ଦେଶରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ୧୦ ହଜାର ଲୋକଙ୍କ ପାଇଁ ଜଣେ ଡାକ୍ତର

୯୦ ହଜାର ପାଇଁ ଗୋଟିଏ ଡାକ୍ତରଖାନା

ଆୟୁଷ୍ମାନ ଯୋଜନାରୁ ବାଦ୍ ପଡ଼ିଛନ୍ତି ୫୦ କୋଟି
ଗ୍ରାମାଞ୍ଚଳ‌ରେ ସ୍ଥିତି ଅଧିକ ସଂଗିନ

ଭୁବନେଶ୍ବର : କରୋନା ଭଳି ମହାମାରୀ ସମୟରେ ଦେଶରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି। ୧୦ ହଜାର ୧୮୯ ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର ରହିଥିବା ବେଳେ ୯୦ ହଜାର ୩୪୩ ଲୋକଙ୍କ ପାଇଁ ରହିଛି ଗୋଟିଏ ଡାକ୍ତରଖାନା। ସମାଜରୁ ଦାରିଦ୍ର୍ୟ, ଅନଗ୍ରସରତା, ବୈଷମ୍ୟ ଦୂର କରି ଲୋକଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଲାଗି ସାରା ବିଶ୍ବରେ ଅଭିଯାନ ଜାରି ରଖିଥିବା ଅକ୍ସଫାମ୍‌ ପକ୍ଷରୁ ଜାରି ଏକ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି।

ଅକ୍ସଫାମ୍‌ର ତଥ୍ୟ ଅନୁଯାୟୀ ଗ୍ରାମୀଣ ଭାରତରେ ସ୍ବାସ୍ଥ୍ୟସେବାର ସ୍ଥିତି ଆହୁରି ସଂଗିନ ରହିଛି। ଗାଁରେ ୩୪୩୦ ଲୋକଙ୍କ ପାଇଁ ଗୋଟିଏ ଶଯ୍ୟା, ସହରରେ ୮୬୯ ଲୋକଙ୍କ ପାଇଁ ଗୋଟିଏ ଶଯ୍ୟା ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଦେଶର ସର୍ବବୃହତ ବୀମା ଯୋଜନା। ଦାରିଦ୍ର୍ୟ ସୀମାରେଖା ତଳର ୪୦ ପ୍ରତିଶତ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ଉଚିତ। ହେଲେ ୫୦ କୋଟି ଲୋକ ଏହି ଯୋଜନାରୁ ବାଦ୍‌ ପଡ଼ିଛନ୍ତି। ଏହି ଯୋଜନାରେ ଗାଁର ଜଣେ ବ୍ୟକ୍ତିଙ୍କୁ ୫ ହଜାର, ସହରରେ ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଦିଆଯାଇ ପାରିବ। ଏହା ସତ୍ତ୍ବେ ଡାକ୍ତରଖାନାରେ ଭର୍ତ୍ତି ପରେ ଜଣେ ବ୍ୟକ୍ତିଙ୍କୁ ନିଜ ପକେଟରୁ ହାରାହାରି ୨୩୯୪ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ସ୍ବାସ୍ଥ୍ୟସେବା ପାଇଁ ଆକଳନ କରାଯାଇଥିବା ବଜେଟ୍‌କୁ ୨୦୨୧ ମସିହାରେ ୯.୮ ପ୍ରତିଶତ ହ୍ରାସ କରାଯାଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ବିନା ମୂଲ୍ୟରେ ମିଳୁଥିବା ଔଷଧ ୩୧.୨ ପ୍ରତିଶତରୁ ୮.୯ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଆଉଟ୍‌ଡୋର୍ ରୋଗୀଙ୍କୁ ୧୭.୮ ପ୍ରତିଶତରୁ ୫.୯ ପ୍ରତିଶତକୁ ହ୍ରାସ ପାଇଛି।

India TV

ସ୍ବାସ୍ଥ୍ୟସେବା ଖର୍ଚ୍ଚ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ପଞ୍ଚମ: ସ୍ବାସ୍ଥ୍ୟସେବାରେ ଖର୍ଚ୍ଚ କରିବାରେ ଦେଶରେ ଓଡ଼ିଶାର ସ୍ଥାନ ପଞ୍ଚମରେ ରହିଛି। ଦେଶରେ ଜଣେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନ ଲାଗି ହାରାହାରି ୧୨୬୧ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଓଡ଼ିଶା ସରକାର ୧୪୬୧ ଟଙ୍କା ଖର୍ଚ୍ଚ କରନ୍ତି। ଆହୁରି ମଧ୍ୟ ଓଡ଼ିଶାରେ ଲୋକେ ସ୍ବାସ୍ଥ୍ୟସେବା ପାଇଁ ହାରାହାରି ୪୨୨୬ ଟଙ୍କା ପକେଟରୁ ଖର୍ଚ୍ଚ କରୁଥିବ‌ା ବେଳେ ଦେଶରେ ଏହା ହାରାହାରି ୩୧୯୭ ଟଙ୍କା ରହିଛି। ସ୍ବାସ୍ଥ୍ୟ ସେବାରେ ଖର୍ଚ୍ଚ କ୍ଷେତ୍ରରେ ବିହାର ସବୁଠାରୁ ତଳେ ରହିଥିବା ବେଳେ ଉତ୍ତରପ୍ରଦେଶ ଦ୍ବିତୀୟ ସର୍ବନିମ୍ନ ଖର୍ଚ୍ଚ କରେ ବୋଲି ରିପୋର୍ଟରୁ ଜଣାପଡ଼ିଛି।
ସେହିପରି ଶିଶୁଙ୍କୁ ରୋଗ ପ୍ରତିରୋଧକ ପାଇଁ ଖର୍ଚ୍ଚ କରିବାରେ ମଧ୍ୟ ଓଡ଼ିଶା ଜାତୀୟ ହାରଠାରୁ ଆଗୁଆ ରହିଛି। ପୋଲିଓ, ହେପାଟାଇଟିସ୍‌ ଭଳି ରୋଗ ପ୍ରତିରୋଧକ କାର୍ଯ୍ୟକ୍ରମରେ ଓଡ଼ିଶାର ୫ରୁ୪ ଶିଶୁଙ୍କୁ ସାମିଲ କରାଯାଇଛି। ଦେଶରେ ୧୨ରୁ ୨୩ ମାସର ୬୨ ପ୍ରତିଶତ ଏବଂ ଓଡ଼ିଶାର ୭୮.୬ ପ୍ରତିଶତ ଶିଶୁ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ତେବେ ଉଚ୍ଚତା ତୁଳନାରେ ଆବଶ୍ୟକ ଓଜନ ଦୃଷ୍ଟିରୁ ଶିଶୁଙ୍କ ସଂଖ୍ୟା ହିସାବକୁ ନେଲେ ରାଜ୍ୟର ହାର ଜାତୀୟ ହାରଠାରୁ ପଛରେ ରହିଛି।

ସମ୍ବନ୍ଧିତ ଖବର