁଛନ୍ତି। ସେହିପରି ଭିମସାର୍‌ର ନିଯୁକ୍ତି ଓପିଏସ୍‌ସି ଜରିଆରେ କରାଇବାକୁ ନିର୍ଦ୍ଦେଶକ ଲେଖିଥିବା ଚିଠିକୁ ମଧ୍ୟ ସମ୍ବଲପୁର ଓ ପଶ୍ଚିମ ଓଡ଼ିଶାବାସୀ ବିରୋଧ କରୁଛନ୍ତି। ଏହାଦ୍ବାରା ଭିମସାର୍‌କୁ ବହୁ କଷ୍ଟରେ ମିଳିଥିବା ସ୍ବାୟତ୍ତତା ବିପନ୍ନ ହେବ ବୋଲି ସେମାନେ ଆଶଂକା କରୁଛନ୍ତି। ଅପର ପକ୍ଷରେ ଭିମସାର୍‌ କର୍ତ୍ତୃପକ୍ଷଙ୍କୁ ସ୍ବାଧୀନ ଭାବେ ନିଯୁକ୍ତି ପାଇଁ ରାଜ୍ୟ ସରକାର ପୂର୍ଣ୍ଣ ସ୍ବାଛନ୍ଦ୍ୟ ପ୍ରଦାନ କରୁ ନାହାନ୍ତି। ଏଥିରେ ନାନା ପ୍ରକାର କେଁ ପୂରାଯାଉଛି। ଏହାର ବୋର୍ଡ ନିଷ୍ପତ୍ତି, ସରକାରଙ୍କ ଅନୁମତି, ‌ବିଜ୍ଞପ୍ତି ଓ ନିଯୁକ୍ତି ପ୍ରକ୍ରିୟା ବେଶ ଜଟିଳ ହୋଇଥିବାବେଳେ ଓପିଏସ୍‌ସି ତା’ର ଯଥେଷ୍ଟ ପୂର୍ବରୁ ସମସ୍ତ ପ୍ରକ୍ରିୟା ଶେଷ କରିବା ସମ୍ଭାବନା ରହିଛି। ତେଣୁ ଭିମସାର୍‌ କର୍ତ୍ତୃପକ୍ଷ ଯୁଦ୍ଧକାଳୀନ ଭିତ୍ତିରେ ଆଗୁଆ ନିଯୁକ୍ତି ଦେବାକୁ ଦାବି ହୋଇଛି। ଏହା ପୂର୍ବରୁ ଅନୁଷ୍ଠିତ ଭିମସାର୍‌ ପରିଚାଳନା ବୋର୍ଡ ବୈଠକରେ ନିଯୁକ୍ତି ପାଇଁ ନିର୍ଦ୍ଦେଶକଙ୍କୁ ଅନୁମତି ଦିଆଯାଇ ସାରିଛି। ତେଣୁ ଭିମସାର୍‌ ପାଇଁ ପ୍ରଥମ ପସନ୍ଦର ଡାକ୍ତର ପାଇବାକୁ ହେଲେ ଏଠାରେ ଆଗୁଆ ନିଯୁକ୍ତି କରାଯାଉ ଓ ସରକାର ଓଏମ୍‌ଇଏସ୍‌ ନିଯୁକ୍ତି ପ୍ରକ୍ରିୟାକୁ ବିଳମ୍ବିତ କରନ୍ତୁ ବୋଲି ‌ଦାବି ହୋଇଛି।