ଦୁର୍ଦ୍ଦିନରେ ଜିଲ୍ଲାର ୬୦୦ ଲାଇଟ୍‌ ଆଣ୍ଡ ସାଉଣ୍ଡ ମାଲିକ

ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ

ରାଉରକେଲା: କରୋନାର ପ୍ରଥମ ଓ ଦ୍ବିତୀୟ ଲହର ମାଡରେ ଠପ୍‌ ହୋଇଯାଇଛି ଅନେକ ବେପାର। କିଛି ବେଉସା ହରାଇଛନ୍ତି ତ ଅନ୍ୟ କିଛି ‌ବେଉସା ବଦଳାଇବାକୁ ବାଧ୍ୟ ହୋଇଛନ୍ତି। ଅନେକଙ୍କୁ ସରକାରୀ ସହାୟତା ମିଳିଛି। ଅନ୍ୟ କିଛି ‌ବ୍ୟବସାୟୀଙ୍କ ଦୁଃଖକୁ ସରକାର ଭୁଲି ଯାଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ରାଉରକେଲା ଲାଇଟ୍‌ ଆଣ୍ଡ ସାଉଣ୍ଡ ବ୍ୟବସାୟୀ। ପୂଜା, ବିଭିନ୍ନ ପର୍ବପର୍ବାଣୀ ଓ ମହୋତ୍ସବକୁ ବେଶ୍‌ ଆକର୍ଷଣୀୟ କରୁଥିବା ଏହି ମାଲିକମାନଙ୍କ ଜୀବନ ଏ‌ବେ ସଙ୍କଟରେ। କରୋନା କଟକଣା ଯୋଗୁ ଗତ ଦୁଇ ବର୍ଷ ଧରି ବନ୍ଦ ରହିଛି ପର୍ବପର୍ବାଣୀ, ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡି କାର୍ଯ୍ୟକ୍ରମ। କାରଣ ଏସବୁ କାର୍ଯ୍ୟକ୍ରମରେ ସେମାନେ ବେଶ୍‌ ଦି’ ପଇସା ରୋଜଗାର କରନ୍ତି। ଅନ୍ୟମାନଙ୍କୁ ରୋଜଗାର ଦିଅନ୍ତି। ଏବେ ‌ଏମାନଙ୍କ ବେପାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଛନ୍ତି।

ଧାର କରଜ କରି ଲାଇଟ୍‌ ସାଉଣ୍ଡରେ ଆବଶ୍ୟକ ଯେଉଁସବୁ ସାମଗ୍ରୀ କିଣିଥିଲେ, ତାହା ‌ଏବେ ନଷ୍ଟ ହେବାକୁ ବସିଲାଣି। କିଛି ବ୍ୟବହାର ନ ହୋଇ ଅକାମୀ ହୋଇ ପଡିଲାଣି। ଆଉ କିଛି ପଡି ପଡି ଖତ ଖାଇଲାଣି। ରୋଜଗାର ନଥିବାରୁ ରାଉରକେଲା ସମେତ ସୁନ୍ଦରଗଡ ଜିଲ୍ଲାର ପାଖାପାଖି ୬୦୦ ଲାଇଟ୍‌ ଆଣ୍ଡ ସାଉଣ୍ଡ ବ୍ୟବସାୟୀ ଏବେ ସଙ୍କଟରେ । ଏମାନଙ୍କ ମଧ୍ୟରେ ରାଉରକେଲା ସହରରେ ରହିଛନ୍ତି ପ୍ରାୟ ୧୫୦ରୁ ଅଧିକ ମାଲିକ। ଯେଉଁମାନେ ଭୋକ ଉପାସରେ ଦିନ କାଟୁଛନ୍ତି। ଏଭଳି ଜଟିଳ ସମୟରେ ଅନ୍ୟମାନଙ୍କୁ ସହାୟତା ଦେଉଥିଲାବେଳେ ସରକାର ଏମାନଙ୍କ ଦୁଃଖକୁ ସମ୍ପୂର୍ଣ୍ଣ ପାସୋରି ଯାଇଛନ୍ତି। ଜିଲ୍ଲା ପ୍ରଶାସନ ଜରିଆରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ ଆଜି ପର୍ଯ୍ୟନ୍ତ ଏମାନଙ୍କୁ ଟଙ୍କାଟିଏ ସହୟତା ମିଳି ନାହିଁ।

