ଯାଜପୁର, (ସଂଗ୍ରାମ କେଶରୀ ସିଂହ): ୨୦୧୬ରେ ‘ସମ୍ବାଦ’ ଅପହଞ୍ଚ ନଗଡ଼ାକୁ ଲୋକଲୋଚନକୁ ଆଣିଥିଲା। ଏହି ଅଞ୍ଚଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅପହଞ୍ଚ ନଗଡ଼ାକୁ ବିକଶିତ କରାଯାଇଥିବା ନେଇ ସୁବିଧାବାଦୀ ଗୋଷ୍ଠୀ ଡିଣ୍ଡିମ ପିଟିବା ଆରମ୍ଭ କରିଛନ୍ତି। ନଗଡ଼ା ବିକାଶର ଗୋଲାପୀ ଚିତ୍ର ବଖାଣି କେତେକ ଉଚ୍ଚ ପଦାଧିକାରୀ ବାହାସ୍ଫୋଟ ମାରୁଛନ୍ତି। ୬ବର୍ଷରେ ନଗଡ଼ାବାସୀଙ୍କୁ ବିକାଶ କିଭଳି ଛୁଇଁ ଲା, ତାର ପ୍ରକୃତ ଚିତ୍ର ଅନୁସନ୍ଧାନ କରିବାକୁ ‘ସମ୍ବାଦ ଟିମ୍ ସେଠାରେ ପହଞ୍ଚିଥିଲା। ଆମେ ଦେଖିଲୁ, ନଗଡ଼ାରେ ରାସ୍ତାଘାଟ, ବିଦ୍ୟୁତ, ପାଣି, ପାଇଖାନା, ସ୍କୁଲ, ଅଙ୍ଗନବାଡ଼ି ଇତ୍ୟାଦି ତିଆରି ହୋଇଛି। ତେବେ ଅପପୁଷ୍ଟି ଜନିତ ଶିଶୁମୃତ୍ୟୁ ପାଇଁ ଚର୍ଚ୍ଚାକୁ ଆସିଥିବା ନଗଡ଼ାରେ ଲୋକେ ସେହି ଭାତଲୁଣ, ବଣର ପତ୍ର, ଚେରମୂଳ ଖାଇ ବଞ୍ଚୁଛନ୍ତି।

Advertisment

ରାତି ପାହିଲେ ସେମାନଙ୍କୁ ଭୋକ ଚିନ୍ତା। ହାତରେ କାମ ନାହିଁ କି ଅର୍ଥ ନାହିଁ। ବଣରୁ ତୁଙ୍ଗା(ଚେର) ଓ ବୈଙ୍ଗା(ମୂଳ) ଆଣିଲେ ଭୋକିଲା ନଗଡ଼ାବାସୀଙ୍କର ପେଟ ପୂରୁଛି। ଜଙ୍ଗଲ ବିଭାଗର ପରିବେଶ ସୁରକ୍ଷା ସ୍ଲୋଗାନ୍ ବୋର୍ଡ ଲାଗିଛି। ବେଆଇନ ‌ପୋଡୁ ଚାଷକୁ ଜଙ୍ଗଲ ବିଭାଗ ଅଧିକାରୀ ଭୟ ଦେଖାଇ କେତେକଙ୍କୁ ଜେଲ ପଠାଇ ନିୟନ୍ତ୍ରଣ କରିବାରେ ଏକ ପ୍ରକାର ସଫଳ ହୋଇଛନ୍ତି। ଅଥଚ ନଗଡ଼ାବାସୀଙ୍କର ଜୀବିକାର ବିକଳ୍ପ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ଝରଣାର ପାଣି ସେହିପରି ବୋହି ଯାଉଛି; ସଦ୍‌ବିନିଯୋଗର ବ୍ୟବସ୍ଥା ନାହିଁ। ସଚେତନତା ଅଭାବରୁ ଭୋକରେ ଆଉଟପାଉଟୁ ହେଉଥିବା ଶିଶୁଙ୍କୁ ମଧ୍ୟ ନଗଡ଼ାବାସୀ ଗାଈ କ୍ଷୀର ଦେଉନାହାନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ନଗଡ଼ା ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ୬ବର୍ଷର ଝାଳବୁହା ପରିଶ୍ରମ କେତେ ସଫଳ ସେ ନେଇ ଏବେ ପ୍ରଶ୍ନ ଉଠିଛି। କେବଳ ସରକାରୀ ସ୍ତରରେ ନୁହେଁ ସ୍ବେଚ୍ଛସେବୀ ସଂଗଠନ ମଧ୍ୟ ଏଠାରେ ଅନେକ କାମ କରିଛନ୍ତି। ତଥାପି ୬୧ଟି ପରିବାରକୁ ଜୀବିକା ଦେବାକୁ ସରକାର ଓ ‌ସ୍ବେଚ୍ଛାସେବୀ ସଙ୍ଗଠନ ସଫଳ ହୋଇପାରିନାହାନ୍ତି। ପରିବାରର ଦୟନୀୟ ଅବସ୍ଥା ଦେଖି ନଗଡ଼ାର ନାବାଳକମାନେ ଦାଦନ ଖଟିବାକୁ ଯିବା ଘଟଣା ଅନେକ କଥା କହୁଛି।

