କନ୍ଧମାଳରେ ଜଳ ଯୋଗାଣର ବିକଟ ଚିତ୍ର: ଅଚଳ ହୋଇ ପଡ଼ିଛି ୩୫% ନଳକୂଅ 

ସାମାଜିକ ସଂଗଠନର ଅନ୍‌ଲାଇନ ସର୍ଭେ

ଭୁବନେଶ୍ୱର : ରାଜ୍ୟ ସରକାର ୨୦୨୪ ସୁଦ୍ଧା ସବୁ ଘରକୁ ପିଇବା ପାଣି ଯୋଗାଇବା ପାଇଁ ଯୋଜନା କରୁଛନ୍ତି। ଏଭଳି ସ୍ଥିତିରେ କନ୍ଧମାଳ ଜଳଯୋଗାଣର ବିକଟ ଚିତ୍ର ଉପାସ୍ଥାପିତ କରିଛନ୍ତି ସାମାଜିକ ସଂଗଠନ ଆତ୍ମଶକ୍ତି ଟ୍ରଷ୍ଟ, ଓଡ଼ିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଏବଂ ଜୀବିକା ସୁରକ୍ଷା ମଞ୍ଚ। ‘ଜଳର ଉପଲବ୍ଧତା ଏବଂ ଉତ୍ସ’ ସମ୍ପର୍କିତ ଅନ୍‌ଲାଇନ ସର୍ଭେରୁ ଏହା ଜଣାପଡ଼ିଥିବା ସଂଗଠନ କହିଛି। କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକ ଅଧୀନସ୍ଥ ୧୫ଟି ଗ୍ରାମ ପଞ୍ଚାୟତର ୩୦୪ଟି ଗାଁରେ ଏହି ସର୍ଭେ କରାଯାଇଛି। କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ତଥ୍ୟ ଅନୁସାରେ କୋଟଗଡ ବ୍ଲକର ସମସ୍ତ ନଳକୂପ ଠିକ ଭାବରେ କାର୍ଯ୍ୟ କରୁଛି।

gettyimages.co.uk

ସର୍ଭେ ଅନୁସାରେ ଏଠାରେ ଥିବା ୩୦୪ ଟି ଗାଁରେ ସମୁଦାୟ ୬୦୪ଟି ନଳକୂପ ରହିଛି। ଏଥିରୁ ୨୧୫ଟି (୩୫.୬%) ଲୁହା ମିଶ୍ରିତ ଏବଂ ପାଣି ଅଭାବ ଯୋଗୁଁ ଅବ୍ୟବହୃତ ହୋଇ ପଡ଼ିଛି। କେବଳ୪୯ (୮%) ଟିରେ ସୋକ୍‌ପିଟ ଅଛି। ୨୭୨ (୪୫%) ନଳକୂପ ରେ କୌଣସି ପ୍ଲାଟଫର୍ମ ନାହିଁ। ୫୪ଟି (୧୭.୭୬%) ଗାଁରେ ଏକ ସୌରଟାଙ୍କି ଅଛି। ୨୨ଟି (୪୦.୭%) କାର୍ଯ୍ୟକ୍ଷମ ଅଛି। ୩୨ଟି (୫୯.୩%)ଗାଁରେ ମୋଟର ପମ୍ପରେ ସମସ୍ୟା ରହିଛି। ଭୂତଳ ଜଳସ୍ତର ଏବଂ କ୍ଷତି ହେତୁ କିମ୍ବା ଷ୍ଟାଣ୍ଡ-ପୋଷ୍ଟର ଅଭାବ ଯୋଗୁଁ ଅଚଳ ହୋଇ ପଡ଼ିରହିଛି। ଏହି ଅଞ୍ଚଳରେ ୧୭୪ଟି (୫୭.୨%) ଗାଁର ଲୋକେ କୂଅ ଉପରେ ନିର୍ଭରଶୀଳ କିନ୍ତୁ ଗ୍ରୀଷ୍ମ ଋତୁରେ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଥିବାରୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଋତୁରେ ମଇଳା ପାଣି ଯୋଗୁଁ ଗ୍ରାମବାସୀ ପାନୀୟ ଜଳ ପାଇଁ ଅନେକ ସମସ୍ୟା ଭୋଗୁଛନ୍ତି। ଜଳ ନିଷ୍କାସନ ସମସ୍ୟା ମଧ୍ୟ ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇ ଦେଉଛି।

ସର୍ବେକ୍ଷଣରୁ ଜଣାପଡ଼ିଛି ଯେ କେବଳ ୮୫ଟି (୨୮%) ଗାଁରେ ଜଳ ନିଷ୍କାସନ ବ୍ୟବସ୍ଥା ଅଛି। ମୋଟ ୨୨ଟି (୨୫.୮୮%) ଗାଁରେ ଜଳ ନିଷ୍କାସନ ସଂରଚନା କାମ କରୁନାହିଁ ଏବଂ ୨୮ ଟି (୩୩%) ଗାଁର ଜଳ ନିଷ୍କାସନ ସଂରଚନା ଆଂଶିକ ଭାବେ ନଷ୍ଟ ହୋଇଯାଇଛି। ଯଦିଓ ଅନେକ ଗାଁରେ ପାନୀୟ ଜଳର ସୁବିଧା ଅଛି, କିନ୍ତୁ ଏହା ପାନୀୟ ବା ବ୍ୟବହାର ଉପଯୋଗୀ ନୁହେଁ। ସର୍ବେକ୍ଷଣର ତଥ୍ୟ ଅନୁସାରେ ୨୨୬ (୭୪.୩%) ଗାଁରେ କାଦୁଅ ଏବଂ ଲୁହା ପାଣି ପରି ଦୂଷିତ ଜଳ ବାହାରୁଛି ଯାହା ଆଦୌ ପିଇବା ଯୋଗ୍ୟ ନୁହେଁ। ଫଳରେ ଲୋକମାନେ ଝାଡ଼ାବାନ୍ତି ଭଳି ରୋଗରେ ପଡ଼ୁଛନ୍ତି। ଅପରପକ୍ଷରେ ଲୋକମାନେ ବର୍ଷା ଜଳ ଉପରେ ନିର୍ଭର କରନ୍ତି। କିନ୍ତୁ ଏହା ମଣିଷକୁ ଅସୁସ୍ଥ କରିଥାଏ। ସରକାରୀ ତଥ୍ୟ ଅନୁସାରେ ଜିଲ୍ଲାର କୋଟଗଡ଼ ବ୍ଲକରେ ପ୍ରାୟ ୧୮୦୦୦ ରୁ ଅଧିକ ପରିବାର ବସବାସ କରନ୍ତି। ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଏହି ୧୮୦୦୦ ପରିବାର ମଧ୍ୟରୁ କେବଳ ୫୦୦୮ ପରିବାର ନିଜ ଘରେ ଶୌଚାଳୟ ନିର୍ମାଣ କରିଛନ୍ତି, ଯେଉଁଥିରୁ କେବଳ ୧୫୩୬ଟି ପରିବାର ଶୌଚାଳୟ ବ୍ୟବହାର କରୁଛନ୍ତି।

ସମ୍ବନ୍ଧିତ ଖବର