ନନ୍ଦନକାନନରେ ବଉଳା କୁମ୍ଭୀର ଅଣ୍ଡାରୁ କୃତ୍ରିମ ପ୍ରଜନନ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଇତିହାସରେ ପ୍ରଥମ ଥର ପାଇଁ କୃତ୍ରିମ ଉପାୟରେ ବଉଳା କୁମ୍ଭୀରର ପ୍ରଜନନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଭିତରକନିକା ଅଭୟାରଣ୍ୟରେ ଥିବା କୁମ୍ଭୀର ବସା ଭିତରୁ ୪୦ଟି ଅଣ୍ଡାକୁ ନନ୍ଦନକନାନନକୁ ଅଣାଯାଇଥିଲା। ଆଜି ମଧ୍ୟାହ୍ନରେ ବିଶେଷଜ୍ଞ ପ୍ରଫେସର ସୁଦର୍ଶନ ମହାରଣା, ନନ୍ଦନକାନନ ଉପନିର୍ଦେଶକ ଜୟନ୍ତ କୁମାର ଦାସ, ଏସିଏଫ୍‌ ଅଞ୍ଜନ କୁମାର ମହାନ୍ତି, ରାଜେଶ କୁମାର ମହାପାତ୍ର ଓ ନନ୍ଦନକାନନ କର୍ମଚାରୀଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏହି ଅଣ୍ଡା ଗୁଡ଼ିକର ଓଜନ ୧୦୨ଗ୍ରାମ୍‌ରୁ ୧୦୫ଗ୍ରାମ ଥିବା ବେଳେ ଲମ୍ବ ୭.୫ ସେଣ୍ଟିମିଟର ଓ ଗୋଲେଇ ୫ ସେଣ୍ଟିମିଟର ମଧ୍ୟରେ ରହିଛି।

ସାଧାରଣତଃ ଅଣ୍ଡା ଦାନର ୭୦ ଦିନ ମଧ୍ୟରେ ଏଥିରୁ କୁମ୍ଭୀର ଛୁଆ ବାହାରି ଥାଆନ୍ତି। ଏହି ଅଣ୍ଡାଗୁଡ଼ିକର ସଠିକ ଜନ୍ମ ସମୟ ଜଣା ନଥିବାରୁ ଭିତରକନିକାରେ ଗତ ମେ ମାସରୁ କୁମ୍ଭୀରମାନେ ଅଣ୍ଡା ଦେବା ସମୟକୁ ହିସାବକୁ ନେଇ ଅଗଷ୍ଟ ମାସ ପ୍ରଥମ ସପ୍ତାହ ଭିତରେ ଅଣ୍ଡାରୁ ଛୁଆ ବାହାରିବେ ବୋଲି ନନ୍ଦନକାନନର ପ୍ରାଣୀ ଚିକିତ୍ସକ ଡା. ଶରତ କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର