ଭୁବନେଶ୍ବର : ୨୦୨୧ ମସିହା ଖରିଫରେ ସାର ପାଇଁ ଦହଗଞ୍ଜ ହୋଇଥିଲେ ଚାଷୀ। ଏପରିକି ବିଭିନ୍ନ ସ୍ଥାନରେ ଉତ୍ତେଜନାମୂଳକ ସ୍ଥିତି ସହିତ ମାର୍ପିଟ ପର୍ଯ୍ୟନ୍ତ କଥା ଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକତାର ମାତ୍ର ୬୦ ପ୍ରତିଶତ ସାର ଯୋଗାଣ ଯୋଗୁଁ ଏଭଳି ଅବସ୍ଥା ହୋଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଚିଠି, ଓଡ଼ିଆ ସାଂସଦଙ୍କ ସାକ୍ଷାତ ପରେ ଅତିରିକ୍ତ ୧୫ ପ୍ରତିଶତକୁ ମିଶାଇ ଅନ୍ତିମ ପର୍ଯ୍ୟାୟ ବେଳକୁ ୭୫ ପ୍ରତିଶତ ସାର ଓଡ଼ିଶାକୁ ଦେଇଥିଲା କେନ୍ଦ୍ର। ସେତେବେଳକୁ ଅନେକ ଚାଷୀ ଚାଷ କାର୍ଯ୍ୟ ସାରି ଦେଇଥିଲେ। ତେଣୁ ଚଳିତ ବର୍ଷ ସାର ଯୋଗାଣ କେମିତି ରହିବ ଆରମ୍ଭରୁ ହିଁ ଚାଷୀଙ୍କ ମଧ୍ୟରେ ଉତ୍କଣ୍ଠା ରହିଥିଲା। ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ୟୁରିଆ ଯୋଗାଣ ସ୍ବାଭାବିକ ରହିଛି। ଡିଏପି ଏବଂ ଏମଓପି ଯୋଗାଣ ଆବଶ୍ୟକତା ଠାରୁ କମ ଥିଲେ ମଧ୍ୟ ଗତବର୍ଷ ଭଳି ଅସୁବିଧା ହେବ ନାହିଁ ବୋଲି ରାଜ୍ୟ କୃଷି ବିଭାଗ ଆଶା କରିଛି। ଡିଏପି ଦର ୧୨୦୦ରୁ ୧୩୫୦ ଏବଂ ଏମଓପି ଦର ୧୦୫୦ରୁ ଏକାସହିତ ୧୭୦୦ ଟଙ୍କାକୁ ବୃଦ୍ଧି ଚାଷୀଙ୍କୁ କନ୍ଦାଉଛି। ୟୁରିଆ ଦର ୨୬୬.୫୦ ଟଙ୍କା ରହିଛି।
/sambad/media/post_attachments/wp-content/uploads/2021/10/urea-fertilizr-300x200.jpg)
କୃଷି ବିଭାଗର ସୂଚନା ଅନୁସାରେ, ଚଳିତ ଖରିଫରେ ୬୧ ଲକ୍ଷ ହେକ୍ଟର ଚାଷ କାର୍ଯ୍ୟକ୍ରମରୁ ୩୪ ଲକ୍ଷ ହେକ୍ଟର ଧାନ ଚାଷ। ଏଥିପାଇଁ ୪ ଲକ୍ଷ ମେଟ୍ରିକ ଟନ ୟୁରିଆ ସାରର ଆବଶ୍ୟକତା ରହିଛି। ଖରିଫ ଆରମ୍ଭରୁ ପୂର୍ବ ବର୍ଷର ୭୯ ହଜାର ମେଟ୍ରିକ ଟନ ବଳକା ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ପକ୍ଷରୁ ୧ ଲକ୍ଷ ୫୭ ହଜାର ମେଟ୍ରିକ ଟନ ଯୋଗାଣ ହୋଇ ସାରିଛି। ଅର୍ଥାତ ୨ ଲକ୍ଷ ୩୬ ହଜାର ମେଟ୍ରିକ ଟନରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୦ ହଜାର ମେଟ୍ରିକ ଟନ ବିକ୍ରି ହୋଇ ବାକି ୧ ଲକ୍ଷ ୫୫ ହଜାର ମେଟ୍ରିକ ଟନ ଗଚ୍ଛିତ ରହିଛି। ବାକି ସାର ମଧ୍ୟ ଖୁବ ଶୀଘ୍ର ଆସିଯିବ ବୋଲି ଆଶା ରହିଛି। ଜୁନ ମାସ ସୁଦ୍ଧା ଯେତିକି ୟୁରିଆ ଯୋଗାଣ ହୁଏ ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ହୋଇଛି। ଖରିଫ ଋତୁ ସମାପ୍ତ ହୋଇନଥିବାରୁ ଆଗାମୀ ଦିନରେ ସ୍ଥିତି କ’ଣ ହେବ କହି ହେବ ନାହିଁ।
