ଶିକ୍ଷାର ବିକଳ ଚିତ୍ର : ଅବହେଳିତ ଅବସ୍ଥାରେ ବେଲଗୁଣ୍ଠା ବାଳିକା ଉଚ୍ଚ ବିଦ୍ୟାଳୟ

ବେଲଗୁଣ୍ଠା: ବେଲଗୁଣ୍ଠା ସହରରେ ଦେଖିବାକୁ ମିଳିଛି ଶିକ୍ଷାର ବିକଳ ଚିତ୍ର। ସହରରେ ଥିବା ଏକମାତ୍ର ବାଳିକା ଉଚ୍ଚବିଦ୍ୟାଳୟ ଏବେ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଶିକ୍ଷାର ଭିତ୍ତିଭୂମିର ବିକାଶ ପାଇଁ ସରକାର ମାଳମାଳ ଯୋଜନା କରୁଥିଲେ ହେଁ ଉକ୍ତ ବିଦ୍ୟାଳୟଟି ପାଇଁ ଯେମିତି ସବୁ କିଛି ସ୍ବପ୍ନ ପାଲଟିଛି। ୧୯୫୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ଛାତ୍ରୀ ପାଠ ପଢ଼ନ୍ତି। ବେଲଗୁଣ୍ଠା ସହ ଧନିଜାପୋଲି, ରାଧିପୋଲି, ବାଣତୁମ୍ବ, ସୁତୁମସର, ଆମ୍ବପୁଆ, ରଙ୍ଗଣିପାଟଣା ଓ ଚଢ଼ିଆପୋଲିର ଛାତ୍ରୀ ମାନେ ଏହି ବିଦ୍ୟାଳୟ ଉପରେ ନିର୍ଭରଶୀଳ।

ଦିନ ଥିଲା ଏହି ବିଦ୍ୟାଳୟରେ ୭୦୦ ଅଧିକ ଛାତ୍ରୀ ପଢ଼ୁଥିଲେ। ଏବେ କିନ୍ତୁ ତାହା ୧୦୭ ରେ ପହଞ୍ଚିଛି। ବିଦ୍ୟାଳୟ ନିର୍ମାଣକୁ ୬୫ ବର୍ଷ ବତି ସାରିଥିଲେ ହେଁ ଏହାର ଭିତ୍ତିଭୂମି ସଜଡ଼ା ଯାଇ ନଥିବାରୁ ଏହା ବର୍ତ୍ତମାନ ଏକ ଗାଈ ଗୁହାଳର ଭ୍ରମ ସୃଷ୍ଟି କରୁଛି। ୧୦୭ ଛାତ୍ରୀଙ୍କ ପାଇଁ ମାତ୍ର ୫ ଜଣ ଶିକ୍ଷକଶିକ୍ଷୟିତ୍ରୀ ଅଛନ୍ତି। ସମସ୍ତେ ଡେପୁଟସନରେ କାର୍ଯ୍ୟ କରୁଛନ୍ତି। ବିଦ୍ୟାଳୟରେ ଶ୍ରେଣୀଗୃହରେ ଉପରୁ କାଠ ଓ କାନ୍ଥରୁ ପଲସ୍ତରା ଖସୁଛି। ଟିଣ ଚାଦର ପୁରୁଣା ହେବା ସହ କଣା ହୋଇ ଯାଇଥିବାରୁ ବର୍ଷାଦିନେ ପାଣି ଗଳୁଛି। ସେହିପରି ପର୍ଯ୍ୟାପ୍ତ ପରିମାଣର ଟେବୁଲ୍, ଚେୟାର ଓ ଶିକ୍ଷା ଉପକରଣ ନାହିଁ। ଛାତ୍ରୀ ମାନେ ତଳେ ବସି ପାଠ ପଢ଼ୁଛନ୍ତି। ବିଶ୍ରାମାଗାର ଟିଏ ମଧ୍ୟ ନଥିବା ବେଳେ ସବୁ ବିଷୟ ପାଇଁ ଶିକ୍ଷକ କିମ୍ବା ଚତୁର୍ଥ ଶ୍ରେଣୀ କର୍ମଚାରୀ ନାହାନ୍ତି।

ସବୁଠାରୁ ବଡ଼ କଥା ହେଉଛି ବିଦ୍ୟାଳୟଟି ବେଲଗୁଣ୍ଠା ସହରର ମଧ୍ୟ ଭାଗରେ ଥିଲେ ହେଁ ବିଭାଗୀୟ ଅଧିକାରୀ କିମ୍ବା ଲୋକପ୍ରତିନିଧିଙ୍କ କୃପା ଦୃଷ୍ଟି ଏହା ଉପରେ ପଡ଼ିନାହିଁ। ଫଳରେ ଦିନକୁ ଦିନ ବିଦ୍ୟାଳୟ ତାର ଗାରିମା ହରାଇବାକୁ ବସିଲାଣି। ଏଣେ ଉପଯୁକ୍ତ ଭିତ୍ତିଭୂମି ଅଭାବରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଏହି ସ୍କୁଲରେ ପଢ଼ାଇବା ପାଇଁ ଉଚିତ୍ ମଣୁନାହାନ୍ତି। ଯାହାକୁ ନେଇ ସହରର ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି। ଅସଜଡ଼ା ଭିତ୍ତିଭୂମିକୁ ତୁରନ୍ତ ସଜାଡ଼ିବା ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି।

ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ମାନେ ସମସ୍ୟା ସଂପର୍କରେ ତାଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ। ସେହିପରି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରାଯାଉ ବୋଲି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଶାକର ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର