ନୂଆପଡ଼ା: ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଆଦର୍ଶ ସ୍କୁଲ ବାର୍ଷିକ ଉତ୍ସବରେ ଯୋଗଦେବାକୁ ଭୁବନେଶ୍ବରରୁ ନୂଆପଡ଼ା ହେଲିକପ୍ଟର୍ରେ ଆସିବାକୁ କେନ୍ଦ୍ରକରି ଆଲୋଚନା ଚାଲିଛି। ଉକ୍ତ ଗସ୍ତବେଳେ ଗୋଟିଏ ଏକମାତ୍ର ସରକାରୀ କାର୍ଯ୍ୟକ୍ରମଟିର ଉଲ୍ଲେଖ ରହିଥିବା ବେଳେ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ସେ ଅଧିକ ସମୟ ବିତାଇଥିବା ଅନ୍ୟମାନଙ୍କ ସମେତ ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ରାଜ୍ୟସଭା ସାଂସଦ ସୁଜିତ କୁମାର ମଙ୍ଗଳବାର ନୂଆପଡ଼ା ଗସ୍ତରେ ଆସିଥିଲେ।
ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ଆସି ବେଲଟୁକୁରୀ ଖେଳ ପଡ଼ିଆରେ ଅବତରଣ କରିଥିଲେ। ନେଗିପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ୪୫ ମିନିଟ ରହି ମନ୍ତ୍ରୀ ଭୁବନେଶ୍ବର ଫେରି ଯିବାର କାର୍ଯ୍ୟକ୍ରମ ରହିଥିଲା। ଉତ୍ସବରେ ମନ୍ତ୍ରୀ ମାତ୍ର ୨୦ ମିନିଟ୍ ରହିବା ପରେ ବେଲଟୁକୁରୀ ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ପ୍ରାୟ ୪୫ ମିନିଟ ସେଠାରେ ରହିଥିବା ଆଲୋଚନା ହେଉଛି। ଉକ୍ତ ବ୍ୟକ୍ତିଙ୍କ ନାମରେ ୨୦୧୯ ମସିହାରେ ବେଲଟୁକୁରୀ ଥାନାରେ ଶ୍ରମିକ ଚାଲାଣ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ମାମଲାଟି କୋର୍ଟରେ ବିଚାରଧୀନ ରହିଥିବା ଦୃଷ୍ଟିରୁ ମନ୍ତ୍ରୀ ତାଙ୍କ ଘରକୁ ଯାଇ ସମୟ ବିତାଇବା ଦୁର୍ଭାଗ୍ୟର କଥା, ସେଥିପାଇଁ ବିଧାୟକ ଇସ୍ତଫା ଦେବା ଉଚିତ ଶ୍ରୀ ମାଝୀ କହିଛନ୍ତି।
ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କୁ ପଚାରିବାରୁ ବିରୋଧୀଙ୍କ କାମ ବିରୋଧ କରିବା। ନେଗିପାଲିକୁ ଏକ ସରକାରୀ କାର୍ଯ୍ୟରେ ଆସିଥିଲି। ବେଲଟୁକୁରୀ ଗ୍ରାମର ମୋର ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବାରୁ ଦଶାହ କାର୍ଯ୍ୟ ରହିଥିଲା। ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦାନ କରିଥିଲି। ହେଲେ ବିରୋଧୀମାନେ ଏ ବିଷୟରେ ନଜାଣି ବଦନାମ କରୁଛନ୍ତି। ଆମେ ଯେଉଁ କାମ କରୁଛୁ ତାହା ସରକାରଙ୍କ ହିତ ପାଇଁ କରୁଛୁ ବୋଲି ସେ କହିଛନ୍ତି।