ରାଇରଙ୍ଗପୁର: ରାଜ୍ୟ ସରକାର ଉନ୍ନତମାନର ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ବାରୋପ କରୁଥିବାବେଳେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଏହାର ବ୍ୟତିକ୍ରମ ପାଲଟିଛି। ଏଠାରେ ସାମାନ୍ୟ ରୋଗୀଙ୍କୁ ବାରିପଦା ପିଆରଏମ୍ ମେଡିକାଲ୍ କଲେଜକୁ ରେଫର୍ କରାଯାଉଥିବା ଅନେକ ସମୟରେ ଅଭିଯୋଗ ହୋଇଆସୁଛି।
ରାଇରଙ୍ଗପୁର ପୌରପାଳିକା ୭ ନଂବର ୱାର୍ଡ କାଉନସିଲର୍ ଦେବସ୍ମିତା ଡଗ୍ରାଙ୍କ ଝିଅର କାନବ୍ୟଥା ହେବାରୁ ସେ ଆଜି ଝିଅକୁ ଧରି ଡାକ୍ତରଖାନା ଆସିଥିଲେ। ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର ସାଉନା ମୁର୍ମୁଙ୍କୁ ଭେଟି ଝିଅର କାନ ଯନ୍ତ୍ରଣା ସଂପର୍କରେ କହିଥିଲେ ଦେବସ୍ମିତା। ତେବେ ଡାକ୍ତର ଶ୍ରୀ ମୁର୍ମୁ ଝିଅକୁ ଆଗ ନ ଦେଖି ଆଡମିସନ୍ ପାଇଁ କହିବାରୁ ଦେବସ୍ମିତା ବିରୋଧ କରିଥିଲେ। ଏମିତିକି ଯନ୍ତ୍ରଣାରେ ଝିଅଟି କାନ୍ଦୁଥିବାରୁ ତାର ଚିକିତ୍ସା ପାଇଁ ନିବେଦନ କରିଥିଲେ।
ହେଲେ ଡାକ୍ତର ମୁର୍ମୁ କ୍ଷୁବ୍ଧ ହୋଇ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଦେବସ୍ମିତା ଅଭିଯୋଗ କରିଛନ୍ତି। ଖବର ପାଇ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଡାକ୍ତରଖାନାରେ ପହଞ୍ଚିଥିବାବେଳେ ତାଙ୍କୁ ମଧ୍ୟ ଅସମ୍ମାନ କରିଥିବା ଭିଡିଓ ଭାଇରାଲ୍ ହୋଇଛି। ଏ ସଂକ୍ରାନ୍ତରେ ଦେବସ୍ମିତା ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସାଗର ନାୟକଙ୍କଠାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତେବେ ଏହି ଅଭିଯୋଗକୁ ଡାକ୍ତର ମୁର୍ମୁ ଅସ୍ବୀକାର କରିବା ସହିତ ସେ ଝିଅଟିକୁ ଆଗ ଦେଖିବା ପରେ ଯାଇ ଡାକ୍ତରଖାନାରେ ଆଡମିସନ୍ କରିବାକୁ କହିଥିଲେ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପକ୍ଷରେ ଘଟଣା ସଂକ୍ରାନ୍ତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଯାଇଥିବା ଏସ୍ଡିଏମଓ ଡାକ୍ତର ନାୟକ ପ୍ରକାଶ କରି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।