publive-image

ବରଂ ଏୟା ହୋଇଛି ଯେ ଅପପୁଷ୍ଟି ଅଞ୍ଚଳ ନଗଡ଼ାର ବିକାଶ ନାମରେ ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିବା ଆରମ୍ଭ କଲାଣି। ଅପହଞ୍ଚ ନଗଡ଼ାକୁ ରାସ୍ତା କାମ ଆଳରେ ଆରଡି ବିଭାଗର ୪୪.୨୦ଲକ୍ଷ ଟଙ୍କା ଚଳୁ ମାମଲାରେ ନିକଟରେ ୩ଯନ୍ତ୍ରୀଙ୍କ ନାମରେ ଏତଲା ହୋଇଛି। ନଗଡ଼ା ଓ ନଗଡ଼ାବାସୀଙ୍କର ବିକାଶ ନାମରେ ବିଭିନ୍ନ ବିଭାଗୀୟ କାର୍ଯ୍ୟରେ ପୁଳାପୁଳା ଦୁର୍ନୀତି ଅଭିଯୋଗ ବଢିଲାଣି। ୨୦୧୬ ମସିହା ମଧ୍ୟ ଭାଗରୁ ଏଠାରେ ଉଦ୍ୟାନ, ଜଳଛାୟା, କୃଷି, ଜଙ୍ଗଲ ଓ ଅନେକ ବିଭାଗ କାମ କରୁଛନ୍ତି। ଅଥଚ ୬୧ଟି ପରିବାରକୁ କାମ ଯୋଗାଇ ପାରୁନାହାନ୍ତି। ଭେଣ୍ଡିଆ ଟୋକାମାନେ ଘରେ ବସିଛନ୍ତି। ମାତ୍ର ୧୪ଜଣ କାଳିଆପାଣି ଖଣିଖାଦାନରେ କାମ କରୁଛନ୍ତି। ମାସକୁ ୨ରୁ ୩ହଜାର ଟଙ୍କା ମିଳୁଛି। ଗାଡ଼ି ଖର୍ଚ୍ଚରେ ଅଧେ ଯାଉଛି। ସେହିପରି ଜଙ୍ଗଲ ବିଭାଗରେ ମାତ୍ର ୭/୮ଜଣ କାମ କରୁଛନ୍ତି। ଅବଶିଷ୍ଟ ପରିବାର ଭୋକିଲା।

ଉପର ନଗଡ଼ାର ମୁଖିଆ ମଣିଆ ପ୍ରଧାନ କହନ୍ତି ପୋଡୁ ଚାଷ କରି ବର୍ଷକ ଚଳିଯାଉଥିଲୁ। ଏବେ ତାକୁ ବନ୍ଦ କରିଦେବା ପରେ କାମ ନାହିଁ କିମ୍ବା ଚାଷ ପାଇଁ ପାଣି ବି ନାହିଁ। ପାଖରେ ପଇସା ନଥିବାରୁ ବଣପତ୍ର ଓ ଭାତ ଖାଇ ଚଳିଯାଉଛୁ। ମଝି ନଗଡ଼ାର ଜଣେ ମହିଳା ବଣୁଆ ଚେର କାଟୁଥିବାର ଦେଖିବାକୁ ମିଳିଥିଲା। ସେ କହନ୍ତି ଏହାକୁ ସିଝାଇ ଖାଉଛୁ। ଯାହାର ନା ସେ ତୁଙ୍ଗା କହିଥିଲେ। ଆଉ ଏକ ମୂଳ ଯାହାର ନାମ ବୈଙ୍ଗା କହିଥିଲେ। ଏହା ହିଁ ତାଙ୍କର ମୁଖ୍ୟଖାଦ୍ୟ ବୋଲି ଆମେ ଜାଣିବାକୁ ପାଇଲୁ। ତଳ ନଗଡାର ଯୁବକ ଶିବ ପ୍ରଧାନ କହିଛନ୍ତି କାମଧନ୍ଦା ମିଳୁନାହିଁ। ମିଳୁଥିବା ଚାଉଳ ଓ ବଣ ଶାଗ, ‌ତୁଙ୍ଗା, ବୈଙ୍ଗା, ଲୁଣରେ ଚଳିଯାଉଛି। ଅପହଞ୍ଚ ନଗଡ଼ାରେ ସମସ୍ତଙ୍କ ପହଞ୍ଚିବା ସିନା ସହଜ ହୋଇଯାଇଛି; ହେଲେ ଏବେ ବି ଅପପୁଷ୍ଟିରୁ ମକୁଳି ପାରିନାହିଁ।