ଗାଧୋଇବା ବେଳେ ଝାମ୍ପିନେଲା କୁମ୍ଭୀର

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସାହୁପଡ଼ା ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀର ଗାଧୁଆ ତୁଠରୁ ଉକ୍ତ ଗ୍ରାମର ସୁବାସ ବରାଳ(୫୦)ଙ୍କୁ ଆଜି ଏକ କୁମ୍ଭୀର ଝାମ୍ପିନେଇ ଗଭୀର ନଦୀମଧ୍ୟକୁ ଚାଲିଯିବା ଖବର ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଖବରଟି ଏହିପରି। ଆଜି ମଧ୍ୟାହ୍ନ ୧୨ଟା ସମୟରେ ସୁବାସ ନିଜ ଗାଁର ନଈ ତୁଠରେ ଗାଧୋଇଥିବା ସମୟରେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। କୁମ୍ଭୀର କବ୍‌ଜାରେ ପଡ଼ି ସୁବାସ ବିକଳ ଚିତ୍କାର କରିବାରୁ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ତାଙ୍କୁ କୁମ୍ଭୀର କବଳରୁ ରକ୍ଷା କରିପାରି ନଥିଲେ। ଖବର ପାଇବା ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ପଇଁତରା ମାରି ସୁବାସଙ୍କୁ ଖୋଜିବା ସହ ଜାଲ ପକାଇ କୁମ୍ଭୀର କବଳରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। କୁମ୍ଭୀର ଜାଲ ଛିଡ଼ାଇ ଖସିଯିବା ପରେ ଅଗ୍ନିଶମ କର୍ମଚାରୀମାନେ ନିରାଶ ହୋଇ ଫେରିଛନ୍ତି। ସଂଧ୍ୟା ସୁଦ୍ଧା ସୁବାସଙ୍କୁ ଠାବ କରାଯାଇପାରି ନାହିଁ।

ସମ୍ବନ୍ଧିତ ଖବର