/sambad/media/post_attachments/wp-content/uploads/2021/07/urea4-300x169.jpg)
ତେବେ ଆବଶ୍ୟକତା ଅନୁସାରେ ଡିଏପି ଯୋଗାଣ ହୋଇ ପାରିନାହିଁ। ଅର୍ଥାତ ଚଳିତ ବର୍ଷ ୨ ଲକ୍ଷ ମେଟ୍ରିକ ଟନ ଡିଏପିର ଆବଶ୍ୟକତା ରହିଛି। ସେଥିରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୭୦ ହଜାର ଟନ ମିଳିବା ଉଚିତ। ୧୪ ହଜାର ଗତବର୍ଷର ବଳକା ରହିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୬୩ ହଜାର ମେଟ୍ରିକ ଟନ ମିଳିଛି। ଅର୍ଥାତ ଡିଏପି ଯୋଗାଣ ସମସ୍ୟା ରହିଛି। ଖରିଫରେ ୧ ଲକ୍ଷ ମେଟ୍ରିକ ଟନ ଏମଓପି ଯୋଗାଣ ଲକ୍ଷ୍ୟ ରହିଛି। ସେଥିରୁ ଗତବର୍ଷ ବଳକା ୧୦ ହଜାର ମେଟ୍ରିକ ଟନ ରହିଛି। କେନ୍ଦ୍ର ପକ୍ଷରୁ ୧୩ ହଜାର ମେଟ୍ରିକ ଟନ ଦିଆଯାଇଛି। ଚଳିତ ମାସ ଶେଷ ସୁଦ୍ଧା ୩୦ ହଜାର ମେଟ୍ରିକ ଟନର ଏମଓପି ଆସିବା କଥା ଯାହା ମିଳି ନାହିଁ। ଏଥିଯୋଗୁଁ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଫପିକେର ଖରିଫ ଆବଶ୍ୟକତା ୨ ଲକ୍ଷ ୨୫ ହଜାର ମେଟ୍ରିକ ଟନ ରହିଛି। ସେଥିରୁ ଚଳିତ ମାସ ଶେଷ ସୁଦ୍ଧା ୯୫ ହଜାର ମେଟ୍ରିକ ଟନ ଦରକାର। ଏଥିରୁ ଗତବର୍ଷର ବଳକା ୨୮ ହଜାର ମେଟ୍ରିକ ଟନ ରହିଛି। କେନ୍ଦ୍ର ପକ୍ଷରୁ ୬୫ ହଜାର ମେଟ୍ରିକ ଟନ ଦିଆଯାଇଛି। ଅର୍ଥାତ ବାକି ଏଫପିକେର ଆବଶ୍ୟକତା ଯଥାଶୀଘ୍ର ପୂରଣର ଆବଶ୍ୟକତା ରହିଛି। ପେକ୍ସ ଏବଂ ଲ୍ୟାମ୍ପ୍ସ ଗୁଡ଼ିକ ସାର ନେବାରେ ଆଗ୍ରହ କରୁ ନାହାନ୍ତି। ଏଥିଯୋଗୁଁ ଅନେକ ସ୍ଥାନରେ ଆବଶ୍ୟକତା ଅନୁସାରେ ସାର ମିଳି ପାରୁ ନାହିଁ। ଏହାକୁ ନେଇ ଯୋଗାଣ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଗତବର୍ଷ ସମ୍ବଲପୁର ଏବଂ ବଲାଙ୍ଗୀରରେ ନକଲି ସାର ଜବତ ହୋଇଥିଲା। ଏହାବାଦ ମଧ୍ୟ ବିଭିନ୍ନ ସ୍ଥାନରେ ବ୍ୟାପକ ଭାବରେ ନକଲି ସାର କାରବାର ହୋଇଥିଲା। ଚଳିତ ବର୍ଷ ଏହା ଉପରେ ଲଗାମ ଲଗାଇବା ପାଇଁ ଚାଷୀମାନେ ଦାବି କରିଛନ୍ତି।