ଓଡ଼ିଶାର ମହିଳା ଅସୁରକ୍ଷିତ, ମାତ୍ର ନବୀନ ପୁରସ୍କୃତ: କଂଗ୍ରେସ

ବିଜୁ ମହିଳା ଜନତା ଦଳ ଅମେରୁଦଣ୍ଡୀ

ଭୁବନେଶ୍ବର : ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(ଏନ୍‌ସିଆବି)ର ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ ଶିଶୁ ଅପହରଣ ଓ ନାରୀ ନିର୍ଯାତନାରେ ଦେଶରେ ଓଡ଼ିଶା ସର୍ବପ୍ରଥମ ସ୍ଥାନର ଅପବାଦ ମୁଣ୍ଡାଇଛି। ରାଜ୍ୟରେ ୫ବର୍ଷରେ ୧୫ ହଜାର ଶିଶୁ ନିଖୋଜ ହୋଇଥିବା ବେଳେ ତହିଁରୁ ୧୨,୧୯୯ ଜଣ ହେଉଛନ୍ତି କେବଳ ଶିଶୁ କନ୍ୟା। ନାରୀ ସୁରକ୍ଷା ପ୍ରସଙ୍ଗରେ ନବୀନ ସରକାର ନିଜର ପାରିବା ପଣିଆର ଡିଣ୍ଡିମ ପିଟୁଥିବା ବେଳେ ଏନ୍‌ସିଆରବି ନବୀନ ସରକାରଙ୍କର ଅସଲ ରୂପକୁ ପଦାରେ ପକାଇ ଦେଇଛି। ଅନ୍ୟପଟରେ ନିରନ୍ତର ସେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ‘ଜୀବନବ୍ୟାପୀ ସାଧନା’ ପୁରସ୍କାର ଦିଆଯାଉଛି। ଅସୁରକ୍ଷିତ ରାଜ୍ୟ, ଅବ୍ୟବସ୍ଥିତ ଓ ଦାୟିତ୍ୱହୀନ ପ୍ରଶାସନ, ଉଦାସୀନତା ଓ ଅପାରଗତାର ଚିତ୍ର ପଟ୍ଟରେ ଜଣେ ମୁଖ୍ୟମନ୍ତ୍ରୀ ପ୍ରଶଂସିତ ଓ ପୁରସ୍କୃତ ହେବା ରାଜ୍ୟବାସୀଙ୍କ ପାଇ ବିଡ଼ମ୍ବନାର ବିଷୟ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି।

ଗୁରୁବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ସେଲ୍‌ର ଆବାହକ ସତ୍ୟପ୍ରକାଶ ନାୟକ କହିଲେ, ୨୦୧୯ ରେ ମହିଳା ନିର୍ଯାତନା କ୍ଷେତ୍ରରେ ରାଜ୍ୟରେ ୨୩୧୮୩ ଟି ମାମଲା ପଞ୍ଜୀକୃତ ହୋଇଥିଲା। ୨୦୨୦ ରେ ୨୫୪୮୯ ଓ ୨୦୨୧ ରେ ୩୧୩୫୨ଟି ମାମଲା ପଞ୍ଜୀକୃତ ହୋଇଛି। ମହିଳା ନିର୍ଯାତନା ମାମଲାରେ ୨୩ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ଏହି କ୍ଷେତ୍ରରେ ଦଣ୍ଡବିଧାନର ଜାତୀୟ ହାର ୨୬ ପ୍ରତିଶତ ଥିବା ବେଳେ ରାଜ୍ୟରେ ତାହା ୮ ପ୍ରତିଶତରେ ସୀମିତ। ରାଜ୍ୟରେ ମାନବ ଚାଲାଣ ରୋକିବା ପାଇଁ ରାଜ୍ୟରେ ୩୬ଟି ପୁଲିସ ଜିଲ୍ଲାରେ ଯେଉଁ ସମନ୍ବିତ ମାନବ ଚାଲାଣ ନିରୋଧୀ ୟୁନିଟ୍ ଖୋଲଛି ତାହା ସଂପୂର୍ଣ୍ଣ ଅକାମୀ, ବେପରୱା ଓ ନିରର୍ଥକ ହୋଇପଡ଼ିଛି। କ୍ରାଇମବ୍ରାଞ୍ଚ ୨୦୧୫ ରୁ ୨୦୧୯ ଭିତରେ ଅପରେସନ ସ୍ମାଇଲ, ମୁସ୍କାନ ଓ ପରି ଯୋଜନା ଭଳି କାର୍ଯ୍ୟକ୍ରମ ଗ୍ରହଣ କରିଥିଲା। ଏହା କେବଳ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ଉଦ୍ଦିଷ୍ଟ। ଏଭଳି ବ୍ୟବସ୍ଥା ପରେ ବି ଶିଶୁ କନ୍ୟା ନିଖୋଜ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଓଡ଼ିଶା ଏବେ ମହିଳା ଓ ଶିଶୁ ମାନଙ୍କ ପାଇଁ ଏକ ଅସୁରକ୍ଷିତ ରାଜ୍ୟ ଭାବେ ଦେଶରେ ଉଭା ହୋଇଛି।

ରାଜ୍ୟ ପୋଲିସ ବିଭାଗ, ମୁଖମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ, ପୁଲିସ ଡିଜି ଏଭଳି ଶୋଚନୀୟ ଅବସ୍ଥା ପାଇଁ ସାଧାରଣ ଜନତାଙ୍କ ପାଖରେ ଉତ୍ତରଦାୟୀ ନୁହନ୍ତି କି? ଜନସାଧାରଣ କାହା ଉପରେ ଭରସା କରିବେ? ଏନ୍‌ସିଆରବିର ଏହି ରିପୋର୍ଟ ଉପରେ ସରକାରଙ୍କ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ବା ନିଆଯିବ ତାହା ସରକାର ସ୍ପଷ୍ଟ କରିବା ଜରୁରୀ। ଲଜ୍ଜାକର ବିଷୟ ହେଉଛି ଯେ ନବୀନ ଶାସନରେ ଅତ୍ୟାଚାରିତ ଓ ଉପେକ୍ଷିତଙ୍କ ପ୍ରକୃତ ଅବସ୍ଥାକୁ ଲୁଚାଇଦେଇ ନବୀନ ବାବୁଙ୍କୁ ଜୀବନବ୍ୟାପୀ ସାଧାନ ପୁରସ୍କାର ପରିପ୍ରେକ୍ଷୀରେ ବିପୁଳ ସ୍ୱାଗତ ସମ୍ବର୍ଧନା କରିବାକୁ ପ୍ରଚୁର ଅର୍ଥ ବ୍ୟୟ କରାଯାଇ ବର୍ଣ୍ଣାଢ଼୍ୟ ଆୟୋଜନ ଚାଲିଛି। ବିଜୁ ଜନତା ଦଳର ମହିଳା ସଂଗଠନ ଅମେରୁଦଣ୍ଡୀ। ମହିଳାମାନଙ୍କ ପ୍ରତି ଏ ରାଜ୍ୟରେ ଭୟଙ୍କର ବିପଦ ସୃଷ୍ଟି ହୋଇଥିବା ବେଳେ ଏ ସଂଗଠନ ନିର୍ବାକ ହୋଇ ବସି ରହିଛି ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର