ସରକାରଙ୍କ ବିରୋଧରେ ଲୋକସଂପର୍କ ଅଧିକାରୀଙ୍କ ବିଷୋଦ୍‌ଗାର

ଭୁବନେଶ୍ବର : ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗରେ କାର୍ଯ୍ୟରତ ଜଣେ ଲୋକସମ୍ପର୍କ ଅଧିକାରୀ ସାମାଜିକ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପବ୍ଲିକ୍ ଗ୍ରୁପ୍ ଜରିଆରେ ତାଙ୍କ ପରିବାରକୁ ଧ୍ବଂସ କରିବା ଲାଗି ଯୋଜନା କରାଯାଉଥିବା ଅଭିଯୋଗ କରିଛନ୍ତି। ତାଙ୍କ ପିଲାମାନଙ୍କୁ ଅନେକ ସମୟରେ ଧମକ ଦିଆଯାଉଛି। କମିସନରେଟ୍‌ ପୁଲିସ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଆଗକୁ ଏନ୍‌ଆଇଟି ରାଉରକେଲାର ଡିନ୍‌ଙ୍କ ବିରୋଧରେ ମାମଲା ଦାୟର କରିବେ ବୋଲି ଧମକ ଦେଇଛନ୍ତି।

ସଂପୃକ୍ତ ଅଧିକାରୀ ଜଣକ ଏବେ ମୁଖ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ଗତ ୨୪ଘଣ୍ଟା ଭିତରେ ସେ ଏଭଳି ୬ଟି ପୋଷ୍ଟ କରିଛନ୍ତି। ଗୋଟିଏ ପୋଷ୍ଟରେ ସେ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଇଙ୍ଗିତରେ ଲୋକସଂପର୍କ ବିଭାଗର ୪ଜଣ କର୍ମଚାରୀ ଏନ୍‌ଆଇଟି ରାଉରକେଲା କ୍ୟାମ୍ପସରେ ପଶି ପିଲାଙ୍କ ଲାପ୍‌ଟପ୍‌ ଚୋରି କରିଥିବା ଉଲ୍ଲେଖ କରିଛନ୍ତି। ପଦୋନ୍ନତି ପାଇବା ପାଇଁ ସଂପୃକ୍ତ ୪ଜଣ କର୍ମଚାରୀ ଏଭଳି କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ସେ ତାଙ୍କର ଏହି ପୋଷ୍ଟକୁ ସାମାଜିକ ଗଣମାଧ୍ୟମରୁ ହଟାଇ ନାହାନ୍ତି। କିନ୍ତୁ ସେ ସଜ୍ଞାନରେ ଥାଇ ଏକଥା ଲେଖିଛନ୍ତି କି ତାଙ୍କ ଫେସବୁକ୍‌ ଆକାଉଣ୍ଟକୁ କେହି ହ୍ୟାକ୍ କରି ଏଭଳି ଲେଖିଛି ତାହା ସ୍ପଷ୍ଟ ହୋଇନାହିଁ। ସଂପୃକ୍ତ ଅଧିକାରୀ ମାନସିକ ଭାରସାମ୍ୟ ହରାଇ ଏପରି କରିଥାଇପାରନ୍ତି ବୋଲି ତାଙ୍କର କିଛି ସହକର୍ମୀ କହିଛନ୍ତି। ଉଲ୍ଲେଖ ଯେ ସଂପୃକ୍ତ ଅଧିକାରୀ ଜଣକ ପୂର୍ବରୁ ନୟାଗଡ଼ ଓ ଖୋର୍ଧା ଜିଲ୍ଲାରେ କାର୍ଯ୍ୟ କରିଛନ୍ତି। ନିଜର ମନ୍ତବ୍ୟ ପାଇଁ ସେ ସବୁବେଳେ ଚର୍ଚାରେ ରହି ଆସିଛନ୍ତି।

ସମ୍ବନ୍ଧିତ ଖବର