ସରକାରଙ୍କ ଏଭଳି ପାତରଅନ୍ତର ନୀତି ପ୍ରତିବାଦରେ ବୁଧବାର ରାଉରକେଲା ଲାଇଟ୍‌ ଆଣ୍ଡ ସାଉଣ୍ଡ ସଂଘ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଉଛି। ସଂଘର ସଭାପତି ବିକାଶ ମହାନ୍ତି, ସାଧାରଣ ସମ୍ପାଦକ ଦିଗାମ୍ବର ପାଣିଗ୍ରାହୀ, କୋଷାଧ୍ୟକ୍ଷ ସହଦେବ ସାମନ୍ତରାୟ, କାର୍ଯ୍ୟକାରୀ ସଭାପତି ରାଜେଶ ସାହୁଙ୍କ ନେତୃତ୍ବରେ ସେକ୍ଟର-୨ ବସଷ୍ଟାଣ୍ଡରୁ ଶୋଭାଯାତ୍ରା ବାହାରିବ। ଶୋଭାଯାତ୍ରାରେ ସହରରେ ଲାଇଟ୍‌ ଓ ସାଉଣ୍ଡ ବ୍ୟବସାୟ କରୁଥିବା ଶତାଧିକ ମାଲିକ ସାମିଲ ହେବେ। ଶୋଭାଯାତ୍ରାରେ ବ୍ୟବସାୟୀମାନେ ମ୍ୟୁଜିକ୍‌ ଟ୍ରଲି ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଗୁଡ଼ିକ ନେଇ ଶୋଭାଯାତ୍ରାରେ ବାହାରିବେ। ଶୋଭାଯାତ୍ରା ରିଂ ଦେଇ ବିର୍ସା ମୁଣ୍ଡା ଛକରେ ପହଞ୍ଚିବ। ସେଠାରୁ ରିଂ ରୋଡ ଦେଇ ଉଦିତନଗର ଆମ୍ବେଦକର ଛକ ହୋଇ ରାଉରକେଲା

ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବେ। ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ସଭାପତି ଶ୍ରୀ ମହାନ୍ତି, କାର୍ଯ୍ୟକାରୀ ସଭାପତି ଶ୍ରୀ ସାହୁ କହିଛନ୍ତି କରୋନା ମାଡ଼ରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ବ୍ୟବସାୟୀଙ୍କୁ ବେଶି କ୍ଷତି ସହିବାକୁ ପଡିଛି। ଦୁଇ ବର୍ଷ ଧରି ରୋଜଗାର ଅନ୍ୟ କିଛି ପନ୍ଥା ନଥିବାରୁ ଶହ ଶହ ଲାଇଟ୍‌ ସାଉଣ୍ଡ ବ୍ୟବସାୟୀଙ୍କ ପରିବାର ଦିନକୁ ଠିକ୍ ଭାବେ ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି। କିଛି ଲାଇଟ୍‌ ସାଉଣ୍ଡ କର୍ମଚାରୀ ପରିବାର ପ୍ରତିପୋଷଣ ପାଇଁ ରାସ୍ତାକଡରେ ଆଳୁ ପିଆଜ ବେପାର କରୁଛନ୍ତି। ଅନ୍ୟ କିଛି ଲୋକ ପରିବାର ଓ ଜଳଖିଆ ଦୋକାନ କରିଛନ୍ତି। ସରକାର ଅନ୍ୟମାନଙ୍କ ପରି ଆମକୁ ଏଭଳି କଠିନ ସମୟରେ କିଛି ସହୟତା କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର