ଉପରମୁଣ୍ଡରେ ବର୍ଷା ନାହିଁ, ହୀରାକୁଦ ସ୍ଥିତି ସାଂଘାତିକ

ବିଦ୍ୟୁତ ଉତ୍ପାଦନ ଉପରେ ମାଡ଼, ଜଳସେଚନ ବି ପ୍ରଭାବିତ ହେବ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ନାହିଁ, କମିବାରେ ଲାଗିଛି ଜଳଭଣ୍ଡାରର ଜଳସ୍ତର। କେବଳ ୨୦୧୬କୁ ଛାଡ଼ିଦେଲେ ଗତ ୫ ବର୍ଷ ମଧ୍ୟରେ ଏଭଳି ଖରାପ ସ୍ଥିତି ‌କେବେ ହୋଇ ନଥିଲା। ଏହି ସମୟ ବେଳକୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ି ଗେଟ୍‌ ଖୋଲିବା ପରିସ୍ଥିତି ହେଉଥିଲା। ମାତ୍ର ଏବର୍ଷ ଅଗଷ୍ଟ ପୂର୍ବରୁ ଗେଟ୍‌ ଖୋଲିବାର କୌଣସି ସୂଚନା ଦେଖିବାକୁ ମିଳୁନାହିଁ। ବରଂ ଜଳସ୍ତର କମି ଚାଲିଥିବାରୁ ଓ ଜଳସେଚିତ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଦେଖା ଦେଇଥିବାରୁ ପାୱାର ହାଉସ୍‌ ପାଇଁ କମ୍‌ ପାଣି ଛଡ଼ାଯିବା ଓ ଏହା ଫଳରେ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ ଗୁରୁତର ବାଧାପ୍ରାପ୍ତ ହେବା ଆଶଙ୍କା ଦେଖା ଦେଇଛି।

ହୀରାକୁଦ ନଦୀବନ୍ଧ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଜୁଲାଇ ମାସରେ ଜଳଭଣ୍ଡାରର ଉପରମୁଣ୍ଡରେ ହାରାହାରି ୩୫୦ ମିଲିମିଟର ବର୍ଷା ହେବା କଥା। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ କେବଳ ୧୭୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏଥିଯୋଗୁଁ ଜଳଭଣ୍ଡା‌ରକୁ ଜଳପ୍ରବେଶ ଉଦ୍‌ବେଗଜନକ ଭାବେ କମୁଥିବାରୁ କିଛି ଦିନ ହେବ କ୍ରମାଗତ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଗତବର୍ଷ ଜୁଲାଇ ୨୧ ତାରିଖରେ ଜଳଭଣ୍ଡାରର ଜଳସ୍ତର ୬୦୭.୪୨ ଫୁଟ ଥିଲା, ଚଳିତ ବର୍ଷ ୫୯୯.୧୨ ଫୁଟକୁ ଖସି ଆସିଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ।

କିନ୍ତୁ ଜଳସ୍ତର ୫୯୫ ଫୁଟକୁ ଖସିଲେ ଶିଳ୍ପକୁ ଜଳ ଯୋଗାଣ ଏବଂ ୫୯୦ ଫୁଟକୁ ଖସିଲେ କୃଷି ଏବଂ ବିଜୁଳି ଉତ୍ପାଦନ ପାଇଁ ଜଳଯୋଗାଣ ବନ୍ଦ କରାଯାଏ। ୨୦୧୨ ମସିହାରେ ଜଳଭଣ୍ଡାରର ଜଳସ୍ତର ୫୯୮ ଫୁଟରେ ପହଞ୍ଚିଥିଲା। ସେତେବେଳେ ବି ଡେଡ୍‌ଲେଭଲ ପହଞ୍ଚିବା ଆଶଙ୍କା ଥିଲା। ମାତ୍ର ବର୍ଷା ହେବାରୁ ସ୍ଥିତି ସମ୍ଭାଳି ହୋଇ ଯାଇଥିଲା। ଏବର୍ଷ ବି ବଡ଼ ବର୍ଷା ନ ହେଲେ ପରିସ୍ଥିତି ଖରାପ ହେବା ଅବସ୍ଥା ଦେଖାଦେଲାଣି। ସେଥିପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ, ଓଏଚ୍‌ପିସି ନିର୍ଦେଶକ (ଜେନରେସନ) ଓ ଏସ୍‌ଏଲ୍‌ଡିସିଙ୍କ ସହିତ ଆଲୋଚନା ହୋଇଛି। ଏଥିସହ ଓଏଚ୍‌ପିସିକୁ ୧୩ ହଜାର କ୍ୟୁସେକ୍‌ ବଦଳରେ ବର୍ତ୍ତମାନ ସାଢେ ୩ ହଜାର କ୍ୟୁସେକ ପାଣି ନେବା ପାଇଁ ଅନୁରୋଧ କରାଯାଇଥିବା କହିଛନ୍ତି ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ସୁନୀଲ ନାଏକ।
ଓଏଚ୍‌ପିସି ବୁର୍ଲା ଜିଏମ୍‌ ଜ୍ଞାନରଞ୍ଜନ ଦାଶ କହିଛନ୍ତି, ଜଳଭଣ୍ଡାରରୁ ପାଣି ସଂଗ୍ରହ ହ୍ରାସ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିର୍ଦେଶ ଆସି ନାହିଁ। ଏଭଳି ହେଲେ ବୁର୍ଲା ଏବଂ ଚିପିଲିମାରୁ ମୋଟ ମାତ୍ର ୧୫ ମେଗାଓ୍ବାଟ ବିଜୁଳି ଉତ୍ପାଦନ ସମ୍ଭବ ହେବ। ସୂଚନାଯୋଗ୍ୟ ବୁର୍ଲା ପାୱାର ହାଉସ୍‌ରେ ଓଏଚପିସି ବିଜୁଳି ଉତ୍ପାଦନ କ୍ଷମତା ୨୭୫.୫ ମେଗାଓ୍ବାଟ ଏବଂ ଚିପିଲିମାରେ ୭୨ ମେଗାଓ୍ବାଟ। ଏବେ ଓଏଚ୍‌ପିସି ଜଳଭଣ୍ଡାରରୁ ୧୩ ହଜାର ୨୫୩.୦୧ କ୍ୟୁସେକ ପାଣି ନେଉଛି। ରବିବାର ବୁର୍ଲାରେ ୭୩.୫୮୩ ମେଗାଓ୍ବାଟ, ଚିପିଲିମାରେ ୩୮.୮୭୫ ମେଗାଓ୍ବାଟ ବିଜୁଳି ଉତ୍ପାଦନ ହୋଇଛି। ୧୩ ହଜାରରୁ ସିଧାସଳଖ ୩ ହଜାରକୁ ଖସିଆସିଲେ ବିଜୁଳି ଉତ୍ପାଦନ ହ୍ରାସ ଉଦବେଗଜନକ ହେବ।

ତେବେ ଆଗାମୀ ଅଗଷ୍ଟ ପ୍ରଥମ ସପ୍ତାହରେ ଉପରମୁଣ୍ଡରେ ବର୍ଷାର ପୂର୍ବାନୁମାନ ରହିଛି। ଏହା ପରେ ସ୍ଥିତିରେ ସାମାନ୍ୟ ଉନ୍ନତି ହେବା ଆଶା କରିଛନ୍ତି ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ।

ସମ୍ବନ୍ଧିତ ଖବର